ଭୁବନେଶ୍ୱର,୦୧/୧୨: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ  ୨୦୨୪-୨୫ରେ ୨୪୮୯ ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା  ବେଳେ ପୂର୍ବ ଆର୍ଥିକ ବର୍ଷରେ ୩୭୨୬ ଜଣ ଚିହ୍ନଟ ହୋଇଥିଲେ ।  ତେଣୁ ପୂର୍ବ ବର୍ଷ ଅପେକ୍ଷା ଏଡ୍‌ସ ରୋଗୀଙ୍କ ସଂଖ୍ୟା କମିଛି ।  

ଆଜି  ବିଶ୍ୱ ଏଡ୍‌ସ ଦିବସ ପାଳନ  କରାଯାଉଛି । ଏହି ଦିବସର ବିଷୟବସ୍ତୁ ରହିଛି ‘ଠିକ୍‌ ମାର୍ଗ  ଅନୁସରଣ କର: ମୋ ସ୍ୱାସ୍ଥ୍ୟ ମୋ ଅଧିକାର’। ଓଡ଼ିଶା ଷ୍ଟେଟ୍‌  ଏଡ୍‌ସ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର  ୪୩୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨ହଜାର ୬୩୯  ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୭ହଜାର ୫୦୭ ବଞ୍ଚିଛନ୍ତି ।  ଆଉ କେତେଜଣ ବାହାର ରାଜ୍ୟର ରୋଗୀ ହୋଇଥିବାବେଳେ  ସେମାନେ ଜୀବିତ କିମ୍ବା ମୃତ ତାହା ଜଣାପଡିନାହିଁ । ସେହିପରି  ରାଜ୍ୟରେ ଜନ୍ମରୁ ୧୪ବର୍ଷ ମଧ୍ୟରେ ୨୭୦୮ ଜଣ ରୋଗୀ ଅଛନ୍ତି ।  ତେବେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଏଥିମଧ୍ୟରୁ ୭୦  ଜଣ ଏହି ବର୍ଗର ରୋଗୀ ବୋଲି ଜଣାପଡିଛି । ଏବେ ରାଜ୍ୟରେ  ଯେତେ ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ୦.୮ ପ୍ରତିଶତ ଛୁଞ୍ଚି ଓ  .୦୯ ପ୍ରତିଶତ ରୋଗୀ ରକ୍ତ ଦ୍ୱାରା ସଂକ୍ରମିତ । ୨୦୧୨ ମସିହାରେ  ୭ ଲକ୍ଷ ପରୀକ୍ଷା କରାଯାଇଥିଲା । ସେଥିରୁ ୧.୨୫ ପ୍ରତିଶତ  ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୨୩ରେ ୧୪ ଲକ୍ଷ  ପରୀକ୍ଷା କରାଯାଇଥିଲା । ସେଥିରୁ ୦.୩ ପ୍ରତିଶତ ରୋଗୀ ଚିହ୍ନଟ  ହୋଇଥିଲେ । ଗର୍ଭବତୀଙ୍କ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।  

୨୦୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗଞ୍ଜାମ ଓ କଟକ  ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଅଧିକ । ଗଞ୍ଜାମରେ ୧୯୧୫୫,  କଟକରେ ୭୯୯୪, ବାଲେଶ୍ୱରରେ ୨୨୧୦, ଖୋର୍ଦ୍ଧାରେ ୪୨୧୦,  କୋରାପୁଟରେ ୨୮୬୫, ସମ୍ବଲପୁରରେ ୩୮୦୭, ନୟାଗଡ଼ରେ  ୧୧୪୫, ମୟୂରଭଞ୍ଜରେ ୧୪୫୪, ନବରଙ୍ଗପୁରରେ ୧୪୮୦,  ପୁରୀରେ ୧୨୬୪, ସୁନ୍ଦରଗଡ଼ରେ ୧୩୬୫, ଅନୁଗୁଳରେ ୨୬୪୧,  ଭଦ୍ରକରେ ୧୧୯୮, ବଲାଙ୍ଗିରରେ ୨୩୪୫, ବାଲେଶ୍ୱରରେ  ୨୨୧୦ ଓ ରାୟଗଡ଼ାରେ ୨୧୪୬ ରୋଗୀ ଚିହ୍ନଟ ହୋଇଛନ୍ତି ।