କଟକ,୩୦/୦୪: ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ । ଏମାନଙ୍କ ମଧ୍ୟରୁ ବିପିନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବୁଧବାର ରାତିରେ ବାଟାଲିଅନ୍ କ୍ୟାମ୍ପସ୍ ଭିତରେ ଥିବା ପୋଖରୀ କୂଳର ଏକ ଅନ୍ଧାରୁଆ ସ୍ଥାନରେ ଆପତ୍ତିଜନକ ଅବସ୍ଥାରେ ଯୁବକ ଓ ଯୁବତୀ ଥିଲେ । ବାଟାଲିଅନ୍‌ର ଜଣେ ହାବିଲ୍‌ଦାର ସେମାନଙ୍କ ପରିଚୟ ପଚାରିଥିଲେ । ସେମାନେ ବାଟାଲିଅନ୍ ବାହାର ଲୋକ ବୋଲି କହିଥିଲେ । ସୁରକ୍ଷା ଦୃଷ୍ଟିରୁ ଉଭୟ ଯୁବକ ଓ ଯୁବତୀଙ୍କୁ କଣ୍ଟ୍ରୋଲ୍ ରୁମ୍‌କୁ ନିଆଯାଇଥିଲା । ବିନା ଅନୁମତିରେ ଆଉ କେବେ କ୍ୟାମ୍ପସ୍ ଭିତରକୁ ଆସିବେ ନାହିଁ ବୋଲି ଏକ ଲିଖିତ ପ୍ରତିଶ୍ରୁତି ଉଭୟ ଯୁବକ ଯୁବତୀ ଦେଇଥିଲେ । ପୁଲିସ ସେମାନଙ୍କ ଅଭିଭାବକଙ୍କୁ ଡକାଇବା ପାଇଁ ଫୋନ୍ ନମ୍ବର ମାଗିଥିଲା । ଏହାକୁ ନେଇ ଯୁବକ ଜଣକ ବିରୋଧ କରିବା ସହ ଯୁକ୍ତିତର୍କ ହୋଇଥିଲା । କୌଶଳକ୍ରମେ ସଂପୃକ୍ତ ଯୁବକ ନିକଟସ୍ଥ ନୂଆପଡ଼ା ଅଞ୍ଚଳର ସାଙ୍ଗସାଥୀମାନଙ୍କୁ ଫୋନ୍‌ରେ ଡାକିଥିଲା । ସଂପୃକ୍ତ ଯୁବକମାନେ କ୍ୟାମ୍ପସ୍ ଭିତରେ ପଶି ପୁଲିସକୁ ମରଣାନ୍ତକ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଥିଲେ ।

ଅଧିକ ପଢ଼ନ୍ତୁ :-  ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ହେବ ଆଲୋଚନା

ବାଟାଲିୟନ୍‌ରେ ଶହ ଶହ ସଂଖ୍ୟାରେ ସଶସ୍ତ୍ର ପୁଲିସ ବାହିନୀ ଥିଲେ ମଧ୍ୟ ଆକ୍ରମଣ ସମୟରେ ପହଞ୍ଚି ପାରିନଥିଲେ । ଆଉ ଯେଉଁମାନେ ଥିଲେ ସେମାନେ ଆକ୍ରମଣକାରୀଙ୍କୁ ସାମ୍ନା କରିପାରିନଥିଲେ । ଫଳରେ ଅଭିଯୁକ୍ତମାନଙ୍କ ଆକ୍ରମଣର ୩ଜଣ ପୁଲିସ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୨ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ପିସିଆର୍ ଭ୍ୟାନ୍ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲ୍‌କୁ ନେଇଥିଲା ।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି, ଏସିପି ସୁଧାଂଶୁ ଜେନା, ଷଷ୍ଠ ବାଟାଲିୟନ୍ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକଙ୍କ ସମେତ ପୁଲିସ ଅଧିକାରୀମାନେ ଏସ୍‌ସିବି ଟ୍ରମା କାଜୁଆଲିଟିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଏହି ଘଟଣାର ଯୁବକ, ଯୁବତୀଙ୍କ ସମେତ ୫ଜଣ ଆକ୍ରମଣକାରୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖାଯାଇଛି ।