ଭୁବନେଶ୍ୱର/ଯାଁଳା,୨୧/୦୭: ରବିବାର ଅପରାହ୍ଣରେ ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ରତନପୁର କାଜୁ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଟକ ଥିବା ଅଭିଯୁକ୍ତକୁ ଇନ୍ଫୋଭ୍ୟାଲି ଥାନା ପୁଲିସ ଗିରଫ କରିଛି । ତା’ ନାମ ସୁନୀଲ ପାତ୍ର(୩୫) । ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର କୃଷ୍ଣଚନ୍ଦ୍ରପୁର । ସେ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ରହୁଥିଲା ।
ସୂଚନା ଥାଉକି, ଖେ।।ର୍ଦ୍ଧା ବାଘମାରୀ ଥାନା ଅଞ୍ଚଳର ପ୍ରିୟଙ୍କା(ଛଦ୍ମନାମ) ରବିବାର ନିଜ ମାମୁଙ୍କୁ ଦେଖିବାକୁ କଟକ ଯିବା ପାଇଁ ଆସୁଥିଲେ । ପୂର୍ବାହ୍ନ ୧୦ଟାବେଳେ ଖୋର୍ଦ୍ଧା କଲେକ୍ଟର ଅଫିସ ନିକଟରେ ଛିଡ଼ା ହୋଇ ଲିଫ୍ଟ ମାଗୁଥିଲେ । ଏହି ସମୟରେ ସୁନୀଲ ଏକ ବାଇକ୍ରେ ଆସି ପ୍ରିୟଙ୍କାଙ୍କୁ ଖଣ୍ଡଗିରିରେ ଛାଡ଼ିଦେବ ବୋଲି କହିଥିଲା । ପ୍ରିୟଙ୍କା ବାଇକ୍ରେ ବସିବା ପରେ ସୁନୀଲ ତାଙ୍କୁ ରତନପୁର କାଜୁ ଜଙ୍ଗଲକୁ ନେଇ ଆସିଥିଲା । ପ୍ରିୟଙ୍କା ପଚାରିବାରୁ ସେ ବାଇକ୍ ନ ଅଟକାଇ ସିଧା ରତନପୁର କାଜୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲା । ସେଠାରେ ସେ ପ୍ରିୟଙ୍କାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରିୟଙ୍କା ପ୍ରତିବାଦ କରିବାରୁ ସେ ଏକ ଛୁରିରେ ତାଙ୍କ ପେଟକୁ ଭୁସି ସାମାନ୍ୟ କ୍ଷତି ପହଞ୍ଚାଇଥିଲା । ତେବେ କୌଶଳ କରି ପ୍ରିୟଙ୍କା ସୁନୀଲ କବଳରୁ ଖସି ଆସିଥିଲେ । ଏହି ସମୟରେ ଜଣେ ସ୍ଥାନୀୟ ଲୋକେ ପଳାଇ ଆସିବାରୁ ସୁନୀଲ ସେଠାରୁ ବାଇକ୍ ନେଇ ପଳାଇଥିଲା । ପ୍ରିୟାଙ୍କା ସାହାସର ସହ ୧୧୨କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ । ଏଥିସହ ତାଙ୍କ ମୋବାଇଲ ସୁଇଚ୍ ଅଫ ହୋଇଯିବ ବୋଲି ମଧ୍ୟ କହିଥିଲେ । ତା’ ପରେ ପ୍ରିୟଙ୍କା ଉକ୍ତ ଜଙ୍ଗଲରେ ଦୌଡ଼ୁଥିବା ବେଳେ ବାଟ ଭୁଲି ଯାଇଥିଲେ ।
ଅଧିକ ପଢ଼ନ୍ତୁ :- ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଅପହରଣ ସହ ଦୁଷ୍କର୍ମ ଉଦ୍ୟମ, କୌଶଳରେ ଖସି ଆସି ପୁଲିସ କଲ୍ କଲେ ପୀଡ଼ିତା, ୫ ଘଣ୍ଟା ପରେ ଉଦ୍ଧାର
ପୁଲିସ କଣ୍ଟ୍ରୋଲ ରୁମ୍ରୁ ଖବରପାଇ ଜୋନ୍-୩ ଏସିପି, ଇନ୍ଫୋଭ୍ୟାଲି, ଜଟଣୀ, ତମାଣ୍ଡୋ. ଭରତପୁର ଏବଂ ଚନ୍ଦକା ଥାନା ପିସିଆର କର୍ମଚାରୀ ସମେତ ପ୍ରାୟ ୫୦ ପୁଲିସ ରତନପୁର କାଜୁ ଜଙ୍ଗଲରେ ପହଞ୍ଚିଥିଲେ । ସେତେବେଳକୁ ପ୍ରିୟଙ୍କାଙ୍କ ମୋବାଇଲ ସୁଇଚ୍ ଅଫ ହୋଇ ଯାଇଥିଲା । ପ୍ରାୟ ୫ ଘଣ୍ଟା ଧରି ପୁଲିସ ଜଙ୍ଗଲରରେ ଖେଦିଯାଇ ଖୋଜାଖୋଜି କରିଥିଲା । ପୁଲିସ ମୋବାଇଲ ଲୋକେସନ୍ ଠାରୁ ଆରମ୍ଭକରି ଡ୍ରୋନ୍ କ୍ୟାମେରା, ଫ୍ଲେୟାର ଗନ୍(ଆଲୋକ ପ୍ରଦାନକାରୀ ବନ୍ଧୁକ) ଏବଂ ବାଣ ଫୁଟାଇ ଶେଷରେ ପ୍ରିୟଙ୍କାଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲା ।
ପ୍ରିୟଙ୍କାଙ୍କ ସୂଚନା ଆଧାରରେ ପୁଲିିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୁନୀଲକୁ ଉଠାଇ ଆଣିବା ସହ ଅପହରଣରେ ବ୍ୟବହୃତ ବାଇକ୍କୁ ଜବତ କରିଥିଲା । ପ୍ରିୟଙ୍କାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ସୁନୀଲକୁ ଗିରଫ କରିଥିଲା । ଆଜି ସୁନୀଲକୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।