ଭୁବନେଶ୍ୱର,୧୬/୧୨: ଓଡ଼ିଶାରେ ଏକ ସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଏ ଦିଗରେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ରାଜ୍ୟରେ ପିଏଚ୍ସି ଓ ସିଏଚ୍ସିରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ସେଠାରେ କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଜରୁରି । ଫଳରେ ରାଜ୍ୟବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ରବିବାର ‘ଭିଜନ୍ ଓଡ଼ିଶା ହେଲ୍ଥ କନ୍କ୍ଲେଭ୍’ରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇନ୍ସ୍ୟୁରାନ୍ସ ନୁହେଁ, ଆସ୍ୟୁରାନ୍ସ ମୋଡ୍ରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ସେବା ମିଳିବ । ରାଜ୍ୟର ୩ କୋଟି ଲୋକଙ୍କୁ ସରକାର ସ୍ୱାସ୍ଥ୍ୟକାର୍ଡ ଦେବେ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଖର୍ଚ୍ଚ ଆରମ୍ଭ ହୋଇଯାଇଛି । ଆଗକୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ପୂର୍ବରୁ ଏହି ସ୍ୱାସ୍ଥ୍ୟକାର୍ଡରେ ମାତ୍ର ୯୫୬ ହସ୍ପିଟାଲରେ ଚିକିତ୍ସା ହେଉଥିଲା, ମାତ୍ର ଏବେ ସମଗ୍ର ଦେଶରେ ୨୭ ହଜାର ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ଆଗାମୀ ୫ ବର୍ଷରେ ଆହୁରି ୨୪୦୦ ମେଡିକାଲ ସିଟ୍ ବୃଦ୍ଧି କରାଯିବ । ଏହାଛଡ଼ା ସମ୍ବଲପୁରରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି । ସେହିପରି କିଡ୍ନୀ ରୋଗୀଙ୍କ ପାଇଁ ଡାଏଲିସିସ୍ ବ୍ୟବସ୍ଥା କରାଯିବ । ମେଡିକାଲ ଯନ୍ତ୍ରାଂଶଠୁ ଆରମ୍ଭ କରି ସବୁ ଜିନିଷ ଏବେ ବାହାରୁ ଆମଦାନୀ ହେଉଛି । ଆଗକୁ ଆଉ ବାହାରୁ ଆମଦାନୀ ନକରି ଏମ୍ଏସ୍ଏମ୍ଇ ବିଭାଗ ସହଯୋଗରେ ରାଜ୍ୟରେ ମେଡିକାଲ ଯନ୍ତ୍ରାଂଶ ତିଆରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଯେ ଖୁବ୍ଶୀଘ୍ର ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋମେଟ୍ରିକ ସିଷ୍ଟମ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ରୋଗୀଙ୍କ ବିସ୍ତୃତ ତଥ୍ୟ ରହିବ । ପିଏଚ୍ସିରୁ ସିଏଚ୍ସି ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଲେ ନ୍ୟାସନାଲ ହେଲ୍ଥ ଡିଜିଟାଲ ମିଶନ ଆଧାରରେ ଡିଜିଟାଲ ତଥ୍ୟ ରଖାଯିବ । ପ୍ରଧାନମନ୍ତ୍ରୀ ସର୍ବ ସ୍ୱାସ୍ଥ୍ୟ ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ହେଲ୍ଥ ୱେଲ୍ନେସ୍ ସେଣ୍ଟର ଖୋଲିବ । ସେଠାରେ ତିନି ଜଣ ପାରା ମେଡିକାଲ ଷ୍ଟାଫ୍, ଜଣେ ଯୋଗ ଶିକ୍ଷକ ଓ ଜିଏନ୍ଏମ୍, ଏଏନ୍ଏମ୍ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇ, ଡାକ୍ତର ଅଶୋକ ଆଚାର୍ଯ୍ୟ, ଅର୍ଗସ ନ୍ୟୁଜ୍ ସମ୍ପାଦକ ସଞ୍ଜୟ ଜେନା, ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।