ଚର୍ଚ୍ଚିତ ଆସନ; ଏମାନଙ୍କ ମଧ୍ୟରୁ କିଏ ଗଢ଼ିବ ସରକାର ଜାଣନ୍ତୁ…

୫୪୨ ଲୋକସଭା ଆସନ ମଧ୍ୟରୁ କେଉଁ ଦଳ କେତେ ଆସନ ପାଇବ ଏବଂ କିଏ ସରକାର ଗଢ଼ିବ ତାହା ଜାଣିବା ପାଇଁ ମେ ୨୩ ତାରିଖକୁ ଦେଶର ଜନତା ଅପେକ୍ଷା କରିଥିଲେ । ଏହାଛଡ଼ା ଲୋକଙ୍କ ନଜର କେତେକ ପ୍ରମୁଖ ଆସନ ଉପରେ ମଧ୍ୟ ରହିଥିଲା । ସେହି ଆସନଗୁଡ଼ିକ ପ୍ରକୃତରେ କାହା ଖାତାକୁ ଯିବ, ତାହା ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିଲା । ସେହି ଆସନଗୁଡ଼ିକ ମଧ୍ୟରୁ କିଛି ନିମ୍ନରେ ପ୍ରଦାନ କରାଗଲା ।

ବାରାଣସୀରେ ମୋଦି ଜିତିଲେ
ଉତ୍ତର ପ୍ରଦେଶର ଏହି ଆସନ ଉପରେ ଦେଶବାସୀଙ୍କ ନଜର ଥିଲା । କାରଣ ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଏଥର ସେ ପୁଣି ଏହି ଆସନରୁ ବିଜୟୀ ହୋଇଛନ୍ତି । ଖବର ଲେଖାହେବା ବେଳକୁ ମୋଦି ସର୍ବାଧିକ ୫,୭୧,୧୫୪ ଭୋଟ୍ ପାଇ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟିର ଶାଲିନୀ ଯାଦବ ବହୁ ପଛରେ ପଡ଼ିଛନ୍ତି । ତାଙ୍କୁ ୧,୬୫,୧୬୨ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଅଜୟ ରାୟ ୧,୧୪,୩୧୪ ଭୋଟ୍ରେ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି । ତେବେ ଚୂଡ଼ାନ୍ତ ଫଳ ବେଳକୁ ଏହି ସଂଖ୍ୟା ବଦଳିବାଟା ନିଶ୍ଚିତ । ଗତଥର ମୋଦି ୫.୮୧ ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ ।

ବିଜେପି କବ୍ଜାରେ ବାଙ୍ଗାଲୋର ଦକ୍ଷିଣ
ବାଙ୍ଗାଲୋର ଦକ୍ଷିଣ ଆସନରେ ବିଜେପି ନେତା ସ୍ୱର୍ଗତ ଅନନ୍ତ କୁମାର ୨୦୧୪ରେ ଜିତିଥିଲେ । ତାଙ୍କୁ ସର୍ବାଧିକ ୬,୩୩,୮୧୬ ଭୋଟ୍ ମିଳିଥିଲା । ଏଥର ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଥିବା ବିଜେପି ଯୁବନେତା ତେଜସ୍ୱୀ ସୂର୍ଯ୍ୟଙ୍କ ବିଜୟୀ ହୋଇଛନ୍ତି । ସର୍ବାଧିକ ୭,୩୯,୨୨୯ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବି କେ ହରିପ୍ରସାଦଙ୍କୁ ୪,୦୮,୦୩୭ ଖଣ୍ଡ ଭୋଟ୍ ମିଳିଥିବା ଜଣାପଡ଼ିଛି ।

ୱାୟନାଡ଼ରେ ରାହୁଲଙ୍କ ବିପୁଳ ବିଜୟ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୟୁପିର ଆମେଥିରୁ ହାରିଥିବା ବେଳେ କେରଳର ୱାୟନାଡ଼ରୁ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି । ଖବର ଲେଖାହେବା ବେଳକୁ ତାଙ୍କୁ ସର୍ବାଧିକ ୧୨,୭୬,୯୪୫ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ପି ପି ସୁନୀର ୪,୭୭,୭୮୩ ଭୋଟ୍ ପାଇଛନ୍ତି । ମୁସ୍ଲିମ୍ ଭୋଟ୍ ହାତେଇ ଜିତିବା ପାଇଁ ରାହୁଲ ଏଠାରେ ଲକ୍ଷ୍ୟ ରଖିଥିଲେ ଏବଂ ତାହା ଆଜି ପୂରଣ ହୋଇଛି । ୨୦୧୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ମୁଲ୍ଲାପାଲ୍ଲି ରାମଚନ୍ଦ୍ରନ୍ ସର୍ବାଧିକ ୪,୧୬,୪୭୯ ଭୋଟ୍ ପାଇ ଜିତିଥିଲେ ।

ସାଧ୍ୱୀ ପ୍ରଜ୍ଞାଙ୍କ ହାତରେ ଭୋପାଳ
ମଧ୍ୟ ପ୍ରଦେଶର ଭୋପାଳ ଲୋକସଭା ଆସନରେ ଏଥର ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ କଂଗ୍ରେସ ପ୍ରାର୍ଥୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । କିନ୍ତୁ ଚୂଡ଼ାନ୍ତ ଫଳାଫଲ ପ୍ରକାଶ ବେଳକୁ ସାଧ୍ୱୀ ପ୍ରଜ୍ଞା ଦିଗ୍ବିଜୟଙ୍କୁ ବହୁ ପଛରେ ଛାଡ଼ିଦେଇଥିଲେ । ଖବର ଲେଖାହେବା ବେଳକୁ ସାଧ୍ୱୀ ପ୍ରଜ୍ଞାଙ୍କୁ ୫,୨୧,୧୨୨ ଭୋଟ୍ ମିଳିଥିଲା ବେଳେ ଦିଗ୍ବିଜୟଙ୍କୁ ୩,୨୮,୫୩୬ ଭୋଟ୍ ମିଳିଥିଲା । ସାଧ୍ୱୀ ପ୍ରଜ୍ଞା ବିବାଦୀୟ ମନ୍ତବ୍ୟ ଦେଇ ଏଥର ଦଳ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲେ । କିନ୍ତୁ ତାଙ୍କୁ ଭୋଟରମାନେ ବେଶ୍ ପସନ୍ଦ କରିଥିଲେ । ୨୦୧୪ରେ ବିଜେପିର ଆଲୋକ ସଂଜର ସର୍ବାଧିକ ୭,୧୪,୧୭୮ ଭୋଟ୍ ପାଇ ଏହି ଆସନରୁ ବିଜୟୀ ହୋଇଥିଲେ ।

ରାମପୁରରେ ଜୟା ହାରିଲେ
ଉତ୍ତର ପ୍ରଦେଶର ରାମପୁର ଆସନ ଉପରେ ମଧ୍ୟ ଦେଶବାସୀଙ୍କ ନଜର ରହିଥିଲା । ଏଠାରେ ବିଜେପି ପ୍ରାର୍ଥୀ ଜୟା ପ୍ରଦା ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ୍ ଖାନ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ଶେଷରେ ଆଜମ୍ ଖାନ୍ ବିଜୟୀ ହୋଇଛନ୍ତି । ଖବର ଲେଖାହେବା ବେଳକୁ ଆଜମ୍ ଖାନ୍ଙ୍କୁ ସର୍ବାଧିକ ୩,୮୩,୪୩୭ ଭୋଟ୍ ମିଳିଥିଲା ବେଳେ ବିଜେପି ପ୍ରାର୍ଥିନୀ ଜୟା ପ୍ରଦା ୨,୪୯,୫୬୭ ଭୋଟ୍ ପାଇ ଦ୍ୱିତୀୟରେ ରହିଛନ୍ତି । ନିର୍ବାଚନୀ ପ୍ରଚାରରେ ଜୟାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଆଜମ୍ ଖାନ୍ ବିବାଦୀୟ ହୋଇପଡ଼ିଥିଲେ । ତଥାପି ତାଙ୍କ ପଲା ଭାରି ରହିଛି । ୨୦୧୪ରେ ବିଜେପି ନେତା ଡ. ନଇପାଲ ସିଂହ ସର୍ବାଧିକ ୩,୫୮,୬୧୬ ଭୋଟ୍ ପାଇ ଏଠାରୁ ବିଜୟୀ ହୋଇଥିଲେ ।

ଲକ୍ଷେ୍ନରେ ପୁଣି ରାଜନାଥ
ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି ଆସନରୁ ନିର୍ବାଚନ ଲଢ଼ି ପୁଣି ବିଜୟୀ ହୋଇଛନ୍ତି । ଖବର ଲେଖାହେବା ବେଳକୁ ତାଙ୍କୁ ସର୍ବାଧିକ ୪,୮୭,୩୮୦ ଭୋଟ୍ ମିଳିଛି । ତାଙ୍କୁ ଟକ୍କର ଦେଉଥିବା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନାଙ୍କୁ ୨,୨୨,୬୨୬ ଭୋଟ୍ ମିଳିଥିବା ଜଣାପଡ଼ିଛି । ୨୦୧୪ ନିର୍ବାଚନରେ ରାଜନାଥ ସିଂହ ସର୍ବାଧିକ ୫,୬୧,୧୦୬ ଭୋଟ୍ ପାଇ ଜିତିଥିଲେ ।
ପୂର୍ବ ଦିଲ୍ଲୀରେ ଗମ୍ଭୀରଙ୍କ ବଡ଼ ସ୍କୋର
ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଏଥର ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇଥିବା କ୍ରିକେଟର ଗୌତମ ଗମ୍ଭୀର ବିଜୟ ହୋଇଛନ୍ତି । ଖବର ଲେଖାହେବା ବେଳକୁ ତାଙ୍କୁ ୩,୧୦,୦୮୬ ଭୋଟ୍ ମିଳିଛି । କଂଗ୍ରେସର ଅରବିନ୍ଦର ସିଂହ ଲଭ୍ଲି ପରାଜିତ ହୋଇଛନ୍ତି । ତାଙ୍କୁ ୧,୫୩,୨୭୯ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ ଥିବା ଆମ୍ ଆଦ୍ମି ପାର୍ଟିର ଆତିଶି ମାରଲେନାଙ୍କୁ ୧,୧୦,୧୨୮ ଭୋଟ୍ ମିଳିଛି । ଗଲାଥର ଏହି ଆସନରେ ବିଜେପିର ମହେଶ ଗିରି ସର୍ବାଧିକ ୫,୭୨,୨୦୨ ଭୋଟ୍ ପାଇ ଜିତିଥିଲେ । ଆପ୍ ନେତା ରାଜମୋହନ ଗାନ୍ଧୀ ୩,୮୧,୭୩୯ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ।

ଶାହ ଜିତିଲେ ଗାନ୍ଧୀ ନଗର
ଗୁଜରାଟର ଗାନ୍ଧୀ ନଗର ଲୋକସଭା ଆସନ ଫଳାଫଳ ଉପରେ ମଧ୍ୟ ଦେଶବାସୀଙ୍କ ନଜର ରହିଥିଲା । ୨୦୧୪ରେ ବିଜେପିର ବରିଷ୍ଠତମ ନେତା ଏଲ୍ କେ ଆଡ୍ଭାନୀ ସର୍ବାଧିକ ୭,୭୩,୫୩୯ ଭୋଟ୍ ପାଇ ବିଜୟୀ ହୋଇଥିଲେ । ଏଥର କିନ୍ତୁ ଶାହ ତାଙ୍କଠାରୁ ଅଧିକ ଭୋଟ୍ ପାଇ ବିଶାଳ ବିଜୟ ହାସଲ କରିଛନ୍ତି । ଶାହଙ୍କୁ ସର୍ବାଧିକ ୮,୭୪,୩୨୫ ଭୋଟ୍ ମିଳିଛି । ସେହିଭଳି ଏହି ଆସନରୁ ଲଢ଼ୁଥିବା କଂଗ୍ରେସର ସି ଜେ ଚାୱଡ଼ା ୩,୩୦,୯୦୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ପାଟନା ସାହିବରେ ଶତ୍ରୁଘ୍ନ ସିହ୍ନା ‘ଖାମୋସ୍’
ବିହାରର ଆଉ ଏକ ବଡ଼ ଆସନ ପାଟନା ସାହିବରେ ବିଜେପିର ବାଜିମାତ୍ ହୋଇଛି । ଏଠାରେ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କୁ ହରାଇଛନ୍ତି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଖବର ଲେଖାହେବା ବେଳକୁ ରବିଶଙ୍କରଙ୍କୁ ସର୍ବାଧିକ ୩,୫୪,୨୬୫ ଭୋଟ୍ ମିଳିଥିଲା ବେଳେ ସିହ୍ନାଙ୍କୁ ୧,୮୧,୩୮୯ ଭୋଟ୍ ମିଳିଛି । ୨୦୧୪ରେ ବିଜେପି ଟିକେଟ୍ରେ ଶତ୍ରୁଘ୍ନ ସିହ୍ନା ୪,୮୫,୯୦୫ ଭୋଟ୍ ପାଇ ଜିତିଥିଲେ । କିନ୍ତୁ ବାରମ୍ବାର ବିଜେପି ବିରୋଧରେ ବୟାନ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ । ଏମିତି କି ବିରୋଧୀ ଦଳଗୁଡ଼ିକର ସଭାରେ ମଧ୍ୟ ଯୋଗଦେଇ ସେ ଖୋଲାଖୋଲି ଭାବେ ବିଜେପିକୁ ଟାର୍ଗେଟ୍ କରୁଥିଲେ । ତେଣୁ ତାଙ୍କୁ ଏଥର ଟିକେଟ୍ ନ ଦେବାକୁ ବିଜେପି ନିଷ୍ପତ୍ତି ନେଇଥିଲା ।

ଗୁରଦାସପୁରରେ ସନ୍ନି ଦେଓଲ ଜିତିଲେ
ପଞ୍ଜାବର ଗୁରଦାସପୁର ଲୋକସଭା ଆସନରୁ ବିଜେପି ଟିକେଟ୍ରେ ଲଢ଼ିଥିବା ଅଭିନେତା ସନ୍ନି ଦେଓଲଙ୍କର ଜିତ୍ ହୋଇଛି । ସେ ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ଭାବେ ଲୋକଙ୍କ ହୃଦୟ ଜିଣିଥିବା ବେଳେ ଜଣେ ସଫଳ ନେତା ଭାବେ ମଧ୍ୟ ନିଜକୁ ପ୍ରମାଣିତ କରିଛନ୍ତି । ଖବର ଲେଖାହେବା ବେଳକୁ ସେ ସର୍ବାଧିକ ୫,୪୭,୭୮୧ ଭୋଟ୍ ପାଇ ଆଗୁଆ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତଥା ସାଂସଦ ସୁନୀଲ ଜାଖଡ଼ ୪,୭୦,୭୭୨ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଆସନରୁ ଅଭିନେତା ତଥା ବିଜେପି ନେତା ବିନୋଦ ଖନ୍ନା ସାଂସଦ ରହିଥିଲେ । କିନ୍ତୁ ଗତବର୍ଷ ତାଙ୍କର ଦେହାନ୍ତ ହୋଇଥିଲା । ୨୦୧୪ରେ ଖନ୍ନା ସର୍ବାଧିକ ୪,୮୨,୨୫୫ ଭୋଟ୍ ପାଇ ଜିତିଥିଲେ ।

ବେଗୁସରାଇରେ କହ୍ନୈୟା ଚିତ୍ପଟାଙ୍ଗ
ବିହାରର ଏହା ଏକ ହଟ୍ ସିଟ୍ ଥିଲା । କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହ ଏଠାରୁ ସିପିଆଇ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ଟକ୍କର ଦେଉଥିଲେ । କହ୍ନୈୟା କୁମାର ଏହି ଆସନରୁ ଜିତିବେ ବୋଲି ବହୁବାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କିନ୍ତୁ ବିଜେପି ପ୍ରାର୍ଥୀ ଗିରିରାଜ ସିଂହ ଏଠାରେ ୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛନ୍ତି । ତାଙ୍କୁ ସର୍ବାଧିକ ୬,୦୩,୫୨୨ ଭୋଟ୍ ମିଳିଥିଲା ବେଳେ କହ୍ନୈୟାଙ୍କୁ ୨,୩୬,୧୩୩ ଭୋଟ୍ ମିଳିଛି । ଏହି ଆସନରେ ୨୦୧୪ରେ ବିଜେପିର ଭୋଲା ସିଂହ ସର୍ବାଧିକ ୪,୨୮,୨୨୭ ଭୋଟ୍ ପାଇ ଜିତିଥିଲେ ।

ମୁଲାୟମଙ୍କୁ ପୁଣି ମୈନପୁରୀ
ଉତ୍ତର ପ୍ରଦେଶର ଅନ୍ୟତମ ପ୍ରମୁଖ ଆସନ ହେଉଛି ମୈନପୁରୀ । ଏଠାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଜିତିଛନ୍ତି । କିନ୍ତୁ ବିଜେପି ପ୍ରାର୍ଥୀ ପ୍ରେମ୍ ସିଂହ ଶାକ୍ୟଙ୍କ ସହ ତାଙ୍କର କଡ଼ା ମୁକାବିଲା ହୋଇଛି । ମୁଲାୟମଙ୍କୁ ୨,୫୫,୨୧୫ ଭୋଟ୍ ମିଳିଥିବା ବେଳେ ଶାକ୍ୟଙ୍କୁ ୨,୩୫,୬୨୭ ଆସନ ମିଳିଛି । ଗତଥର ମୁଲାୟମ ଏଠାରେ ସର୍ବାଧିକ ୫,୯୫,୯୧୮ ଭୋଟ୍ ପାଇ ଜିତିଥିଲେ ।

ଦେବେଗୌଡା ପରିବାରକୁ ଧକ୍କା
ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମେଣ୍ଟକୁ ବଡ଼ ଧକ୍କା ଲାଗିଛି । ବିଶେଷ କରି ଦେବେଗୌଡା ପରିବାରକୁ ବେଶୀ ନିରାଶ ହେବାକୁ ପଡିଛି । କର୍ଣ୍ଣାଟକରେ ସମୁଦାୟ ୨୮ଟି ଲୋକସଭା ଆସନରୁ ବିଜେପି ୮ଟିରେ ବିଜୟୀ ହୋଇଥିଲାବେଳେ ଆଉ ୧୬ଟିରେ ଆଗୁଆ ରହିଛି । କଂଗ୍ରେସ ଓ ଜେଡିଏସ ମେଣ୍ଟକୁ ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହାଯୋଗୁ ରାଜ୍ୟ ରାଜନୀତିରେ ବି ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି । ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡା ଓ ତାଙ୍କର ଜଣେ ନାତି ନିଖିଲ କୁମାରସ୍ୱାମୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ଏଚ ଡି ଦେବେଗୌଡା ତୁମକୁର ଆସନରୁ ହାରିଥିଲାବେଳେ ନିଖିଲ ମାଣ୍ଡ୍ୟା ଆସନରେ ହାରିଛନ୍ତି । ତେବେ ଦେବେଗୌଡାଙ୍କର ଆଉ ଜଣେ ନାତି ପ୍ରଜ୍ଜ୍ୱଳ ରେବଣା ହାସନ ଆସନରୁ ଜିତି ପରିବାରର ଇଜ୍ଜତ ବଞ୍ଚାଇ ଦେଇଛନ୍ତି । ଉଭୟ କଂଗ୍ରେସ ଓ ଜେଡିଏସ ନେତାମାନେ ଫଳାଫଳ ବାହାରିବା ପୂର୍ବରୁ କହିଥିଲେ କି ଫଳାଫଳ ଖରାପ ହେଲେ ମେଣ୍ଟ ସରକାର ଭାଙ୍ଗି ଯାଇପାରେ । ହେଲେ ଆଜି ଦୁଇ ଦଳର ନେତା କହିଛନ୍ତି କି ସେମାନେ ନିର୍ବାଚନ ଫଳାଫଳର ମିଳିତ ଭାବେ ସମୀକ୍ଷା କରିବେ ।