ଛତ୍ରପୁର,୧୬/୦୯: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧୀନରେ ଥିବା ଜିଲ୍ଲାଗୁଡିକର ରାଜସ୍ୱ ଅଧିକରୀଙ୍କ ୨ ଦିନିଆ ସମ୍ମିଳନୀ ଏବଂ କର୍ମଶାଳା ଆରମ୍ଭ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆଜିଠୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶେଷ ହେବ ।  ତେବେ ଏହି ସମ୍ମିଳନୀକୁ ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି । ଏଥିରେ କାର୍ଯ୍ୟକ୍ରମରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗର ଦେଓ ରଞ୍ଜନ ସିଂ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ ମହାପାତ୍ର ଏବଂ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଯୋଗ ଦେଇଛନ୍ତି । ସେପଟେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟର ଅନୁସଚିବ ମୋନିକା ପ୍ରିୟଦର୍ଶନୀ ଅତିଥି ପରିଚୟ ଦେବା ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ତେବେ ଏହି  ସମ୍ମିଳନୀରେ ରାଜସ୍ୱ, ଜମି ଜମା, ଜମି ଅଧିଗ୍ରହଣ, ସରକାରୀ ଜମି ଜବରଦଖଲ ସହିତ ରାଜସ୍ୱ ବିଭାଗର ଅନ୍ୟାନ୍ୟ ବିଷୟ ଉପରେ ହୋଇପାରେ ଆଲୋଚନା । ଏଥିସହ ଲୋକଙ୍କୁ ଘରପଟ୍ଟା ପ୍ରଦାନ ଉପରେ ମଧ୍ୟ ଆଲୋଚନା ହୋଇପାରେ ।