ବୌଦ୍ଧ, ୨୧/ ୦୭ :ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ରଖିବା ବୌଦ୍ଧ ମନମୁଣ୍ଡାର ପୂର୍ବତନ ଥାନାଧିକାରୀ ସସ୍ମିତା ମଗରଙ୍କୁ ମହଙ୍ଗା ପଡ଼ିଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ମହାନିର୍ଦ୍ଦେଶକ ସୋମବାର ତାଙ୍କୁ ନିଲମ୍ବନ କରିଛନ୍ତି । ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ସେ ଦକ୍ଷିଣାଞ୍ଚଳ ଆଇଜି ବ୍ରହ୍ମପୁରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ।

ଆଇଆଇସି ଶ୍ରୀମତୀ ମଗର ମନମୁଣ୍ଡା ଥାନାଧିକାରୀ ଭାବରେ କାର୍ଯ୍ୟରତ ଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ କଣ୍ଟେନର ଧରାପଡ଼ିଥିଲା । ପୁଲିସ୍ ଗଞ୍ଜେଇ ଜବତ ପୂର୍ବକ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଜେରା କରିବା ସହ ସେମାନଙ୍କ ମୋବାଇଲ ଯାଞ୍ଚ କରାଯାଇଥିଲା । ଜଣେ ଅଭିଯୁକ୍ତର ହ୍ୱାଟସଆପ ଚାଟ୍ ଦେଖିବାରୁ ସେଥିରେ ମନମୁଣ୍ଡା ଥାନାଧିକାରୀ ସସ୍ମିତାଙ୍କ ସହିତ ବାର୍ତ୍ତାଳାପ ରହିଥିବା ଜଣାପଡ଼ିଥିଲା । ଏନେଇ ସୁବର୍ଣ୍ଣପୁର ଏସ୍‌ପି ବୌଦ୍ଧ ଏସପିଙ୍କୁ ଅବଗତ କରିଥିଲେ । ଏହାପରେ ଶ୍ରୀମତୀ ମଗରଙ୍କୁ ବୌଦ୍ଧ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଏଥିସହ ଏସ୍‌ପି ତାଙ୍କୁ କୈଫିୟତ ତଲବ କରିଥିଲେ । ଉକ୍ତ ଘଟଣାରେ ଡିଜିଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୬୧୫/ତା.୨୦.୭.୨୦୨୬ରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ଅଧିକ ପଢ଼ନ୍ତୁ :- Crime News: ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ ମାମଲାରେ ଧରାପଡ଼ି ଜେଲ୍ ଗଲା ଅଭିଯୁକ୍ତ ସୁନୀଲ, ଲିଫ୍ଟ ଦେବା ଆଳରେ କାଜୁ ଜଙ୍ଗଲକୁ ଟେକି ନେଇଥିଲା...

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପୁଲିସ ଗଞ୍ଜେଇ ଚାଷ, ଚୋରାଚାଲାଣ ରୋକିବାକୁ ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରୁଛି । ହେଲେ ଅସାଧୁ ବିଭାଗୀୟ ଅଧିକାରୀ, କର୍ମଚାରୀ ମାଫିଆଙ୍କ ସହ ସମ୍ପର୍କରେ ରହୁଥିବାରୁ ଜିଲ୍ଲାରେ ଗଞ୍ଜେଇ ମୂଳୋତ୍ପାଟନ ଅଭିଯାନ ବାଟବଣା ହେଉଛି ।