ନୂଆଦିଲ୍ଲୀ,୧୯/୧୧; ୨୦୨୩ ମସିହା ନଭେମ୍ବର ୧୯ ତାରିଖ । ସେହିନ ଅହମ୍ମଦାବାଦର ସକାଳଟି ଆଜି ପରି ଖୁବ ସୁନ୍ଦର-ସ୍ୱାଭାବିକ ଥିଲା । ପୁରା ହିନ୍ଦୁସ୍ଥାନ ଉତ୍ସବର ପ୍ରସ୍ତୁତି କରୁଥିଲା । ଯେଉଁଠି ଦେଖ ଗୋଟିଏ ନାମ ଗୁଞ୍ଜରିତ ହେଉଥିଲା ଇଣ୍ଡିଆ...ଇଣ୍ଡିଆ...ଇଣ୍ଡିଆ । ଉତ୍ସାହ-ଉତ୍କଣ୍ଠା ଶିଖର ଛୁଇଁଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଫ୍ୟାନ୍ସଙ୍କ ଖଚାଖଚ ଭିଡରେ ଷ୍ଟାଡିୟମ ଭର୍ତ୍ତି ହୋଇଯାଇଥିଲା । ଭାରତୀୟ କ୍ରିକେଟ ଟିମ୍ର ଉତ୍ସାହ ପାଇଁ ଭାରତୀୟ ସେନା ଆକାଶରୁ ଶୁଭେଚ୍ଛେ ଜଣାଇଥିଲା । ପୁରା ହିନ୍ଦୁସ୍ଥାନ ଖୁସିଥିଲା । କାରଣ ସମସ୍ତେ ଜାଣିଥିଲେ ବିଶ୍ୱକପ ଆମର । କାରଣ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ହେଲେ ସବୁ ଉତ୍ସାହ, ଉତ୍କଣ୍ଠାରେ କଳା ବାଦଲ ଘୋଟି ଆସିଲା । ଲିଗ୍ରୁ ସେମିଫାଇନାଲ ଯାଏ ଅପରାଜେୟ ଥିବା ଟିମ୍ ଇଣ୍ଡିଆର ବିଜୟରେ ବ୍ରେକ୍ ଲାଗିଥିଲା । ଭାରତଠୁ ବିଶ୍ୱକପ ଛଡାଇନେଲା ଅଷ୍ଟ୍ରେଲିଆ । ଫ୍ୟାନ୍ସଙ୍କ ପାଇଁ ନଭେମ୍ବର ୧୯ରୁ କ୍ରିକେଟ୍ ଇତିହାସର କଳା ଦିନ ବୋଲି ରହିଆସିଛି ।
ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ଲିଗ୍ ପର୍ଯ୍ୟାୟରେ ୧୦ଟି ମ୍ୟାଚ ଜିତି ଫାଇନାଲରେ ଏଣ୍ଟ୍ରୀ କରିଥିଲା । ଫାଇନାଲ ଜିତିବ ବୋଲି ସମସ୍ତେ ନିଶ୍ଚିନ୍ତ ଥିଲେ । ସମସ୍ତ ଭାବିଥିଲେ ଭାରତ ବିଶ୍ୱକପ ଜିତିବ । ହେଲେ ସେମିତି କିଛି ହୋଇନଥିଲା । ରାତି ଯେତିକି ବଢୁଥିଲା ଛାତି ଧଡ଼ଧଡ଼ ହେଉଥିଲା । ଶେଷରେ ଭାରତୀୟଙ୍କ ଖୁସିରେ ଗ୍ରହଣ ଲାଗିଗଲା । ଆମ ଖେଳାଳି ସବୁ ପ୍ରସ୍ତୁତି କରିଥିଲେ । କୌଣସି ତ୍ରୁଟି କରିନଥିଲେ କେତେ ଭାଗ୍ୟର କିଛି ଅଲଗା ଯୋଜନା ଥିଲା । ଭାରତକୁ ହରାଇ ବିଶ୍ୱ ଚାମ୍ପିଅନ ହୋଇଥିଲା ଅଷ୍ଟ୍ରେଲିଆ । ୪୨ ବଲ୍ ବାକି ଥାଇ ୬ ୱିକେଟ୍ରେ ଜିତିଥିଲା କଙ୍ଗାରୁ ଦଳ । ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା । ଯିଏ କେବେ କାନ୍ଦିନଥିଲେ ସେମାନେ ବି ସେଦିନ ବହୁତ କାନ୍ଦିଥିଲେ ।
ସେଦିନ ଗୋଟିଏ କଥା ନିଶ୍ଚିନ୍ତ ହୋଇଥିଲା ସବୁ କାହାଣୀର ସୁଖଦଃ ଅନ୍ତ ହୁଏ ନାହିଁ । କିଛି କାହାଣୀର ଅନ୍ତ ଏମିତି ଥାଏ ଯାହାକୁ ଆମେ ଜୀବନ ତମାମ କେବେ ଭୁଲି ପାରୁନାହିଁ । ନଭେମ୍ବର ୧୯ ତାରିଖ ହେଉଛି ଏମିତି ଏକ ଦିନ ଯାହା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ତାରିଖ ହୋଇ ରହିଛି । ସମସ୍ତେ ଆଜି ବି ରୋହିତ ଶର୍ମାଙ୍କ ଲୁହଭରା ଆଖି, କିଙ୍ଗ୍ କୋହଲିଙ୍କ କୋହ, କେଏଲ ରାହୁଲଙ୍କ ବେଦନା, ମହମ୍ମଦ ସିରାଜ ଏବଂ ବୁମରାହଙ୍କ ଆଖିର ଲୁହକୁ ଭୁଲି ନାହାନ୍ତି । ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକଙ୍କ ମୁହଁରେ ହତାଶା ଏବଂ ଆଖିରେ ଲୁହ ଭରିଥିଲା ନଭେମ୍ବର ୧୯ ।