ଭଞ୍ଜନଗର,୨୨/୧୦ : ସୋରାଦେବୀ ମନ୍ଦିର ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୨ ଜଣଙ୍କୁ ଯାଞ୍ଚ ବେଳେ ଦେଶୀ ବନ୍ଧୁକ ପାଇଥିଲା। ପୁଲିସ ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରିଛି। ଏଥିସହ ଏକ କେଟେରିଜ ମଧ୍ୟ ଜବତ ହୋଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଲଣ କରିଛି ପୁଲିସ।
ଥାନା ଅଧିକାରୀ ଜୀବନାନନ୍ଦ ଜେନା ଦେଇଥିବା ସୂଚନା ପ୍ରକାରେ ଏସଆଇ ଲକ୍ଷ୍ମୀଧର ମହାନ୍ତିଙ୍କ ନେତୃତ୍ବରେ ବୁଧବାର ମଧ୍ୟାହ୍ନରେ ସୋରାଦେବୀ ମନ୍ଦିର ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିଲେ।ସେଠାରେ ସହରର ରେଜିପୁଟ ଇଲାକାର ଶଙ୍କର ସ୍ୱାଇଁ(୩୩) ଓ ପିଣ୍ଟୁ ସ୍ୱାଇଁ(୩୦) ନାମକ ୨ଜଣ ଯୁବକ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚରାଉଚୁରା କରିଥିଲେ । ଆଉ ସେମାନଙ୍କୁ ସର୍ଚ୍ଚ କରିବାବେଳେ ଉଭୟଙ୍କ ପାଖରୁ ୨ଟି ଦେଶୀ ବେଆଇନ ହାତ ତିଆରି ବନ୍ଧୁକ ମିଳିଥିଲା। ଏଥିସହ ଏକ କେଟିରିଜ୍ ମଧ୍ୟ ସେମାନଙ୍କ ନିକଟରୁ ମିଳିଥିଲା । ଉଭୟଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାପରେ ସେମାନେ ଭେଜିପୁଟର ଦିବାକର ପଟ୍ଟନାୟକ(୩୦)ଙ୍କ ଠାରୁ ଏହି ବେଆଇନ୍ ଦେଶୀ ବନ୍ଧୁକ ଆଣିଥିବା ଉଲ୍ଲେଖ କରିଥିଲେ। ପରେ ପୁଲିସ ଦିବାକର ପଟ୍ଟନାୟକଙ୍କୁ ଉଠାଇ ଆଣିଥିଲେ। ଏଥିସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।