ଭବାନୀପାଟଣା,୧୩।୫: କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ଅଞ୍ଚଳରେ ବନୀକରଣ ଯୋଜନାରେ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଚାରି ଜଣ ବନ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ୪ ବନ ଅଧିକାରୀ ହେଲେ ଇନଚାର୍ଜ ଜୟପାଟଣା ରେଞ୍ଜ ଡେପୁଟି ରେଞ୍ଜର ସୈରେନ୍ଦ୍ରୀ ବାଗ୍, ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନି, ଅଶୋକ କୁମାର ସାହୁ।
ଦକ୍ଷିଣ ବନ ବିଭାଗର କଳାହାଣ୍ଡିର ଜୟପାଟଣା ରେଞ୍ଜରେ "ପ୍ରତିପୂରକ ବନୀକରଣ ଯୋଜନା" ଅଧୀନରେ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟବହାର ସମ୍ପର୍କରେ ଭିଜିଲାନ୍ସ ସୂଚନା ପାଇଥିଲା। ଯୋଜନା ଅଧୀନରେ ବୃକ୍ଷରୋପଣ ଯାଞ୍ଚ ପାଇଁ ଭିଜିଲାନ୍ସର ୨୫ ଜଣ ଅଧିକାରୀଙ୍କୁ ନେଇ ୪ଟି ଦଳ ଗଠିତ ହୋଇଥିଲା। ବୃକ୍ଷରୋପଣ ପାଣ୍ଠିକୁ ଅନେକ ମିଛ ଶ୍ରମ ଆକାଉଣ୍ଟକୁ ପଠାଯାଇ ଅର୍ଥର ଅପବ୍ୟବହାର କରାଯାଇଥିବା ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ମିଳିଥିଲା। ସୈରେନ୍ଦ୍ରୀ ବାଗ୍ ଡେପୁଟି ରେଞ୍ଜର ଇନଚାର୍ଜ ଜୟପାଟଣା ରେଞ୍ଜ, ଉମେଶ ରାଉତ ଫରେଷ୍ଟର, ଦେବରାଜ ସୁନାନି ଫରେଷ୍ଟର, ଅଶୋକ କୁମାର ସାହୁ ଫରେଷ୍ଟର,ଲଳିତ ନାୟକ ଫରେଷ୍ଟର ଗାର୍ଡ ଜୟପାଟଣା ରେଞ୍ଜ, ୨୦୨୩-୨୪ ଆର୍ଥିକ ବର୍ଷରେ ବୃକ୍ଷରୋପଣ କାର୍ଯ୍ୟରେ ଚାରା ରୋପଣ ନକରି ଏବଂ ରେକର୍ଡ ଜାଲିଆତି କରି ୭୯,୫୪,୬୩୫/- ଟଙ୍କା ଆତ୍ମସାତ କରିଛନ୍ତି। କୋରାପୁଟ ଭିଜିଲାନ୍ସ ଉକ୍ତ ପାଞ୍ଚ ଜଣ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଚାରି ବନ ଅଧିକାରୀଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।