ଭୁବନେଶ୍ୱର, ୦୨/୦୩: ବୈତରଣୀ ନଦୀରୁ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଯାଉଥିଲା ବେଆଇନ ବାଲି ବୋଝେଇ ଟ୍ରକ୍‌ । ଖବର ପାଇ ମାଡ଼ି ବସିଲେ ସୋର ଆଡସନାଲ୍‌ ତହସିଲଦାର । ୧୬ ନମ୍ବର ଜାତୀୟ ରାଜପଥରେ ଗୋଡ଼େଇ ଗୋଡ଼େଇ ଧରିଲେ । ଜବତ ହେଲା ୨୨ ଟି ବାଲି ବୋଝେଇ ଟ୍ରକ୍‌ । ଅନ୍ୟ ଗାଡ଼ିଗୁଡ଼ିକୁ ଧରିବା ପାଇଁ ଚାଲିଛି ଚେଷ୍ଟା । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୈତରଣୀ ନଦୀରୁ ବେଆଇନ୍‌ ବାଲି ବୋଝଇ ଟ୍ରକ୍ ଗୁଡ଼ିକ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଯାଉଥିଲା । କିଛି ଦୁର୍ବୃତ୍ତ ବେଆଇନ୍‌ ଭାବରେ ଟ୍ରକ୍‌ରେ ବାଲି ବୋଝେଇ କରି ନେଉଥିବା ଖବର ପାଇଥିଲେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶ । ଖବର ପାଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶଙ୍କ ନିର୍ଦ୍ଦେଶରେ ସୋର ଆଡସିନାଲ ତହସିଲଦାର ଦୈତାରୀ ମଲ୍ଲିକ ଶନିବାର ରାତି ୩ଟାରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢାଉ କରି ବାଲି ବୋଝେଇ ଟ୍ରକ୍‌ ଗୁଡ଼ିକୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଡ଼େଇ ଗୋଡ଼େଇ ଧରିବାରେ ସଫଳ ହୋଇଛନ୍ତି । ମୋଟ ୨୨ ଟି ବାଲି ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଟ୍ରକ୍‌ଗୁଡ଼ିକୁ ଧରିବାକୁ ଚେଷ୍ଟା ଜାରି ରହିଛି ।