ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହେଲା ସଂସ୍କାରର ନୂଆ ଅଧ୍ୟାୟ । କାର୍ଯ୍ୟକାରୀ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦ । ପ୍ରାଥମିକ ଶିକ୍ଷାରେ ଶିଶୁ ବାଟିକାଠାରୁ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ବିଲ୍ ପାରିତ ପର୍ଯ୍ୟନ୍ତ ଲାଗୁହେଲା ଅନେକ ନୂଆ ଢାଞ୍ଚା । ପାଠ୍ୟକ୍ରମ ବଦଳିଲା, ଖାଲି ପଦବି ପୂରଣ ହେଲା । ସ୍କୁଲକୁ ମିଳିଲେ ଶିକ୍ଷକ, କଲେଜକୁ ଅଧ୍ୟାପକ । ଅବଶ୍ୟ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ କେଳେଙ୍କାରୀ ଯୁବ ପିଢ଼ିଙ୍କୁ ନିରାଶ କଲା । ସଂସ୍କାର ଆଣିବାକୁ ସରକାର ଗଠନ କଲେ ଓଡ଼ିଶା ଏକକ ସେବା କର୍ମଚାରୀ ଆୟୋଗ । ତା ସାଙ୍ଗକୁ ଆଉ ଏକ ଫର୍ଦ୍ଦ ଯୋଡ଼ିଲା ଉଚ୍ଚଶିକ୍ଷାରେ ପଛୁଆବର୍ଗ (ଏସ୍ଇବିସି) ସଂରକ୍ଷଣ ବ୍ୟବସ୍ଥା । ପୁଣି ଛାତ୍ରୀ ଆତ୍ମାହୁତି ପରେ ଆରମ୍ଭ ହେଲା ଶକ୍ତିଶ୍ରୀ ଯୋଜନା । ଶିକ୍ଷା କ୍ଷେତ୍ରରେ ଏମିତି ଅନେକ ଘଟଣାବଳୀର ସାକ୍ଷୀ ହେଲା ୨୦୨୫ପ୍ରସ୍ତୁତି: ଶୁଭ୍ରଜିତ୍ ବଳିଆରସିଂହ
୨୦୨୫ ଆରମ୍ଭରୁ ଶିକ୍ଷା କ୍ଷେତ୍ର ପାଇଁ ହେଲା ନୂଆ ନୂଆ ଯୋଜନା, ପରିକଳ୍ପନା । ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଲାଗି ସରକାର ଖୋଲି ଦେଲେ ହାତ ପାଣ୍ଠି । ଚଳିତ ବର୍ଷ ବଜେଟରେ ରେକର୍ଡ ୪୧,୨୭୩ କୋଟି ଟଙ୍କା ଶିକ୍ଷା ପାଇଁ ପ୍ରାବଧାନ ହେଲା । ଶିକ୍ଷା ପ୍ରତି ଏହା ଥିଲା ସର୍ବାଧିକ ଆନ୍ତରିକତା । ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲା ଜାତୀୟ ଶିକ୍ଷା ନୀତି ଲାଗୁ ସହ ଶିଶୁ ବାଟିକା ଭଳି ନୂଆ ପଦକ୍ଷେପରୁ । ଖଡ଼ି ଛୁଆଁ ଉତ୍ସବ କରାଇ ସ୍କୁଲରେ ପ୍ରବେଶ କରାଗଲା । ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସାଙ୍ଗକୁ ପିଏମଶ୍ର ସ୍କୁଲ ଯୋଜନାରେ ସାମିଲ ହୋଇଥିଲେ ୭୦୦ରୁ ଅଧିକ ହାଇସ୍କୁଲ । ପିଲାଙ୍କୁ ଭଲ ପୋଷଣ ଯୋଗାଇଦେବା ପାଇଁ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ଏଥିରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିଲା ମଧ୍ୟାହ୍ନଭୋଜନ । ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ତିଆରି ହେଲା ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, କୁଳପତି ନିଯୁକ୍ତି ପାଇଁ ବାଟ ଫିଟାଇଲେ ସରକାର । ରାତିସାରା ବସିଲା ବିଧାନସଭା, ପାରିତ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ବିଧେୟକ । ରାଜ୍ୟକୁ ମିଳିଲା ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ । ଏତେସବୁ ଯୁଗାନ୍ତକାରୀ ପଦକ୍ଷେପ ପରେ ବି ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍, ଏସ୍ଆଇ ନିଯୁକ୍ତି କେଳେଙ୍କାରୀରେ ବଦନାମ ହେଲେ ସରକାର । ଓଡ଼ିଶା ଏକକ ସେବା କର୍ମଚାରୀ ଆୟୋଗ ଭଳି ପଦକ୍ଷେପ ନେଇ ଏଥିରେ ସଂସ୍କାର ଆଣିଲେ । ନୂଆ ନୂଆ ଯୋଜନା ସହ ୨୦ ହଜାରରୁ ଅଧିକ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିଲେ । ଯୁବ ପିଢ଼ିଙ୍କ ମୁହଁରେ ହସ ଫୁଟାଇଲେ ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୨୪
ଓଡ଼ିଶା ରାଜ୍ୟ ବିଶ୍ୱବିଦ୍ୟାଳୟମାନଙ୍କରେ ନିଯୁକ୍ତି କଟକଣା ହଟିଲା । ଉଚ୍ଚଶିକ୍ଷାରେ ନୂଆ ସୂର୍ଯ୍ୟୋଦୟ ହେଲା । ରାଜ୍ୟରେ ସରକାର ଆଣିଲେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ । ଗତ ଏପ୍ରିଲ୍-୨ ତାରିଖରେ ବିଧାନସଭାରେ ରାତିତମାମ ଏହା ଉପରେ ଆଲୋଚନା ହେଲା । ବିଧେୟକ ପାରିତ କରାଗଲା । ଏହାର ଠିକ୍ ୧୦ ଦିନ ପରେ ଏହି ବିଧେୟକକୁ ସ୍ୱୀକୃତି ଦେଲେ ରାଜ୍ୟପାଳ । ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଥିଲା ଏକ ବୈପ୍ଳବିକ ପରିବର୍ତ୍ତନ ଯାହାକି ରାଜ୍ୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତିର ବାଟ ଫିଟାଇଲା ।
ଶିକ୍ଷା ସଂସ୍କାରରେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍’
ଦେଶରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଣିଲେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍-୨୦୨୫’ । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରିଛନ୍ତି । ଏହି ବିଲ୍ ଉଚ୍ଚଶିକ୍ଷାନୁଷ୍ଠାନକୁ ସ୍ୱାୟତ୍ତତା ପ୍ରଦାନ ସହ ସଶକ୍ତ କରିବ । ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ଶିକ୍ଷାଦାନ, ଶିକ୍ଷଣ, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଶକ୍ତିଶାଳୀ କରିବ । ଏହା ଦ୍ୱାରା ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ ଓ ଏନ୍ସିଟିଇ ଅଧୀନରେ ଥିବା ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନର ଅଧୀନରେ ରହିବେ ।
୬ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ
ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦନ ହୋଇଥିବା ୫୭ କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ଓଡ଼ିଶା ପାଇଛି ୬ ।
ସୋଆ ପୁଣି ନମ୍ୱର-୧
ଉନ୍ନତ ମାନର ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ହୋଇଛି ଓଡ଼ିଶାର ୧ ନମ୍ବର ଶିକ୍ଷାନୁଷ୍ଠାନ । ଗତ ୧୦ ବର୍ଷ ହେବ ୧ ନମ୍ବରରେ ରହୁଛି । ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆରଏଫ୍) ରାଙ୍କିଙ୍ଗସ୍-୨୦୨୫ରେ ଓଡ଼ିଶାର ଏକ ନମ୍ୱର ବିଶ୍ୱବିଦ୍ୟାଳୟ ଭାବେ ପୁଣି ଥରେ ଦବଦବା ଜାହିର କରିଛି ସୋଆ । କ୍ରମାଗତ ୧୦ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସୁଛି । ଏଥି ମଧ୍ୟରୁ ୮ ବର୍ଷ ହେବ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି । ଗତ ୩ବର୍ଷ ହେଲା ଲଗାତାର ସୋଆ ୧୫ତମ ରାଙ୍କିଙ୍ଗ ମଧ୍ୟରେ ରହିଆସୁଛି । ଚଳିତଥର ସୋଆ ଶ୍ରେଷ୍ଠ ୧୮ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ ବର୍ଗ(ଓଭରଅଲ୍ କ୍ୟାଟେଗୋରି)ରେ ୨୫ ତମ ସ୍ଥାନ ହାସଲ କରିଛି ।
ସିବିଏସ୍ଇର ଦୁଇ ବୋର୍ଡ ପରୀକ୍ଷା
ଚଳିତ ଶିକ୍ଷା ବର୍ଷରୁ ସିବିଏସ୍ଇ ବର୍ଷକୁ କରିବ ଦୁଇଟି ବୋର୍ଡ ପରୀକ୍ଷା । ପ୍ରଥମ ପରୀକ୍ଷାଟି ସବୁ ଛାତ୍ରଛାତ୍ରୀଙ୍କ ଲାଗି ବାଧ୍ୟତାମୂଳକ, ଦ୍ୱିତୀୟଟି ଇଚ୍ଛାଧୀନ ହେବ । ଅର୍ଥାତ୍ ପରୀକ୍ଷାର୍ଥୀମାନେ ସେମାନଙ୍କର ସ୍କୋର ବା ମାର୍କରେ ଉନ୍ନତି ଆଣିବାକୁ ଚାହୁଁଥିଲେ ଇଚ୍ଛାଧୀନ ପରୀକ୍ଷାରେ ସାମିଲ ହୋଇପାରିବେ ।
ସ୍କୁଲରେ ଜାତୀୟ ଶିକ୍ଷା ନୀତି ୨୦୨୦
ବର୍ଷ ଆରମ୍ଭରୁ ସରକାର ନିଷ୍ପତ୍ତି ନେଲେ ସ୍କୁଲ ଶିକ୍ଷାରେ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଲାଗୁ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସହ ସ୍ଥାନୀୟ ପ୍ରସଙ୍ଗକୁ ଭିତ୍ତି କରି ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ମଧ୍ୟ ସାମିଲ ହେବ । ଏଥିଲାଗି ଗଠନ ହୋଇଛି ରାଜ୍ୟ ଷ୍ଟିଅରିଂ କମିଟି । ଭୋପାଳ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ହେଉଛନ୍ତି ରାଜ୍ୟ ଷ୍ଟିଅରିଂ କମିଟି ଅଧ୍ୟକ୍ଷ । ଏହି କମିଟି ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା (ଏନ୍ସିଏଫ୍)କୁ ବିକଶିତ କରୁଛନ୍ତି ।
ନୂଆ ଏସସିଇଆରଟି ବହି
ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ‘ପାଇକ ବିଦ୍ରୋହ’ ସହିତ ରହିଛି ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ । ଏଥିରେ ଓଡ଼ିଶାର ପାଇକ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ, ପଞ୍ଚାବର କୁକା ଆନ୍ଦୋଳନ, ଶିଖ୍ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଶିଶୁ ବାଟିକା ଆରମ୍ଭ
୨୦୨୫ର ଏକ ବଡ଼ ଅବଦାନ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିଶୁ ବାଟିକା । ଛୋଟ ପିଲାଙ୍କ ମାନସିକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ରାଜ୍ୟର ୪୫ ହଜାର ସ୍କୁଲରେ ଶିଶୁ ବାଟିକା ଶ୍ରେଣୀ ଖୋଲାଯାଇଛି । ଶିଶୁ ବାଟିକା ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ବିକଶିତ କରାଯାଉଛି ପାଠ୍ୟକ୍ରମ । ସେମାନଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଶିଶୁ ସେବିକା ନିଯୁକ୍ତି ମାର୍ଗଦର୍ଶିକା ରହିଛି ।
ସ୍କୁଲ ପିଲାଙ୍କୁ ମାଗଣା ବସ୍
ରାଜ୍ୟର ସରକାରୀ ସ୍କୁଲ ଛାତ୍ରଛାତ୍ରୀ ମାଗଣାରେ ଯିବେ ବସ୍ରେ । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଯାତ୍ରା ସୁବିଧା ମିଳିବ । ଯେପରି ରାଜ୍ୟର ଅଧିକାଂଶ ସ୍କୁଲକୁ ଏହି ସେବା ପହଞ୍ଚି ପାରିବ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରୁଛି ଗଣଶିକ୍ଷା ବିଭାଗ ।
ଯୁକ୍ତ ଦୁଇ ସିଲାବସରେ ପରିବର୍ତ୍ତନ
ଯୁକ୍ତ ଦୁଇ ପାଠ୍ୟକ୍ରମରେ ଯୋଡ଼ିଛି ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା । ପରିବେଶ ଶିକ୍ଷାକୁ ଇଂରାଜୀ ବିଷୟରେ, ମୂଲ୍ୟବୋଧ ଶିକ୍ଷାକୁ ଏମ୍ଆଇଏଲ୍ରେ ସାମିଲ କରାଯାଇଛି ।
ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ ନିଯୁକ୍ତି
ରାଜ୍ୟରେ ୪୯୬ ଜଣ ଟିଜିଟି ଓଡ଼ିଆ ଶିକ୍ଷକ ନିଯୁକ୍ତି ପଦବି ସୃଷ୍ଟି ହୋଇଛି । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୩୧୪ଟି ଓଡ଼ିଶା ଶିକ୍ଷକ ପଦବି ସୃଷ୍ଟି କରାଯାଇଛି ।
ସ୍ୱପ୍ନରେ ରହିଗଲା ଛାତ୍ର ନିର୍ବାଚନ
ନୂଆ ସରକାରର ଅନେକ ସଫଳତା ଭିତରେ ସ୍ୱପ୍ନରେ ରହିଗଲା ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନ ହେବ ବୋଲି କଲେଜ, ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ରହିଲେ । ହେଲେ ସରକାର କୌଣସି ବିଜ୍ଞପ୍ତି ଜାରି କଲେ ନାହିଁ । ବିରୋଧୀ ଏହାକୁ ନେଇ ଆନ୍ଦୋଳନ ମଧ୍ୟ କଲେ ।
ବଢ଼ିଲା ଏସସି, ଏସ୍ଟି ଛାତ୍ରବୃତ୍ତି
ଅନୁସୂଚିତ ଜାତି, ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ମାଧ୍ୟମିକ ସ୍କୁଲରେ ଅଧ୍ୟୟନରତ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ବାର୍ଷିକ ୧୬ ହଜାରରୁ ୧୭ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ଅନ୍ୱେଷା ଛାତ୍ରାବାସରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ୧୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଉଚ୍ଚଶିକ୍ଷାରେ ଏସଇବିସିଙ୍କୁ ସଂରକ୍ଷଣ
ରାଜ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନରେ ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି ଉଚ୍ଚଶିକ୍ଷା ବିଭାଗ । ଏହା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଯୁକ୍ତ ଦୁଇ, ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସ୍ନାତକ ପାଠ୍ୟକ୍ରମ ଓ ବିପିଏଡ୍, ଏମ୍ପିଏଡ୍ରେ ଏହି ସଂରକ୍ଷଣ ଲାଗୁ ହେବ । ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବୈଷୟିକ ଶିକ୍ଷାରେ ଲାଗୁ କରିବାକୁ ଯୋଜନା ଚାଲିଛି।
ସରକାରୀ ନିଯୁକ୍ତି ବର୍ଷା
ମୋହନ ସରକାରରେ ସରକାରୀ ନିଯୁକ୍ତିର ବର୍ଷା ହେଉଛି । ସରକାରର ୧୮ ମାସରେ ୧୩ଟି ନିଯୁକ୍ତି ମେଳା ମାଧ୍ୟମରେ ୩୮ ହଜାର ସରକାରୀ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଫେବ୍ରୁଆରୀରେ ୬୩୯୦ଟି ନିଯୁକ୍ତି ଦେଇଥିଲେ । ମାର୍ଚ୍ଚରେ ୮୧୨, ଜୁନ୍ ୬ ତାରିଖରେ ୧୨୯୬ ଜଣଙ୍କୁ ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପତ୍ର ଦେଇଥିଲେ । ଏହାର ଠିକ୍ ୧୦ ଦିନ ପରେ ଅର୍ଥାତ୍ ଜୁନ୍ ୧୬ ତାରିଖରେ ୯୬୪ ଜଣ, ସେପ୍ଟେମ୍ବରରେ ୧୬୮୬, ନଭେମ୍ବରରେ ୭୨୯୩, ଡିସେମ୍ବର ୧୧ରେ ୫୯୧ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।
ତୃତୀୟ ଶ୍ରେଣୀରୁ ଏଆଇ
ଦେଶର ସମସ୍ତ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ କୃତ୍ରିମ ବୁଦ୍ଧିମତା (ଏଆଇ) ପାଠ୍ୟକ୍ରମ ସାମିଲ ହେବ। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ଏପରି ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛି ଶିକ୍ଷା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ୨୦୨୬-୨୭ ଶିକ୍ଷା ବର୍ଷରୁ ଏଆଇ, କମ୍ପ୍ୟୁଟେସନାଲ୍, ଥିଙ୍କିଙ୍ଗ୍ ପାଠ୍ୟକ୍ରମ ପଢିବେ ଛାତ୍ରଛାତ୍ରୀ।
ବିଦେଶ ଛାତ୍ରବୃତ୍ତି
ପ୍ରତିବର୍ଷ ୫୦ ଜଣ ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ମିଳିବ ବିଦେଶ ଶିକ୍ଷା ବୃତ୍ତି । ୫୦ ଜଣଙ୍କ ଭିତରେ ରହିବ ବୈଷୟିକ ଶିକ୍ଷା, ମେଡିକାଲ, କୃଷି, ଆର୍କିଟେକଚର ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା । ଜଣକୁ ସର୍ବାଧିକ ବାର୍ଷିକ ୨୫ ଲକ୍ଷ ଟଙ୍କା ଛାତ୍ରବୃତ୍ତି ମିଳିବ । ଦୁଇ ବର୍ଷରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଶକ୍ତିଶ୍ରୀ ଯୋଜନା ଆରମ୍ଭ
ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଶକ୍ତିଶ୍ରୀ ଯୋଜନା’ର ଆରମ୍ଭ ହୋଇଛି । ଏହି ଯୋଜନାରେ କଲେଜ, ବିଶ୍ୱବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର, ଶକ୍ତି ମୋବାଇଲ ଆପ୍, ସେଫ୍ କ୍ୟାମ୍ପେନ୍, କ୍ୟାମ୍ପସ ସୁରକ୍ଷା ରିପୋର୍ଟ, କ୍ୟାମ୍ପସ ସୁରକ୍ଷା ରିପୋର୍ଟ, ସିସିଟିଭି କ୍ୟାମେରା, କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ, ୨୦୧୩ ସଂପର୍କରେ ଅନ୍ଲାଇନ କୋର୍ସ ଭଳି ପଦକ୍ଷେପ ନିଆଯାଇଛି ।
୭୩୬ ସ୍କୁଲରେ ପିଏମ୍ଶ୍ରୀ
ପିଏମ୍ଶ୍ରୀ ଯୋଜନାରେ ଓଡ଼ିଶାର ୭୩୬ ହାଇସ୍କୁଲକୁ ସାମିଲ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୪୩୬ଟି ହାଇସ୍କୁଲରେ ବିଭିନ୍ନ କାର୍ଯ୍ୟର କାର୍ଯ୍ୟାନ୍ୱୟନ ପାଇଁ ୧ କୋଟି ୨୨ ଲକ୍ଷ ୬୩ ହଜାର ୭୨୯ ଟଙ୍କା ମଞ୍ଜୁର ହୋଇଛି । ପିଏମ୍ଶ୍ରୀ ଯୋଜନାରେ ସାମିଲ ଥିବା ସ୍କୁଲ ମାନଙ୍କର ଖେଳ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛି ଗଣଶିକ୍ଷା ବିଭାଗ । କ୍ରୀଡ଼ା କ୍ଷେତ୍ରରେ ପିଲାମାନେ ଉତ୍କର୍ଷତା ଆଣି ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ପ୍ରତି ସ୍କୁଲକୁ ବର୍ଷକୁ ସାଢ଼େ ୭ ଲକ୍ଷ ଟଙ୍କା ପ୍ରଦାନ ଘୋଷଣା ହୋଇଛି ।
ହାଇସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ
ନୂଆକରି ଆରମ୍ଭ ହେଲା ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ । ଆଗରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପାଉଥିଲେ । ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ସହ ଅତିରିକ୍ତ ମିଳିଲା ପୋଷଣ ଲଡୁ଼ ଓ ଅଣ୍ଡା । ଏଥିପାଇଁ ବଜେଟ ରହିଲା ଅତିରିକ୍ତ ୫୭୦.୭୧ କୋଟି । ଚଳିତବର୍ଷ ୩ଥର ମଧ୍ୟାହ୍ନ ଭୋଜନ ଦର ବୃଦ୍ଧି ହୋଇଛି । ରାଜ୍ୟ ସରକାର ମାର୍ଚ୍ଚ ୧୪ରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଥିଲେ । ୧ ଟଙ୍କା ଲେଖାଏ ବଢ଼ାଇଥିଲେ । ପୁଣି ଏପ୍ରିଲ୍ ୬ ତାରିଖରେ କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୭୪ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୧ ଟଙ୍କା ୧୨ ପଇସା ବୃଦ୍ଧି କରିଥିଲେ । ଏହାପରେ ପୁଣି ଜୁନ୍ ୨୦ ତାରିଖରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ୨ ଟଙ୍କା ୯୨ ପଇସା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଥିଲେ । ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ୧୧ ଟଙ୍କା ୧୫ ପଇସା, ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀଙ୍କ ପାଇଁ ମୁଣ୍ଡ ପିଛା ୧୪ ଟଙ୍କା ୭୪ ପଇସା ମିଳୁଛି ।
ଓଡ଼ିଶା କରିକୁଲମ୍ ଫ୍ରେମ୍ୱାର୍କ
ଜାତୀୟ କରିକୁଲମ ଫ୍ରେମ୍ୱାର୍କ ଭଳି ରାଜ୍ୟରେ ପ୍ରଚଳନ ହୋଇଛି ଓଡ଼ିଶା କରିକୁଲମ୍ ଫ୍ରେମ୍ୱାର୍କ ଫର ସ୍କୁଲ ଏଜୁକେସନ୍ (ଓସିଏଫ୍ଏସ୍ଇ)- ୨୦୨୫ । ଏଥିରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଏନ୍ସିଇଆର୍ଟି ପାଠ୍ୟପୁସ୍ତକ ଢାଞ୍ଚାରେ ସ୍କୁଲ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି । ଶିଶୁ ବାଟିକାଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏ ସମସ୍ତ ଶ୍ରେଣୀର ପାଠ୍ୟପୁସ୍ତକ ପରିବର୍ତ୍ତନ ହେବ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଛି ପଢ଼ିବା, ଗଢ଼ିବା ଓଡ଼ିଶା । ସରଳ କାହାଣୀ ପୁସ୍ତକ ମାଧ୍ୟମରେ ପିଲାଙ୍କ ପଢ଼ିବା ଓ ବୁଝିବା ଶକ୍ତିକୁ ବିକଶିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।