ନୂଆଦିଲ୍ଲୀ,୧୯/୦୭: ଶକ୍ତିଶାଳୀ ରୁଷ ଉପରେ ଭାରୀ ପଡ଼ୁଛି ୟୁକ୍ରେନ । ଡ୍ରୋନକୁ ମୁଖ୍ୟ ଅସ୍ତ୍ର କରି ଭୟଙ୍କର ଆକ୍ରମଣ ଜାରି ରଖିଛି । ରୁଷ ରାଜଧାନୀ ମସ୍କୋ ଉପରେ ୩୭୦ରୁ ଅଧିକ ଡ୍ରୋନ ମାଡ଼ କରି ଅଗ୍ନିବର୍ଷା କରିଛି । ଏହାଯୋଗୁ ସେଠାରେ ଥିବା ‘ଆମାଜନ’ ଗୋଦାମ ଓ ତୈଳ ଡିପୋ ଭଳି ବ୍ୟବସାୟିକ ଭିତ୍ତିଭୂମି ଛାରଖାର ହୋଇଯାଇଛି । ରୁଷ ଭିତରେ ପଶି ୟୁକ୍ରେନ ହମଲା କରୁଥିବାରୁ ଏହା ଚିନ୍ତାଜନକ ପାଲଟିଛି । ଶନିବାର ପ୍ରଚଣ୍ଡ ଆକ୍ରମଣ ପରେ ମସ୍କୋ ଅନ୍ତର୍ଗତ ଇଲେକ୍ଟ୍ରୋଷ୍ଟାଲରେ ଥିବା ‘ୱାଇଲ୍ଡବେରିଜ’ର ବିଶାଳ ଲଜିଷ୍ଟିକ୍ସ କେନ୍ଦ୍ର ଉପରେ କଳା ଧୂଆଁର ବାଦଲ ଦେଖିବାକୁ ମିଳିଥିଲା । “ରୁଷର ଆମାଜନ’ କୁହାଯାଉଥିବା ଏହି କମ୍ପାନିର ମୁଖ୍ୟାଳୟ କ୍ରେମଲିନଠାରୁ ମାତ୍ର ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଅନଲାଇନ ମାର୍କେଟପ୍ଲେସର ବିଶାଳ ଗୋଦାମ ଉପରେ ହୋଇଥିବା ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି ।

ୟୁକ୍ରେନ ‘ୱାଇଲ୍ଡବେରିଜ’ର ଗୋଦାମ ଉପରେ କାହିଁକି ଆକ୍ରମଣ କଲା, ତାହା ନେଇ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କହିଛନ୍ତି, ଡ୍ରୋନ ଓ ନାଭିଗେସନ ଉପକରଣ ତିଆରି ଲାଗି ପ୍ରତିବନ୍ଧିତ ସାମଗ୍ରୀ ଯୋଗାଣ ଲାଗି ଉକ୍ତ ଲଜିଷ୍ଟିକ୍ସ କେନ୍ଦ୍ରକୁ ରୁଷ ବ୍ୟବହାର କରୁଥିଲା । ତା’ଛଡ଼ା ଆମର ବେସାମରିକ ଭିତ୍ତିଭୂମି, ସହର ଏବଂ ଲୋକଙ୍କ ଉପରେ ରୁଷ ଯେଉଁ ଆକ୍ରମଣ କରିଥିଲା, ତାହାର ଜବାବରେ ମସ୍କୋ ଏବଂ ତାମ୍ୱୋଭ୍ ଅଞ୍ଚଳରେ ଦୁଇଟି ପ୍ରମୁଖ ଲଜିଷ୍ଟିକ୍ସ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି । ତୋମ୍ୱାଭ୍ ଆଞ୍ଚଳିକ ଗଭର୍ଣ୍ଣର ୟେଭଗେନି ପେରଭିଶୋଭ ଏହି ଆକ୍ରମଣକୁ ଘୋର ନିନ୍ଦା କରି ଏହାକୁ ସାଧାରଣ ନାଗରିକଙ୍କ ବିରୋଧରେ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି । ୟୁକ୍ରେନ ତୈଳ ଡିପୋକୁ ବି ଜୋରଦାର ଟାର୍ଗେଟ କରିଛି ।

ଏହା ବି ପଢନ୍ତୁ...Iran US War: ଜୋର୍ଡାନରେ ୨ ସୈନିକଙ୍କ ମୃତ୍ୟୁରେ ଚିଙ୍କ୍ ଉଠିଛି ଆମେରିକା, ଇରାନ ଉପରେ ଘନ ଘନ ଏୟାରଷ୍ଟ୍ରାଇକ୍

ଅନ୍ୟ ଏକ ବଡ଼ ଆକ୍ରମଣରେ ନୋଗିନସ୍କଠାରେ ଥିବା ଏକ ପ୍ରମୁଖ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା । ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏଥିରୁ ନିର୍ଗତ ଧୂଆଁ ମାଇଲ ମାଇଲ ଦୂରରୁ ଦେଖାଯାଉଥିଲା । ରୁଷଠାରୁ କ୍ରିମିଆକୁ ବିଚ୍ଛିନ୍ନ କରିଦେଇଛି ୟୁକ୍ରେନ । ରୁଷ ସରକାରଙ୍କ ସହାୟତା ସତ୍ତେ୍ୱ ଏଠାରେ ସ୍ଥିତି ସ୍ୱାଭାବିକ ହେବାର କୌଣସି ସମ୍ଭାବନା ନାହିଁ । ଏହାଯୋଗୁ କ୍ରିମିଆରେ ଶକ୍ତି ସଙ୍କଟ ଆହୁରି ଗମ୍ଭୀର ହୋଇଛି । ସ୍ଥିତି ବେଳକୁ ବେଳ ଅଧିକ ଖରାପ ହେଉଥିବା ଏଠାକାର ପ୍ରଶାସନ କହିଛି । କ୍ରିମିଆକୁ ରୁଷଠାରୁ ବିଚ୍ଛିନ୍ନ କରିବା ଲାଗି ୟୁକ୍ରେନ ଜୁଲାଇ ୬ରୁ ‘ମୋଲୋଚକା’ ଅଭିଯାନ ଆରମ୍ଭ କରିଥିଲା । ୟୁକ୍ରେନର ମାନବବିହୀନ ସେନାର କମାଣ୍ଡର ରବର୍ଟ ‘ମାଡ୍ୟାର’ ବ୍ରୋଭଡି ଟେଲିଗ୍ରାମ ଚ୍ୟାନେଲରେ କହିଛନ୍ତି, ଏହି ଅଭିଯାନ ରୁଷର କୋରିୟର ଟ୍ୟାଙ୍କର ଜାହାଜଗୁଡ଼ିକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛି । ଜୁଲାଇ ୧୩ ସୁଦ୍ଧା, କେର୍ଚ୍ଚ ପ୍ରଣାଳୀ ଦେଇ ହେଉଥିବା ଚଳାଚଳ ବନ୍ଦ ହୋଇଯାଇଛି ।