ବହଳଦା, ୧୪/୦୩: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଭିଆଇଛନ୍ତି ଲଙ୍କାକାଣ୍ଡ । ବିକ୍ଷୋଭ ବେଳେ ପୁଲିସ ଜନତା ଖଣ୍ଡଯୁଦ୍ଧ ଭୟଙ୍କର ରୂପ ନେଇଥିଲା । ଆକ୍ରୋଶ ଚରମ ସୀମାରେ ପହଞ୍ଚିବା ପରେ ଲୋକେ ପୁଲିସକୁ ଠେଙ୍ଗା ବାଡ଼ି ଓ ଢେଲାମାଡ଼ କରି ଗୁରୁତର କରିପକାଇଛନ୍ତି । ଘଟଣାରେ ୧୨ରୁ ଅଧିକ ପୁଲିସ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ହାତରେ ଲାଠି ଓ ଦେହରେ ସୁରକ୍ଷା ଜ୍ୟାକେଟ ଥାଇ ବି ପୁଲିସ ନାକେଦମ ହୋଇଛି ।
ଘଟଣା ଅନୁଯାୟୀ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ନିକଟସ୍ଥ ବାଉତିବେଡା ଗ୍ରାମର ମେଘ୍ରାୟ ବାସ୍କେଙ୍କ ନାବାଳିକା ଝିଅ ସନାପୋଷି ଗ୍ରାମର ପଡାଗ୍ରାମ ଇଚାଘୁଟୁ ଗ୍ରାମରେ ନିଜ ମାମୁ ଘରକୁ ବାହାପର୍ବ ଅବସରେ ଆସିଥିଲେ । ଗୁରୁବାର ଅପରାହ୍ନ ୫ଟାରେ ବିଞ୍ଝୁଆ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଆଧାର ଯୋଗେ ଟଙ୍କା କାଢି ଫେରୁଥିବା ସମୟରେ ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ବିଞ୍ଝୁଆ ଗ୍ରାମର ସଂଖ୍ୟାଲଘୁ ସଂମ୍ପ୍ରଦାୟର ସେକ୍ ଇସମାଇଲଙ୍କ ପୁଅ ସେକ୍ ଛୋଟୁ ନାବାଳିକାକୁ ଅସଦାଚରଣ କରିଥିଲା । ନାବାଳିକା ଚିତ୍କାର କରିବାରୁ ପାଟି ଶୁଣି ଗାଁ ଲାକେ ଦୌଡି ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ଅଭିଯୁକ୍ତଙ୍କ ଘରକୁ ଆସି ଗଣ୍ଡଗୋଳ ଆରମ୍ଭ କରିଥିଲେ ।
ଘଟଣା ସ୍ଥଳରେ ରାତି ତମାମ ଉତ୍ତେଜନା ମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ଓ ଏସଡିପିଓ ବିରେନ୍ଦ୍ର କୁମାର ସେନାପତି ସହିତ ପୁଲିସ ବଳ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ । ହେଲେ ସକାଳ ସୁଦ୍ଧା କୌଣସି ସମାଧାନ ହୋଇପାରିନଥିଲା । ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବହଳଦା ମୁର୍ମୁ ଛାକରେ ୨୨୦ ନଂ ରାଜପଥ ଅବରୋଧ କରିଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେବା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣିବା ଦାବିରେ ଅଡି ବସିଥିଲେ । ଏହାକୁ ନେଇ ପୁଲିସ ଲାଠି ଚାଳନା କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଉତ୍ତ୍ୟକ୍ତ ଲୋକେ ହଠାତ ପୁଲିସ୍ ବଳ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଢେଲା ମାଡ଼ କରିବା ସହ ଠେଙ୍ଗାରେ ପିଟି ପକାଇଥିଲେ । ହାତ ଗଣତି କେଇଜଣ ପୁଲିସ କର୍ମୀ ଶତାଧିକ ଜନତାଙ୍କ ଆକ୍ରୋଶରୁ ବର୍ତ୍ତିପାରିନଥିଲେ । ଲୋକେ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ଦୃଶ୍ୟ ମନରେ ଭୟ ସଞ୍ଚାର କରୁଥିଲା ।
ପୁଲିସ ଅଧିକାରୀଙ୍କ ସହିତ ମୋଟ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଲୋକେ ବହଳଦା ତହସିଲଦାରଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ଗାଡିକୁ ଓଲଟାଇ ଦେଇଥିଲେ । ଘଟଣା ସ୍ଥଳରୁ ପୁଲିସ ଛତ୍ରଭଙ୍ଗ ଦେଇଥିବାବେଳେ ପରେ ମୟୂରଭଞ୍ଜ ଆଡିସନାଲ ଏସପି ଦୀପକ କୁମାର ଗୋଚ୍ଛାୟତ ବହଳଦାକୁ ପହଞ୍ଚିବା ସହ ଆହୁରୀ ୨ ପ୍ଲାଟୁନ ପୁଲିସ ବଳକୁ ଡକାଇଥିଲେ । ପରେ ବିଜେଡିର ପୂର୍ବତନ ସଭାପତି କାଶିନାଥ ହେମ୍ବ୍ରମ ପୁଲିସ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିଥିଲେ । ଏନେଇ ପୀଡିତାଙ୍କ ପକ୍ଷରୁ ଏତେଲା ଦିଆଯିବା ସହିତ ଆହତ ପୀଡିତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା । ଏହାପରେ ବିକ୍ଷୋଭକାରୀ ରାସ୍ତା ଅବରୋଧରୁ ହଟିଥିଲେ ।
ପରେ ପୁଲିସ୍ ବଳ ବିଞ୍ଝୁଆ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିବା ସହ ପୁଲିସ୍ ଉପରେ ଆକ୍ରମଣ ଓ ମାଜିଷ୍ଟ୍ରେଟଙ୍କ ଗାଡି ଭଙ୍ଗାରୁଜା ଅଭିଯୋଗରେ ୩୮ ଜଣଙ୍କୁ ଗିରଫ କରିଛି । ଏନେଇ ବହଳଦା ଥାନାରେ ୪୦/୨୬ ରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି ।
ଅଧିକ ପଢ଼ନ୍ତୁ :- ଗରିଆପାଲି ଟ୍ରିପଲ ମର୍ଡ଼ର ଘଟଣା, ୨ ଦିନ ପରେ ଧରାପଡ଼ିଲା ଅଭିଯୁକ୍ତ ରମେଶ ଗରିଆ