କର୍ଲାମୁଣ୍ଡା,୦୪/୦୬: ମ.ରାମପୁର ଥାନା ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଡୁମେରଗୁଡ଼ା (ଡଙ୍ଗାବାହାଲ) ଗ୍ରାମର ଜନୈକ ଯୁବତୀଙ୍କୁ ରିଷିଡ଼ା ଗାନ୍ଧିନଗର ପଡ଼ାର ଯୁଗଳ କିଶୋର ସିକଚାନ୍ଦ(୨୪) ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ ଦୁଇବର୍ଷ ତଳେ ପ୍ରେମିକ ଯୁଗଳ ସଂପୃକ୍ତ ଯୁବତୀଙ୍କୁ ନେଇ କେସିଙ୍ଗାର ଏକ ଲଜରେ ଫୁଳମାଳ ଓ ସିନ୍ଦୂର ପିନ୍ଧାଇ ମିଛମିଛିକା ବିବାହ କଲା । ପ୍ରେମିକାର ମନା ସତ୍ତେ୍ୱ ତାସହ ବାରମ୍ବାର ଶାରୀରିକ ସଂପର୍କ ରଖିବାରୁ ସେ ଗର୍ଭବତୀ ମଧ୍ୟ ହୋଇଥିଲା । ଦୁଇଥର ଗର୍ଭପାତ ମଧ୍ୟ କରାଇଲା । ତେବେ ଗତ ସୋମବାର ଯୁଗଳ ସଂପୃକ୍ତ ଯୁବତୀକୁ ନେଇ ବଲାଙ୍ଗିରକୁ ଯାଇ ମେଡିକାଲ ଚେକଅଫ କରାଇଥିଲା । ଖବର ପାଇ ଯୁଗଳ ପରିବାର ଲୋକେ ବାଟରେ ଅଟକାଇ ଯୁବତୀକୁ ଗାଳିଗୁଲଜ କରିବା ସହ ଦୂରେଇ ଦେବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢ଼ନ୍ତୁ :- ସୁବର୍ଣ୍ଣପୁର ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମବାହିନୀ
କିନ୍ତୁ ଯୁବତୀ ଜଣକ ଯୁବକଙ୍କ ଘରକୁ ଆସି ବିବାହ କରିବାକୁ ଅଡ଼ି ବସିଥିଲା । ହେଲେ ଯୁବକଙ୍କ ପରିବାର ଲୋକେ ମନା କରିବାରୁ ଯୁବତୀ ରିଷିଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝିଙ୍କ ତତ୍ତ୍ୱାବଧାନରେ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, ରିଷିଡ଼ା ଫାଣ୍ଡିଧିକାରୀ ମନୁଆ ବିଡ଼ିକା ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲେ । ଏନେଇ ମ.ରାମପୁର ଥାନାରେ ଏକ ମାମଲା ରୁଜୁହୋଇ ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ କହିଛନ୍ତି ।