ଢେଙ୍କାନାଳ, ୧୫।୨ ଢେଙ୍କାନାଳ ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଚାଞ୍ଚଲ୍ୟ। ବନ୍ଦ ଘରୁ ଗୋଟିଏ ପରିବାରର ୩ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ହେଲେ ବୃଦ୍ଧ ବାପା ଶଙ୍କର୍ଷଣ ଦାସ(୬୫), ତାଙ୍କ ଝିଅ ସୁବର୍ଣ୍ଣ (୪୦) ଓ ନାତି ସନ୍ତୋଷ ଦାସ (୧୬)।

ବେକରେ ରସି ଲଗାଇ ଗୋଟିଏ ଘରେ ବାପା ଶଙ୍କର୍ଷଣଙ୍କ ମୃତଦେହ ଝୁଲୁଥିବା ବେଳେ  ଅନ୍ୟ ଘରେ ଝିଅ ଓ ନାତିର ମୃତଦେହ ଝୁଲୁଥିଲା। ମୃତଦେହ ପଚି ଦୁର୍ଗନ୍ଧ ବାହରୁଥିବାରୁ ଏହି ଘଟଣା  ତିନି ଦିନ ତଳର ବୋଲି ଅନୁମାନ କରାଯାଉଛି। ତେବେ ସଦର ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି। ମୃତ ଦେହ ଝୁଲିଥିବା ଘର ଦୁଇଟିକୁ ବନ୍ଦ କରି ଫରେନସିକ ଟିମ ମାଧ୍ୟମରେ ତଦନ୍ତ  କରାଯିବ। 

ଶଙ୍କର୍ଶଣ ଜଣେ ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ । ତାଙ୍କ ଝିଅ ସୁବର୍ଣ୍ଣ  ବିବାହ କରିଥିଲେ ମଧ୍ୟ  ସ୍ବାମୀ ପରିତ୍ୟକ୍ତ ଯୋଗୁଁ ନିଜ ବାପ ଘରେ ପୁଅକୁ ନେଇ ଅନେକ ବର୍ଷ ହେଲା ରହୁଥିଲେ ବୋଲି ଜଣାପଡିଛି। ମୃତ ଶଙ୍କର୍ଷଣଙ୍କ ବୃଦ୍ଧା ପତ୍ନୀ ଘର ବାହାରେ ଥିବା  ଦେଖିବାକୁ ମିଳିଥିଲା। ଗତ ବୁଧବାର ରାତିରୁ ଏପରି ଘଟିଥିବା ଶଙ୍କର୍ଷଣଙ୍କ ବୃଦ୍ଧା ପତ୍ନୀ ପୁଷ୍ପାଞ୍ଜଳି  କହିଛନ୍ତି। ତେବେ ଘଟଣା ସମ୍ପର୍କରେ   ସେ କାହିଁକି କାହାକୁ  କିଛି କହି ନ ଥିଲେ ସେ ସମ୍ପର୍କରେ  କିଛି କହୁ ନାହାନ୍ତି।  ତେବେ ଏକ ଥରକେ ଗୋଟିଏ ପରିବାରର ଏପରି ତିନି ଜଣଙ୍କ ମୃତ୍ୟୁର କାରଣ କଣ ତାହା ଜଣାପଡି ନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା  ତାକୁ ନେଇ ପୋଲିସ ତଦନ୍ତ କରୁଛି।