ଭୁବନେଶ୍ୱର,୧୨/୧୦: ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଲେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ଦରକାର । ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ଲ'ର ୧୫ତମ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଜଷ୍ଟିସ୍ ଦୀକ୍ଷିତ କହିଛନ୍ତି, ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ୍ ଓ ବିଷୟ ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ । କାରଣ ଜଣେ ଆଇନଜ୍ଞଙ୍କୁ କେଉଁ ପ୍ରକାର ମାମଲା ପରିଚାଳନା କରିବାକୁ ପଡ଼ିବ ତାହା ଜଣା ନଥାଏ । ଭାଷା ମାଧ୍ୟମରେ ଆଇନ ପ୍ରକଟିତ ହୁଏ । ଛାତ୍ରଛାତ୍ରୀଙ୍କୁ ଉଭୟ ଆଇନ ଓ ଭାଷାକୁ ଆୟତ୍ତ କରିବାକୁ ପଡ଼ିବ । ଛାତ୍ରଛାତ୍ରୀଙ୍କୁ ବିଶ୍ଲେଷଣାତ୍ମକ ମନୋଭାବ ପୋଷଣ କରିବା ସହିତ ତର୍କଶାସ୍ତ୍ର ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ ।
ଏହାଛଡ଼ା ସେମାନଙ୍କୁ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଯୀହୁଦିମାନଙ୍କ ରାଜା ଶଲୋମନ ବିଷୟରେ ଉଲ୍ଲେଖ କରି ଜଷ୍ଟିସ୍ ଦୀକ୍ଷିତ କହିଥିଲେ, ଯୀହୁଦିମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ଭାବେ ପରିଗଣିତ ଏହି ରାଜାଙ୍କୁ ଥରେ ଏକ କଠିନ ମାମଲାର ସମାଧାନ କରିବାକୁ ପଡ଼ିଥିଲା । ଦୁଇ ଜଣ ମହିଳା ନିଜକୁ ଗୋଟିଏ ଶିଶୁର ମାତା ବୋଲି ଦାବି କରୁଥିବା ବେଳେ ଏହି ମାମଲା ତାଙ୍କ ସମ୍ମୁଖକୁ ଆସିଥିଲା । ସେତେବେଳେ ଡିଏନ୍ଏ ପରୀକ୍ଷା ଉପଲବ୍ଧ ନଥିବାରୁ ଏହା କଠିନ ମାମଲା ଥିଲା । ରାଜା ଶଲୋମନ ଆଜ୍ଞା ଦେଇଥିଲେ ଯେ ଶିଶୁଟିକୁ ଖଡ୍ଗରେ ଦୁଇ ଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ । ଏହା ଶୁଣି ଶିଶୁଟିର ପ୍ରକୃତ ମାତା ଚିତ୍କାର କରି ଶିଶୁକୁ ହତ୍ୟା ନ କରି ତାକୁ ଅନ୍ୟ ମହିଳାଙ୍କୁ ଦେଇ ଦେବାକୁ ଗୁହାରି କରିଥିଲେ । କାରଣ ସେ ନିଜେ ଶିଶୁଟିର ମାତା ହୋଇଥିବାରୁ ତାହାର ମୃତ୍ୟୁ ଚାହିଁ ନଥିଲେ । ଏହାଦ୍ୱାରା ଶିଶୁର ପ୍ରକୃତ ମାତାଙ୍କୁ ଚିହ୍ନଟ କରାଯାଇ ପାରିଥିଲା ବୋଲି ଜଷ୍ଟିସ୍ ଦୀକ୍ଷିତ କହିଥିଲେ ।
କଠିନ ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ ବୋଲି ପ୍ରକାଶ କରି ଜଷ୍ଟିସ୍ ଦୀକ୍ଷିତ କହିଥିଲେ, ଭାରତର ପ୍ରସିଦ୍ଧ ଆଇନ ବିଶାରଦ ନନି ପାଲଖିୱାଲାଙ୍କ ଉଦାହରଣ ଅନୁକରଣୀୟ । ବମ୍ବେ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିବା ସମୟରେ ପାଲଖିୱାଲା କୁଳାଧିପତିଙ୍କୁ ଅନୁରୋଧ କରିଥିେ. ବିଶ୍ୱବିଦ୍ୟାଳୟର ପୁସ୍ତକାଗାର ସନ୍ଧ୍ୟା ୫ଟାରେ ବନ୍ଦ ହୋଇଯାଉଥିବାରୁ ତାଙ୍କର ଅଧ୍ୟୟନ ବାଧାପ୍ରାପ୍ତ ହେଉଛି । ତେଣୁ ଏହି ସମୟକୁ ବୃଦ୍ଧି କରିବାକୁ ସେ ପ୍ରାର୍ଥନା କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା । ଏହି ଅଧ୍ୟୟନ ହିଁ ତାଙ୍କୁ ଦେଶର ଜଣେ ପ୍ରତିଷ୍ଠିତ ଆଇନ ବିଶାରଦରେ ପରିଣତ କରିଥିଲା । ଆଇନ ଏକ ବ୍ୟବସାୟ ନୁହେଁ ମାତ୍ର ଏକ ମହାନ ବୃତ୍ତି ଅଟେ । ତେଣୁ ଏହି ବୃତ୍ତିରେ ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନୈତିକ ଆଚରଣ କରିବା ଆବଶ୍ୟକ ।
ଏହି ବୃତ୍ତିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ କେବେ ମଧ୍ୟ ନ୍ୟାୟକୁ ବିଳମ୍ବିତ ପ୍ରତ୍ୟାକ୍ଷିତ ଅବା ବିକ୍ରି ହେବାକୁ ଦେବେ ନାହିଁ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାର ଆବଶ୍ୟକତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ, ଯେ କୌଣସି ଗୋଟିଏ ପୁସ୍ତକ ଉପରେ ନିର୍ଭରଶୀଳ ହେବା ଦେଶର ବା ସଂସ୍କୃତିର ପରିଚାୟକ ନୁହେଁ । ଗୀତା ପ୍ରକାଶ କରେ ଯେ ଜ୍ଞାନ ଆହରଣ ଠାରୁ ଅଧିକ ଉତ୍ସର୍ଗୀକୃତ ବିଷୟ କିଛି ନାହିଁ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ସୋଆ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଲ'ର ଡିନ୍ ପ୍ରଫେସର ସେକ୍ ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ ।