ବଲାଙ୍ଗିର, ୩।୬: ମଦ ବେପାର ପାଇଁ ଲମ୍ବା ଲାଇନ । ଆବେଦନକୁ ଯାଞ୍ଚ କରାଇ ଲଟେରି କରିବାକୁ ପ୍ରଶାସନ, ପୁଲିସ ଏବଂ ଅବକାରୀ ବିଭାଗକୁ ସାରା ଦିନ ଲାଗିଗଲା । ସକାଳୁ ଅପରାହ୍ନ ଯାଏଁ କଡ଼ା ସୁରକ୍ଷାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଚାଲିଲା । ସମ୍ପୂର୍ଣ୍ଣ ଲଟେରିକୁ ସ୍ୱଚ୍ଛ ଏବଂ ନିର୍ବିବାଦୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ପକ୍ଷରୁ ସମସ୍ତ ନିଲାମୀ କରାଯାଇଥିଲା । ଅନ୍ୟଥର ଅପେକ୍ଷା ଚଳିତ ବର୍ଷ ଅମାନତ ରାଶି ବୃଦ୍ଧି କରାଯାଇଥିଲେ ହେଁ ଲଟେରିରେ ରେକର୍ଡ ସଂଖ୍ୟକ ବ୍ୟବସାୟୀ ସାମିଲ ହୋଇଥିଲେ । ଜିଲ୍ଲାର ମାତ୍ର ୨୧ଟି ମଦଦୋକାନ ପାଇଁ ୫୩୨ଟି ଆବେଦନ ହୋଇଥିଲା । ଯେଉଁଥିରେ ଅମାନତ ବାବଦକୁ ଅବକାରୀ ବିଭାଗର ପେଡ଼ିରେ ୧୫କୋଟି ୯୬ଲକ୍ଷ ଟଙ୍କା ଯାଇଛି । ଏହି ଅମାନତ ରାଶି ଫେରସ୍ତ ମିଳିବନି ବୋଲି ଆଗରୁ ସ୍ପଷ୍ଟ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ମାସ ଜିଲ୍ଲାର ୨୧ଟି ବିଦେଶୀ ମଦଦୋକାନ ଲଟେରି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ବଲାଙ୍ଗିର ଅବକାରୀ ଅଧୀକ୍ଷକ କାର୍ଯ୍ୟାଳୟ ଅଧୀନରେ ୨୧ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଇଁ ଲଟେରିରେ ଭାଗ ନେବାକୁ ବେପାରୀଙ୍କୁ ଅନ୍‌ଲାଇନରେ ଆହ୍ୱାନ କରାଯାଇଥିଲା । ବେପାରୀଙ୍କୁ ବିଦେଶୀ ମଦ ଦୋକାନ ପିଛା ୩ ଲକ୍ଷ ଟଙ୍କା ଧାର୍ଯ୍ୟ ଅମାନତ ରାଶି ଗତ ୧୮ ତାରିଖ ସୁଦ୍ଧା ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା । ଏମିତିକି ସେହି ଅମାନତ ଅର୍ଥ ଫେରସ୍ତ ମିଳିବନି ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଥିଲା  । ତଥାପି ୨୧ଟି ଠିପିବନ୍ଦ ମଦଦୋକାନ ଲଟେରିରେ ଭାଗନେବାକୁ ୫୩୨ଜଣ ବେପାରୀ ଆବେଦନ କରିଥିଲେ । ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ଲେଖାଏଁ ହାରରେ ପ୍ରାୟ ୧୬କୋଟି ଟଙ୍କା ଅବକାରୀ ବିଭାଗ ଲଟେରି ହେବା ଆଗରୁ  ନିଜ ପେଡ଼ିରେ ପକାଇ ସାରିଲାଣି । ଏହି ଲଟେରିରେ ସାମିଲ ହେବାକୁ କେବଳ ବଲାଙ୍ଗିର ନୁହେଁ ବରଂ ଜିଲ୍ଲା ଏପରିକି ପଡ଼ୋଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର କେତେକ ବ୍ୟବସାୟୀ ମଧ୍ୟ ଆସିଥିଲେ ।

ତେବେ ବଲାଙ୍ଗିର ଭଳି ଏକ ବିକାଶନୋମୁଖୀ ଜିଲ୍ଲାରେ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ର ସଂଘର୍ଷ କରୁଥିବାବେଳେ ମଦ ବ୍ୟବସାୟ ପାଇଁ ଏଭଳି ଆଗ୍ରହକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ମଦ ବ୍ୟବସାୟରେ ଏଭଳି କେତେ ଲାଭ ଅଛି, ଯେଉଁଥିରେ ଭାଗ ନେବାକୁ ଦୂରଦୂରାନ୍ତରୁ ବେପାରୀ ଆସି ଅମାନତ ହରାଇବାକୁ  ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରପକ୍ଷେ, ଏହି ସମ୍ପର୍କରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ସମ୍ପୂର୍ଣ୍ଣ ସରକାରୀ ନିୟମ ଅନୁସାରେ ସମସ୍ତଙ୍କ ସାମ୍ନାରେ ଲଟେରି ଚାଲିଛି । ଲଟେରି ସରିବା ପରେ ତାକୁ ସଙ୍ଗେସଙ୍ଗେ ଅବକାରୀ ବିଭାଗର ୱେବସାଇଟରେ ଅପଲୋଡ଼ କରାଯାଉଛି ବୋଲି କହିଥିଲେ ।