ଖପ୍ରାଖୋଲ,୨୨/୬ : ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅନକାମରା ଗାଁରେ ଜଣେ ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବାଟ ମାରଣା ଅଭିଯୋଗରେ ତିନି ଜଣକୁ ଖପ୍ରାଖୋଲ ପୋଲିସ ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅନକାମରା ଗାଁର ନନ୍ଦଲାଲ ବରିହାଙ୍କ ଚାଷ ଜମିରେ ୨୦୨୩/୨୪ ମସିହାରେ ପ୍ରଧାମନ୍ତ୍ରୀ ଫସଲ ବୀମା ମାଟିଆଭଟା ଗ୍ରାମର ଦେବାନନ୍ଦ ସାହୁ ଙ୍କ ଗ୍ରାହକ ସେବା କେନ୍ଦ୍ରରେ ମଧୁସୂଦନ ସାହୁ ଓ ରୋହିତ ସାହୁ ମିଶି କରିଥିଲେ । ଉକ୍ତ ବର୍ଷ ମାଟିଆଭଟା ପଂଚାୟତ ମରୁଡ଼ି ଘୋଷଣା ହୋଇଥିଲା । ତେଣୁ ଫସଲ ବୀମା ଟଙ୍କା ବିଭିନ୍ନ ଚାଷୀ ପାଇଥିଲେ । ହେଲେ ନନ୍ଦଲାଲ ବରିହାଙ୍କ ଜମା ଖାତାରେ ବିମାରାଶି ଟଙ୍କା ପଡ଼ିନଥିଲା ।
ତେଣୁ ସେ କୃଷି କାର୍ଯ୍ୟାଳୟରେ ଯୋଗାଯୋଗ କରିଥିବାବେଳେ ତାଙ୍କ ଜମିରେ ଦେବାନନ୍ଦ ସାହୁ, ମାଟିଆଭଟା ଗ୍ରାମର ମଧୁସୂଦନ ସାହୁ ଓ ରୋହିତ ସାହୁ ତାଙ୍କ ଚାଷ ଜମିକୁ ଅନ୍ୟ ଚାଷୀ ନାମରେ ଭାଗ ଚାଷୀ ଭାବେ ବୀମା କରେଇ ତାଙ୍କ ବୀମା ରାଶି ଟଙ୍କାକୁ ବାଟ ମରଣା କରିଥିବା ଜାଣିଥିଲେ । ଶନିବାର ଚାଷୀ ନନ୍ଦଲାଲ ବରିହା ଖପ୍ରାଖୋଲ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୪୧/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ଗ୍ରାହକ ସେବା କେନ୍ଦ୍ରର ଏକ ଲାପଟପ୍, ଦୁଇଟି ପ୍ରିଣ୍ଟର, ଏଟିଏମ କାର୍ଡ, ପ୍ରାୟ ୧୨ ହଜାର ଟଙ୍କା ପୋଲିସ ଜବତ କରି ତଦନ୍ତ ପରେ ଅଭିଯୁକ୍ତ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।