କୋଲାବିରା, ୮/୭ : ରାଜ୍ୟର ଶିଳ୍ପ ରାଜଧାନୀ ବୋଲାଉଥିବା ଝାରସୁଗୁଡ଼ା ଜିଲ୍ଲାରୁ ରୋଜଗାର ଆଶାରେ ଯାଇଥିଲେ ସୁଦୂର ଗୋଆ । ହେଲେ ସେଠାରେ ତାଙ୍କୁ ବନ୍ଧକ ରଖି ଦିଆଯାଉଛି ନିର୍ଯାତନା । ନିର୍ଯାତନାର ଶିକାର ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ସମାସିଂହା ପଞ୍ଚାୟତ ଜଳଡ଼ିହି ଗାଁର ରିଙ୍କୁ ବାଗ(୨୫) । ଏଭଳି ଅଭିଯୋଗ ଆସିବା ପରେ ପୁଅକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପିତା ମଧୁସୂଦନ ବାଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଗୁହାରି କରିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି, ପ୍ରାୟ ଦୁଇ ବର୍ଷ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ଗାଁର ଜଣେ ଦଲାଲ୍ଙ୍କ ପ୍ରରୋଚନାରେ ପଡ଼ି ଜଳଡ଼ିହି ଗାଁର ସୁଜିତ୍ ବାଗ, ସୁରେନ୍ଦ୍ର ବାଗ, ଚତୁର୍ଭୁଜ ଓ ଭଜନଙ୍କ ସହ ରିଙ୍କୁ ମାଛଧରା କାମ କରିବାକୁ ଟ୍ରେନ୍ ଯୋଗେ ଝାରସୁଗୁଡ଼ାରୁ ଗୋଆ ଯାଇଥିଲେ । ସେଠାରେ ଭାସ୍କୋଡାଗାମା ନିକଟ ଜୁଆରି ନାମକ ଏକ ସ୍ଥାନରେ ୱେଲକମ୍ ଓ ବିନ୍ଧା ନାମକ ବ୍ୟକ୍ତିଙ୍କ କମ୍ପାନୀ ଅଧୀନରେ ସେମାନେ କାମ କରୁଥିଲେ । ପ୍ରାୟ ଏକ ବର୍ଷ କାମ କରିବା ପରେ ଗାଁର ଅନ୍ୟ ସମସ୍ତ ଯୁବକ ଗାଁକୁ ଫେରି ଆସିଥିଲେ ମାତ୍ର ରିଙ୍କୁ ଆଜି ପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି ।
ଅଭିଯୋଗ ଅନୁସାରେ, ସେଠାକାର ଦୁଇ ମାଲିକ ବିନ୍ଧା ଏବଂ ୱେଲକମ୍ ତାଙ୍କୁ ଛାଡୁନାହାନ୍ତି । ତାଙ୍କୁ ଉଚିତ ପ୍ରାପ୍ୟ ନଦେଇ ଏକ ପ୍ରକାର ନଜରବନ୍ଦୀ କରି ରଖାଯାଇଛି । ରିଙ୍କୁଙ୍କ ପରିବାର ସେଠାକାର ମାଲିକଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ସେମାନଙ୍କୁ ସେଠାରୁ ଦୁର୍ବ୍ୟବହାର ମିଳୁଛି । ପୁଅକୁ ମୁକ୍ତ କରିବା ପାଇଁ କହିଲେ ହତ୍ୟା ଧମକ ଦିଆଯାଉଛି ବୋଲି ପରିବାର ପକ୍ଷରୁ କୁହାଯାଇଛି । ପୁଅ ସହ କଥା ହେବାକୁ ସୁଯୋଗ ଦିଆଯାଉ ନ ଥିବାରୁ ପରିବାର ଘୋର ଚିନ୍ତାରେ ଅଛନ୍ତି । ଏଭଳି ସ୍ଥିତିରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ପ୍ରଶାସନ ଓ ଗୋଆ ପୁଲିସ ସହାୟତାରେ ରିଙ୍କୁଙ୍କୁ ମୁକ୍ତ କରି ଓଡ଼ିଶା ଫେରାଇ ଆଣିବାକୁ ଅସହାୟ ବାପା ଓ ଆତ୍ମୀୟସ୍ୱଜନ ନିବେଦନ କରିଛନ୍ତି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁନୀତା ଲାକ୍ରା କହିଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଭିଯୋଗ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । କୋଲାବିରା ଠାରେ ଅବସ୍ଥାପିତ ସହକାରୀ ଶ୍ରମ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ହେଲେ ଜିଲ୍ଲାରୁ କେତେ ଜଣ ଯୁବକ ଗୋଆ ଏବଂ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବାର ସୂଚନା ଶ୍ରମ ବିଭାଗ ପାଖରେ ନାହିଁ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି।
ଆହୁରି ପଢନ୍ତୁ- ଘଟଣାକ୍ରମ ଗୋଟିଏ ହେଲେ ଏକାଧିକ ଅପରାଧ, ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ : ହାଇକୋର୍ଟ
"ଅଜବ ପରମ୍ପରା, ବିଚିତ୍ର ରୀତିନୀତି ! 5 Strangest Traditions Still Followed Around the World