ନବରଙ୍ଗପୁର, ୨୧।୫ :  ନବରଙ୍ଗପୁର ବନ ବିଭାଗକୁ ବଡ଼ ସଫଳତା । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ ଧରାପଡ଼ିଲେ ଦୁଇ ଜଣ ଆନ୍ତଃଜିଲ୍ଲା ଚୋରା ବ୍ୟବସାୟୀ। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲାର କୁନୁ କୁମ୍ଭାର ଏବଂ ଦୁର୍ୟ୍ଯ ଗୋଲାରୀ।

ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ସୀମାନ୍ତ ମାଲବେଡ଼ା ସଂରକ୍ଷିତ ଜଙ୍ଗଲରେ ଉମରକୋଟ ଏବଂ କୋଡ଼ିଙ୍ଗା ବନ ବିଭାଗ ତରଫରୁ ମିଳିତ ଅପରେସନ କରାଯାଇଥିଲା।  ଏହି ସମୟରେ କୋରାପୁଟ ଜିଲ୍ଲାର ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣ କାରୀ କୁନୁ କୁମ୍ଭାର ଏବଂ ଦୁର୍ୟ୍ଯ ଗୋଲାରୀ ଏକ କଲରାପତରିଆ ବାଘ ଛାଲ ଧରି ତାକୁ ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ବନ ବିଭାଗର ଟିମ ଏମାନଙ୍କୁ  କାବୁ କରିଥିଲା । ବନ ବିଭାଗ ସେମାନଙ୍କଠାରୁ ​ପ୍ରାୟ ୬ ଫୁଟ୍ ଲମ୍ବର ଏକ ବାଘ ଛାଲ ଜବତ କରିଥିଲା। ଏଥି ସହ ଚୋରା ଚାଲାଣରେ ବ୍ୟବହୃତ ଏକ କଳା ରଙ୍ଗର ମୋଟରସାଇକେଲ  ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ, ଏହି ରାକେଟ୍ ପଛରେ ଆଉ କାହାର ହାତ ଅଛି ସେ ନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।

ଆହୁରି ପଢନ୍ତୁ : କଳା ମହାବଳ ବାଘ ଛୁଆର ଚମଡ଼ା ଜବତ୍,୩ ଗିରଫ