ପୁରୀ, ୧୪/୦୧ : ଆଖି ବୁଜିଦେଲା ପ୍ରଶାସନ । ଅନ୍ଧାର କୋଠରି ଭିତରେ ପଡ଼ିଛି ଦୁର୍ମୂଲ୍ୟ ୨୬୬ ପୋଥି, ତାମ୍ରପଟା ଓ ବହି । ଏକଦା ପାଠକଙ୍କ ଗବେଷଣା ଓ ପଢ଼ାପଢ଼ି ନିମନ୍ତେ ଭିଡ଼ ଲାଗୁ ଥିବା ରଘୁନନ୍ଦନ ପାଠାଗାର ଭଙ୍ଗାଯିବା ପରେ ଏଭଳି ପଡ଼ିଛି ସମସ୍ତ ପୁସ୍ତକ । ପୁରୀ ସହରରେ ଥିବା ଗୋଟିଏ ପରେ ଗୋଟିଏ ପାଠାଗାରର ଅସ୍ତିତ୍ୱ ହଜିଗଲାଣି । ଏବେ ଯେଉଁ କେତୋଟି ସରକାରୀ ପାଠାଗାର ରହିଛି ତାହା ପାଠକଙ୍କ ଆବଶ୍ୟକତା ପୂରଣ କରିପାରୁନି । ଏମାର ମଠରେ ଥିବା ପ୍ରାଚୀନ ରଘୁନନ୍ଦନ ପାଠାଗାର ଏହାର ପ୍ରଥମ ଉଦାହରଣ ହୋଇଥିବା ବେଳେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ପୁରୀ ପୌରସଂସ୍ଥାର ପାଠାଗାର ଦ୍ୱିତୀୟ ଉଦାହରଣ ।
ରଘୁନନ୍ଦନ ପାଠାଗାର ପ୍ରାଚୀନ କୋଠାକୁ ଭାଙ୍ଗି ଦିଆଯିବା ପରେ ଏହାର ଦୁର୍ମୂଲ୍ୟ ପୋଥି ଏବେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜମି ଅଧିଗ୍ରହଣ ସଭାଗୃହରେ ପ୍ରାୟ ୪ ବର୍ଷରୁ ଅଧିକ ହେବ ପଡ଼ିଛି । ଚେୟାର, ଟେବୁଲ ପଡ଼ିଛି । ହେଲେ ପଢ଼ିବାକୁ ଲୋକ ନାହାନ୍ତି । ଏହା କେତେବେଳେ ଖୋଲୁଛି, କେତେବେଳେ ବନ୍ଦ ହେଉଛି । ପାଠକଙ୍କ ନିମନ୍ତେ କାହିଁକି ଏହାର ପୋଥି ଓ ବହିଗୁଡ଼ିକ ପଢ଼ିବା ନିମନ୍ତେ ଦିଆଯାଉନି ସେନେଇ କାହା ପାଖରେ ଉତ୍ତର ନାହିଁ । ଏହି ଦୁର୍ମୂଲ୍ୟ ପୋଥି, ପାଣ୍ଡୁଲିପି, ବହିଗୁଡ଼ିକର ଡିଜିଟାଇଜେସନ୍ ମଧ୍ୟ ବନ୍ଦ ହୋଇଯାଇଛି । ଜିଲ୍ଲାପାଳଙ୍କ ଜମି ଅଧିଗ୍ରହଣ ସଭାକକ୍ଷରେ ବର୍ଷ ବର୍ଷ ଧରି ରଘୁନନ୍ଦନ ପାଠାଗାରର ସମସ୍ତ ଜିନିଷ ପଡ଼ିଛି । ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଦରମା ମଧ୍ୟ ପାଉଛନ୍ତି । ଉଭୟ ଘର ଓ କର୍ମଚାରୀଙ୍କ ନିମନ୍ତେ ପ୍ରତି ମାସରେ ବହୁ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଏହାର ଲାଭ ପାଉନାହାନ୍ତି ପାଠକ । ଏହି ଘରର ସିଲିଂ ଭାଙ୍ଗି ଗଳି ପଡ଼ିଲାଣି । ମାତ୍ର ଅସୁରକ୍ଷିତ ଘରେ ସମସ୍ତ ଜିନିଷ ରହିଛି । ରଘୁନନ୍ଦନ ପାଠାଗାରର ନୂତନ କୋଠା ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କୋଠା ନିର୍ମାଣ ନିମନ୍ତେ ଇଟା ଖଣ୍ଡେ ପଡ଼ିଲା ନାହିଁ । ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ପିଜିଏମ୍ସିକୁ ନିଯୁକ୍ତ କରିଛନ୍ତି ସରକାର । ହେଲେ କାମ କେତେବାଟ ଆଗେଇଲା ଓ ପ୍ରକଳ୍ପ ଶୁଭ କେବେ ପଡ଼ିବ ସେନେଇ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ଅଧିକାରୀ ଚୁପ୍ ।
ଏନେଇ ବରିଷ୍ଠ ସାହିତ୍ୟିକ ଡ. ବଦ୍ରି ମିଶ୍ର କହିଛନ୍ତି, ଏହି ପାଠାଗାରରେ ୨୬୬ଟି ଦୁର୍ମୂଲ୍ୟ ତାଳପତ୍ର ପ୍ରଚୀନ ପୋଥି, ଗ୍ରନ୍ଥ, ତାମ୍ରପଟା, ସନନ୍ଦ, ସାଙ୍ଗକୁ ଇଂରାଜୀରେ ୭୧୫, ସଂସ୍କୃତରେ ୭୦୧, ଓଡ଼ିଆରେ ୮୧୧, ହିନ୍ଦୀରେ ୪୮୩ ଓ ବଙ୍ଗଳାରେ ୫୫୦ ଖଣ୍ଡ ପ୍ରାଚୀନ ପୁସ୍ତକ ଥିଲା । ହେଲେ ଏହାକୁ ପଢ଼ିବାର ସୁଯୋଗ ପାଠକଙ୍କୁ ମିଳୁନି । ନା ପୋଥି ରହିଥିବା ଜମି ଅଧିଗ୍ରହଣ ଗୃହକକୁ ପାଠକଙ୍କ ନିମନ୍ତେ ଖୋଲାଯାଉଛି, ନା ରଘୁନନ୍ଦନ ପାଠାଗାର ପ୍ରତିଷ୍ଠା ନିମନ୍ତେ ତତ୍ପରତା ପ୍ରକାଶ ପାଉଛି । ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲି ପାର୍ଶ୍ୱରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ପୌରସଂସ୍ଥାର ଏକ ଲାଇବ୍ରେରୀର ହଜାର ହଜାର ଦୁର୍ମୂଲ୍ୟ ପୁସ୍ତକ ଡ୍ରେନ୍ ପାଣି ପଡ଼ି ନଷ୍ଟ ହୋଇଗଲା । ଏନେଇ ଖବର ପ୍ରକାଶ ପରେ ପ୍ରଶାସନ ସାମାଲୋଚନାର ଶିକାର ହୋଇ ନଷ୍ଟ ହୋଇନଥିବା ଶତାଧିକ ପୁସ୍ତକକୁ ଉଦ୍ଧାର କରି ଡାଲା ଅଟୋରେ ନେଇଥିଲା । ଏବେ ଏହା ପୌରସଂସ୍ଥାର ଗାଡ଼ିଖାନାରେ ଭଙ୍ଗାରୁଜା ଜିନିଷପତ୍ର ରହୁଥିବା ଏକ କକ୍ଷର ଆଲମିରା ଭିତରେ ପଡ଼ିଛି । ମାତ୍ର ଏକ ଲାଇବ୍ରେରୀ ଗୃହ କରି ଏହାକୁ ପାଠକଙ୍କୁ ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଗଲାନାହିଁ ।
ଶିଶୁ ସାହିତ୍ୟିକ ସତ୍ୟନାରାୟଣ ମିଶ୍ର କହିଛନ୍ତି, ପ୍ରଶାସନିକ ତଦାରଖରେ ଚାଲିଥିବା ପୁରୁଣା ସଦର ଥାନା ଛକ ନିକଟ ପୁରୀ ଜିଲ୍ଲା ପାଠାଗାର ଓ ସୂଚନା ଲୋକସମ୍ପର୍କ ବିଭାଗର ଟାଉନ୍ ହଲ୍ ଠାରେ ଥିବା ପାଠାଗାର ଖୁବ୍ ଅବ୍ୟବସ୍ଥାରେ ଚାଲିଛି । ଜିଲ୍ଲା ପାଠାଗାର ଭଡ଼ା ଘରେ ଚାଲିଥିବା ବେଳେ ସ୍ଥାନ ଅଭାବରୁ ପାଠକଙ୍କୁ ତଳେ ବସିବାକୁ ପଡ଼ୁଛି । ଟାଉନ୍ ହଲ୍ ଠାରେ ଥିବା ପାଠାଗାରକୁ ଉନ୍ନତିକରଣ କରିବା କିମ୍ବା ପାଠକଙ୍କୁ ଆକର୍ଷଣ କରିବା ନିମନ୍ତେ ପୁସ୍ତକ ସଂଖ୍ୟା ବଢ଼ାଇବା ପ୍ରତି ଦୃଷ୍ଟି ଦିଆଯାଉନି । ଫଳରେ ଏଠାରେ ପାଠକ ମରୁଡ଼ି ଦେଖିବାକୁ ମିଳୁଛି । ସମସ୍ତ ପାଠଗାରର ଉନ୍ନତିକରଣ କରାଯାଉ । ଏନେଇ ସଂସ୍କୃତି ଅଧିକାରୀ ମତାମତ ଦେଇନଥିବା ବେଳେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, ମୁକ୍ତାକାଶ ରଙ୍ଗମଞ୍ଚର ପୁନଃବିକାଶ ହେବ । ମାତ୍ର ଏଠାରେ ଆଉ ପାଠାଗାର ହେବାର ନାହିଁ । ଟାଉନ୍ ହଲ୍ ଠାରେ ଥିବା ପାଠାଗାରକୁ ପୌରସଂସ୍ଥା ପୁନଃବିକାଶ କରିବ । ମୁଖ୍ୟମନ୍ତ୍ରୀ ସହରୀକରଣ ଯୋଜନାରେ ଏଥିନିମନ୍ତେ ପ୍ରାୟ ୧ କୋଟି ଟଙ୍କା ଅନୁଦାନ ମିଳିଛି । ଡିପିଆର ପ୍ରସ୍ତୁତ ପରେ ଏନେଇ ଟେଣ୍ଡର କାର୍ଯ୍ୟ ହେବ।