ଲାଞ୍ଜିଗଡ,୧୬/୯(ଆପ୍ର)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ବନ୍ଧପାରି ପଞ୍ଚାୟତର ଦୁର୍ଗମ ଅଞ୍ଚଳର କର୍କାମସ୍କା ଗାଁରେ ସ୍କୁଲ ନଥିବା ଯୋଗୁଁ ୩୬ ଜଣ ଆଦିବାସୀ ପିଲା ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ଏହା ଜାଣିବା ପରେ ଲାଞ୍ଜିଗଡ଼ ବ୍ଳକ ଶିକ୍ଷା ବିଭାଗ ତତ୍ପରତା ଦେଖାଇଛି । ଦୁର୍ଗମ କର୍କାମସ୍କା ଗାଁ ର ୩୬ ଆଦିବାସୀ ପିଲାଙ୍କୁ ବ୍ଲକ ଶିକ୍ଷା ବିଭାଗ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିଛି। ଏହି ଆଦିବାସୀ ପିଲାଙ୍କୁ ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ଆସ ସ୍କୁଲ୍ ଯିବାଅଭିଯାନରେ ସାମିଲ କରାଯାଇଛି। ୩୦ ଜଣଙ୍କୁ ବାଲିସରା ପ୍ରାଥମିକ ବିଦ୍ୟାଳୟ ନାମାଙ୍କନ କରାଯାଇଥିବା ବେଳେ ୬ ଜଣଙ୍କୁ ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମାଙ୍କିତ କରିବାର ଯୋଜନା ହୋଇଛି।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ,ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭଜୁଷଣ ସାହୁ, ପଞ୍ଚସଖା ଶିକ୍ଷା ସେତୁ ସଂଯୋଜକ ପ୍ରଶାନ୍ତ କୁମାର ନଂଦ, ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ, ଗୁଣମଣି ଭୋଇ, ବିନୋଦ ମହାରଣା ଓ ସମାଜସେବୀ ଗୌରାଙ୍ଗ ମାଝିଙ୍କ ଉଦ୍ୟମ ଯୋଗୁ ଏହା ସଫଳ ହୋଇଛି। ସେମାନେ ଘରକୁ ଘର  ଯାଇ ଅଭିଭାବକଙ୍କ ସହିତ ଆଲୋଚନ କରିଥିଲେ। ଶିଶୁମାନେ ପୁଣିଥରେ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ୩୬ ଜଣ ଶିଶୁଙ୍କର ନାମାଙ୍କନ ଗ୍ରାମକୁ ନୂତନ ଉତ୍ସାହ ଦେଇଛି।ଏହି ପଦକ୍ଷେପ ଶିକ୍ଷାର ଆଲୋକ ମାଧ୍ୟମରେ ଗ୍ରାମକୁ ସଚେତନ କରିଛି ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳ ପାଇଁ ପ୍ରେରଣାଦାୟକ । ସମ୍ମିଳିତ ପ୍ରୟାସ, ସଚେତନତା ଓ ସମାଜସେବା ଫଳରେ ଯେଉଁ ପିଲାମାନେ ସ୍କୁଲରୁ ବଞ୍ଚିତ ଥିଲେ, ସେମାନେ ଶିକ୍ଷାର ମୂଳଧାରାକୁ ଫେରିପାରିଲେ । କର୍କାମସ୍କା ଗ୍ରାମର ଏହା କେବଳ ଏକ ଖବର ନୁହେଁ, ବରଂ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ସଚେତନତା ବୃଦ୍ଧିର ପ୍ରତୀକ ହେବା ସହିତ ଗ୍ରାମକୁ ଆଲୋକମୟ ଭବିଷ୍ୟତ ପାଇଁ ପ୍ରେରଣା ଦେଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।ଏହାକୁ ନେଇ କର୍କାମସ୍କା ଗାଁ ସମେତ ବ୍ଳକ ରେ ବିଇଓ ଶ୍ରୀ ମେହେରଙ୍କୁ ପ୍ରଶଂସା କରିଛନ୍ତି।