ଭାରତୀୟ କ୍ରୀଡ଼ା ପାଇଁ ୨୦୨୫ ଥିଲା ଗୌରବର ବର୍ଷ । ବର୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ରହିଥିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ହାସଲ । ୨୦୩୦ ସଂସ୍କରଣ ଅହମ୍ମଦାବାଦରେ ଆୟୋଜିତ ହେବ । ଦୁଇ ଦଶନ୍ଧିର ବ୍ୟବଧାନ ପରେ ଦ୍ୱିତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ଫେରିବ । ସେମିତି ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍ କ୍ରିକେଟରେ ଚାମ୍ପିଅନ, ସ୍କ୍ୱାଶରେ ପ୍ରଥମ ବିଶ୍ୱ ଟାଇଟଲ, ସାତ୍ତ୍ୱିକ-ଚିରାଗଙ୍କୁ ବ୍ରୋଞ୍ଜ ଏବଂ ଜୁନିୟର ପୁରୁଷ ହକି ବିଶ୍ୱକପ୍ରେ ବ୍ରୋଞ୍ଜ ପଦକ କ୍ରୀଡ଼ା ଇତିହାସରେ ଚଳିତ ବର୍ଷକୁ ସ୍ମରଣୀୟ କରି ରଖିବ । (ବିମଳ କୁମାର ରାଉଳ)
ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା
୨୦୧୦ରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା । ପୁଣି ଦୁଇ ଦଶନ୍ଧି ପରେ ଦ୍ୱିତୀୟ ଥର ଭାରତକୁ ଫେରିବାକୁ ଯାଉଛି ଏହି କ୍ରୀଡ଼ା । ଅର୍ଥାତ ୨୦୩୦ ସଂସ୍କରଣର ଆୟୋଜନ ଅଧିକାର ଭାରତ ହାସଲ କରିଛି । ଅହମ୍ମଦାବାଦ ଆୟୋଜକ ସହର ଭାବେ ଘୋଷଣା ହୋଇ ସାରିଛି । ଅହମ୍ମଦାବାଦ ସମେତ ଦେଶର ବିଭିନ୍ନ ସହରରେ କିଛି ଇଭେଣ୍ଟ ଆୟୋଜିତ ହେବ ।
କେବଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ନୁହେଁ, ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଏବଂ ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା ନେଇ ଭାରତ ଆଶାୟୀ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବିଭିନ୍ନ କ୍ରୀଡ଼ା ମହାକୁମ୍ଭ ଦେଶରେ ଆୟୋଜନ କରିବା ନେଇ ଆଗ୍ରହୀ ରହିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନେଇ ବିଡ୍ ଦାଖଲ କରିଥିଲା ଭାରତୀୟ ଅଲିମ୍ପିକ୍ସ ସଂଘ ଏବଂ ଏଥିରେ ବିଜୟୀ ହୋଇଥିଲା । ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ମଧ୍ୟ ଭାରତ ବିଡ୍ ଦାଖଲ କରିବା ନେଇ ପ୍ରସ୍ତୁତି ଚଳାଇଛି । ୨୦୩୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଶହେ ବର୍ଷ ପୂରଣ ହେବ । ଏହି ଶତବାର୍ଷିକୀ ସଂସ୍କରଣକୁ ମହାସମାରୋହରେ ପାଳନ କରିବା ପାଇଁ ନୂଆ ବର୍ଷରୁ ପ୍ରସ୍ତୁତ ଆରମ୍ଭ କରିବ ଭାରତ ।
ଭାରତକୁ ତୃତୀୟ ଚାମ୍ପିଅନ୍ସ ଟ୍ରଫି
ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ଓ ୟୁଏଇରେ ଆୟୋଜିତ ହୋଇଥିଲା ଆଇସିସି ଚାମ୍ପିଅନ୍ସ ଟ୍ରଫି । ଯାହାକୁ ମିନି ବିଶ୍ୱକପ୍ ମଧ୍ୟ କୁହାଯାଏ । ୮ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରି ନଥିଲା । ତେଣୁ ନିରପେକ୍ଷ ଭେନ୍ୟୁ ୟୁଏଇରେ ସମସ୍ତ ମ୍ୟାଚ୍ ଖେଳିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଟପ୍ପର ହୋଇ ଶେଷରେ ନକ୍ ଆଉଟ୍କୁ ଉନ୍ନୀତ ହୋଇଥିଲା । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିଥିଲା ଭାରତ । ଶେଷରେ ଭାରତ ୪ ୱିକେଟ୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ନ୍ୟୁଜିଲାଣ୍ଡ ଓ ଭାରତ ଫାଇନାଲ ଖେଳିଥିଲେ । ଭାରତ ୪ ୱିକେଟ୍ରେ ବିଜୟୀ ହୋଇଥିଲା । ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିବାରୁ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଭାରତ ଏହା ପୂର୍ବରୁ ୨୦୦୨ ଓ ୨୦୧୩ରେ ଟାଇଟଲ ହାସଲ କରିଥିଲା ।
ସାତ୍ତ୍ୱିକ-ଚିରାଗଙ୍କୁ ବ୍ରୋଞ୍ଜ
ପ୍ୟାରିସରେ ଅଗଷ୍ଟ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପ୍ । ୧୫ ଜଣିଆ ଭାରତୀୟ ଦଳ ୫ଟି ଇଭେଣ୍ଟରେ ଭାଗ ନେଇଥିଲେ । ଶେଷରେ ପୁରୁଷ ଡବଲ୍ସରେ ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ସେମି ଫାଇନାଲରେ ୧-୨ରେ ଚୀନର ଚେନ ବୟାଙ୍ଗ-ଲିଉ ୟିଙ୍କ ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ ।
ସିଏଏଫ୍ଏ ନେସନ୍ସ କପ୍ରେ ତୃତୀୟ
ପୁରୁଷ ଫୁଟବଲ ଦଳର ନୂଆ କୋଚ ଖାଲିଦ ଜାମିଲଙ୍କ ଅଧିନରେ ଭାରତ ସିଏଏଫ୍ଏ ନେସନ୍ସ କପ୍ ଖେଳିଥିଲା । ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ତାଜିକିସ୍ତାନ ଓ ଉଜବେକିସ୍ତାନରେ ଆୟୋଜିତ ହୋଇଥିଲା । ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ପାଇଁ ଓମାନ ସହ ଲଢ଼େଇ କରିଥିଲା । ମ୍ୟାଚ୍ ନିର୍ଦ୍ଧାରିତ ସମୟ ଓ ଅତିରିକ୍ତ ସମୟରେ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ଶେଷରେ ଭାରତ ପେନାଲ୍ଟି ସୁଟଆଉଟ୍ରେ ୩-୨ ଗୋଲରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଲାଭ କରିଥିଲା ।
ଆର୍ସିବି ପ୍ରତୀକ୍ଷାର ଅନ୍ତ
ଆଇପିଏଲର ୧୮ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମ ଥର ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା । ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ଆରମ୍ଭ ହୋଇଥିଲା । ପୁଣି ମେ’ ୯ ତାରିଖରୁ ବନ୍ଦ ରହିଥିଲା । ପୁଣି ମେ’ ୨୫ରୁ ଆରମ୍ଭ ହୋଇ ଜୁନ ୩ ତାରିଖରେ ଶେଷ ହୋଇଥିଲା ।
ଫାଇନାଲ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୯ ୱିକେଟ୍ରେ ୧୯୦ ରନ୍ କରିଥିଲା । ଜବାବରେ ପଞ୍ଜାବ କିଙ୍ଗ୍ସ ୭ ୱିକେଟ୍ରେ ୧୮୪ ରନ କରିବାରେ ସଫଳ ହୋଇଥିଲା । କୃନାଲ ପାଣ୍ଡ୍ୟା ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଦୀର୍ଘ ୧୮ ବର୍ଷ ପରେ ବିରାଟ କୋହଲିଙ୍କର ଆଇପିଏଲ ଟାଇଟଲ ସ୍ୱପ୍ନ ପୂରା ହୋଇଥିଲା ।
ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ, ଭାରତୀୟଙ୍କ ସ୍ୱର୍ଣ୍ଣ ବର୍ଷା
ଗ୍ରେଟର ନୋଏଡାରେ ଆୟୋଜିତ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସରେ ସ୍ୱର୍ଣ୍ଣ ପଦକ ବର୍ଷା କରିଥିଲେ ଭାରତୀୟ ବକ୍ସର । ଭାରତ ୯ଟି ସ୍ୱର୍ଣ୍ଣ ଓ ୫ଟି ରୌପ୍ୟ ସହ ମୋଟ ୧୪ଟି ପଦକ ହାସଲ କରିଥିଲା । ଷ୍ଟାର୍ ମହିଳା ବକ୍ସର ନିଖତ ଜରିନ (୫୧କିଲୋ), ଯସ୍ମିନ ଲାମ୍ବୋରିଆ (୫୭କିଲୋ), ପରବୀନ ହୁଡ଼ା (୬୦କିଲୋ), ମୀନାକ୍ଷୀ ହୁଡ଼ା (୪୮କିଲୋ), ପ୍ରୀତି ପାୱାର (୫୪କିଲୋ), ଅରୁନ୍ଧତୀ ଚୌଧୁରୀ (୭୦କିଲୋ), ନୂପୁର (+୮୦କିଲୋ), ସଚିନ (୬୦କିଲୋ), ହିତେଶ (୭୦କିଲୋ) ଜିତିଥିଲେ ସ୍ୱର୍ଣ୍ଣ ପଦକ ।
ମହିଳା ୪୮କିଲୋ ବର୍ଗ ଫାଇନାଲ୍ରେ ମୀନାକ୍ଷୀ ୫-୦ରେ ଉଜବେକିସ୍ତାନର ଫର୍ଜୋନା ଫୋଜିଲୋଭାଙ୍କୁ ହରାଇଥିବାବେଳେ ପ୍ରୀତି (୫୪କିଲୋ) ୫-୦ରେ ଇଟାଲୀର ସିରିନ ଚାରାବିଙ୍କୁ, ଅରୁନ୍ଧତୀ (୭୦କିଲୋ) ୫-୦ରେ ଉଜବେକିସ୍ତାନର ଅଜିଜା ଜୋକିରୋଭାଙ୍କୁ, ନୂପୁର (+୮୦କିଲୋ) ୩-୨ରେ ଉଜବେକିସ୍ତାନର ସୋତିମବୋଏଭା ଓଲ୍ଟିନୟଙ୍କୁ, ଜରିନ (୫୧କିଲୋ) ୫-୦ରେ ଚାଇନିଜ୍ ତାଇପେ’ର ଜୁଆନ ୟି ଗୌଙ୍କୁ, ଯସ୍ମିନ (୫୭କିଲୋ) ତାଇପେ’ର ଉୟୁ ଶିହ ୟିଙ୍କୁ ଏବଂ ପରବୀନ (୬୦କିଲୋ) ଜାପାନର ତାଗୁଚି ଆୟକାଙ୍କୁ ପରାଜିତ କରିଥିଲେ । ପୁରୁଷ ୬୦କିଲୋ ବର୍ଗ ଫାଇନାଲ୍ରେ ସଚିନ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ବିଜେତା କିର୍ଗିଜସ୍ତାନର ମୁନାରବେକ ସିତବେକ ଉଲୁଙ୍କୁ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେହିପରି ହିତେଶ (୭୦କିଲୋ) ଅନ୍ୟ କାଜାଖସ୍ତାନ ପ୍ରତିଯୋଗୀ ମୁର୍ସାଲ ନୁରବେକଙ୍କୁ ହରାଇ ସ୍ୱର୍ଣ୍ଣ ଭେଟି ଦେଇଥିଲେ ।
ବିଶ୍ୱ ପାରା ଆଥଲେଟିକ୍ସରେ ୨୨ ପଦକ
ପ୍ରଥମ ଥର ଭାରତ ଆୟୋଜନ କରିଥିଲା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ । ଦିଲ୍ଲୀର ଜବାହାରଲାଲ୍ ନେହରୁ ଷ୍ଟାଡିୟମରେ ସେପ୍ଟେମ୍ବର ୨୭ରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖରେ ଶେଷ ହୋଇଥିଲା । ୧୦୦ଟି ଦେଶରୁ ୧୧୮୨ ଜଣ କ୍ରୀଡ଼ାବିତ ବିଭିନ୍ନ ଇଭେଣ୍ଟରେ ଭାଗ ନେଇଥିଲେ । ଆୟୋଜକ ଭାରତ ମୋଟ୍ ୨୨ଟି ପଦକ ଜିତିବାରେ ସଫଳ ହୋଇଥିଲା । ଯେଉଁଥିରେ ୬ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା । ବ୍ରାଜିଲ ସର୍ବାଧିକ ୪୪ଟି ପଦକ (୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ) ଜିତି ଚାମ୍ପିଅନ ଓ ଚୀନ ଦ୍ୱିତୀୟ (୧୩ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ) ସ୍ଥାନ ହାସଲ କରିଥିଲା ।
ଜୁନିୟର ହକି ବିଶ୍ୱକପ୍ରେ ବ୍ରୋଞ୍ଜ
ଚେନ୍ନାଇରେ ଆୟୋଜିତ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍ରେ ଜର୍ମାନୀ ଚାମ୍ପିଅନ ହୋଇଥିବାବେଳେ ସ୍ପେନ ରୌପ୍ୟ ଏବଂ ଆୟୋଜକ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ୪-୨ ଗୋଲରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇଥିଲା । ଓଡ଼ିଆ ଖେଳାଳି ଅନମୋଲ ଏକ୍କା ୫୮ ମିନିଟରେ ଗୋଲ ସ୍କୋର କରିଥିଲେ । ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଫାଇନାଲରେ ଜର୍ମାନୀ ୧-୧ (୩-୨) ପେନାଲ୍ଟି ସୁଟ୍ ଆଉଟ୍ରେ ସ୍ପେନକୁ ପରାଜିତ କରି ଅଷ୍ଟମ ଥର ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା । ଫାଇନାଲ ମ୍ୟାଚ୍ ଜର୍ମାନୀ ଓ ସ୍ପେନ ମଧ୍ୟରେ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ୨୬ ମିନିଟରେ ଜର୍ମାନୀ ଓ ୩୬ ମିନିଟରେ ସ୍ପେନ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ମ୍ୟାଚ ସୁଟ୍ ଆଉଟ୍କୁ ଯାଇଥିଲା । ଜର୍ମାନୀ ୩-୨ ଗୋଲରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା । ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ପ୍ରତ୍ୟେକ ଖେଳାଳିଙ୍କୁ ୫ ଲକ୍ଷ ଏବଂ ସହଯୋଗୀ କର୍ମଚାରୀଙ୍କୁ ୨.୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମିଳିଥିଲା ।
ଏସିଆ କପ୍ରେ ଭାରତର ଦବଦବା
ଏସିଆ କପ୍ କ୍ରିକେଟର ୧୭ତମ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା । ଏଥର ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଖେଳାଯାଇଥିଲା । ବହୁ ବିଳମ୍ବରେ ସୂଚୀ ଘୋଷଣା ହୋଇଥିଲା । ଶେଷରେ ସେପ୍ଟେମ୍ବର ୯ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହୋଇଥିଲା ।
ଭାରତ ଓ ପାକିସ୍ତାନ ଫାଇନାଲ ଖେଳିଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ୧୪୬ ରନ୍ କରିଥିଲା । ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ତିଳକ ବର୍ମା ଅପରାଜିତ ୬୯ ରନ କରି ଦଳକୁ ଜିତାଇଥିଲେ । ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ପ୍ରଥମ ସ୍କ୍ୱାଶ ବିଶ୍ୱ ଟାଇଟଲ
ଭାରତୀୟ ସ୍କ୍ୱାଶ୍ ଦଳ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇ ଇତିହାସ ରଚିଛି । ଚେନ୍ନାଇରେ ଆୟୋଜିତ ସ୍କ୍ୱାଶ୍ ବିଶ୍ୱକପ୍ର ଫାଇନାଲ୍ ମୁକାବିଲାରେ ଦଳ ୩-୦ରେ ହଂକଂକୁ ହରାଇ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି । ବିଶ୍ୱକପ୍ରେ ଏହା ଦଳର ଦ୍ୱିତୀୟ ପଦକ ରହିଥିଲା । ପୂର୍ବରୁ ୨୦୨୩ ସଂସ୍କରଣରେ ବ୍ରୋଞ୍ଜ ହାସଲ କରିଥିଲା । ଷ୍ଟାର୍ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା, ଅଭୟ ସିଂହ ଏବଂ ଅନାହତ ସିଂହ ଭାରତକୁ ଏହି ଐତିହାସିକ ବିଜୟ ଭେଟି ଦେଇଥିଲେ । ଫାଇନାଲର ପ୍ରଥମ ସିଙ୍ଗଲ୍ସରେ ଭେଟେରାନ ଖେଳାଳି ଜ୍ୟୋତ୍ସ୍ନା ୩-୧ (୭-୩, ୨-୭, ୭-୫, ୭-୧)ରେ ହଂକଂର କା ୟି’ଙ୍କୁ ପରାଜିତ କରିଥିଲେ । ପରବର୍ତ୍ତୀ ସିଙ୍ଗଲ୍ସରେ ଅଭୟ ୩-୦ (୭-୧, ୭-୪, ୭-୪)ରେ ଟିଏସ୍ଜି କ୍ୱାନ ଲାଉଙ୍କୁ ହରାଇ ଭାରତକୁ ଆଶା ଦେଇଥିଲେ । ତୃତୀୟ ସିଙ୍ଗଲ୍ସରେ ଅନାହତ ଉପରେ ସମସ୍ତ ଦେଶବାସୀଙ୍କ ନଜର ରହିଥିଲା । ସେ ୩-୦ (୭-୨, ୭-୨, ୭-୫) ହୋ ଟିଜି ଲୋକଙ୍କୁ ହରାଇ ଭାରତକୁ ବିଶ୍ୱ ଚାମ୍ପିଅନ କରାଇଥିଲେ ।