ଫିରିଙ୍ଗିଆ,୧୯/୧୨ : ଶୁକ୍ରବାର ପାଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିରୁ ୩୭୮କିଲୋ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡିର ଡ୍ରାଇଭରକୁ ଗିରଫ କରିଛି ଗୋଛାପଡା ପୁଲିସ I

ସୂଚନା ଅନୁସାରେ, ଗୋଛାପଡ଼ା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗୋଛାପଡାଠାରୁ ଫୁଲବାଣୀ ଯାଇଥିବା ମୁଖ୍ୟ ରାସ୍ତାର କାଟ୍ରାମାଲା ଗାଁ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିରୁ ଗଞ୍ଜେଇ ଭର୍ତ୍ତି ୧୫ଟି ବସ୍ତା ବାହାରିଥିଲା I ସଙ୍ଗେସଙ୍ଗେ ଉକ୍ତ ଟିମ୍ ଗାଡ଼ିର ଡ୍ରାଇଭରକୁ ଧରି ପଚରାଉଚରା କରିବା ପରେ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଆଞ୍ଚଳରୁ ଫୁଲବାଣୀ ଗଞ୍ଜେଇ ଚାଲାଣ କରୁଥିବା ଡ୍ରାଇଭର ଜଣକ ସ୍ୱୀକାର କରିଥିଲା ।

ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ଅତିରିକ୍ତ ରହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇଥିଲା I ତେବେ ଗିରଫ ଡ୍ରାଇଭର ଜଣଙ୍କ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଦାରୀ ପଞ୍ଚାୟତ ଶ୍ରୀରାମ ନଗରର ପ୍ରମୋଦ ସାହୁ ବୋଲି ଜଣାପଡ଼ିଥିବାବେଳେ ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ କେଶ ନଂ ୨୫୦/୨୫ରେ ଏକ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇ ଚାଲାଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଥିବାବେଳେ ଶନିବାର ଗିରଫ ଡ୍ରାଇଭରକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି I