ନୂଆଦିଲ୍ଲୀ, ୧୦।୧୨: ଓଡ଼ିଶାରେ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ୪୭ଟି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇସାରିଥିବା ବେଳେ ୬୪ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଆଜି ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଉପଯୁକ୍ତ ଜମି ଉପଲବ୍ଧ ନହେବା, ସଠିକ ଆପ୍ରୋଚ୍ ରୋଡ୍ ନିର୍ମାଣ କରାନଯିବା ଏବଂ ଭୌଗଳିକ ସମସ୍ୟା।

  • ଓଡ଼ିଶାରେ ମଞ୍ଜୁର ହୋଇଛି ୧୧୧ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ
  • ରାଜ୍ୟରେ ୬୪ଟି ବିଦ୍ୟାଳୟର  ଚାଲିନିର୍ମାଣ କାର୍ଯ୍ୟ 
  • ସର୍ବଭାରତୀୟ ସ୍ତରରେ ୧୦,୩୯୧ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ପାଇଁ ଅଭିଯାନ ଜାରି

ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ) ସର୍ବଭାରତୀୟ ସ୍ତରରେ ଏକଲବ୍ୟ ବିଦ୍ୟାଳୟ କର୍ମଚାରୀ ଚୟନ ପରୀକ୍ଷା (ଇଏସଏସଇ)-୨୦୨୩ ମାଧ୍ୟମରେ ୧୦,୩୯୧ ପଦବୀରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରଥମ ଅଭିଯାନ କାର୍ଯ୍ୟକାରୀ କରାଯାଇଛି । ଏହା ଅଧୀନରେ ବିଭିନ୍ନ ବିଦ୍ୟାଳୟରେ ମନୋନୀତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୭୨୬୭ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀ ପୂରଣ ପାଇଁ ଇଏସଏସଇ-୨୦୨୫ ର ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଏହାସହିତ, କର୍ମଚାରୀମାନଙ୍କୁ ଡେପୁଟେସନରେ ଏବଂ ଆଉଟସୋର୍ସିଂ ଆଧାରରେ ନିୟୋଜିତ କରିବା ଲାଗି ରାଜ୍ୟ ସରକାରଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହାଦ୍ଵାରା ଶୈକ୍ଷିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବ ନାହିଁ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆଦିବାସୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ଏହି ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଆଧୁନିକ ପାଠାଗାର, ବିଜ୍ଞାନ ଓ କମ୍ପ୍ୟୁଟର ପ୍ରୟୋଗଶାଳା, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଆବାସିକ ସୁବିଧା, କ୍ରୀଡା, କଳା ଏବଂ ସଙ୍ଗୀତ ଭଳି କାର୍ଯ୍ୟକଳାପ ନିମନ୍ତେ ସୁବିଧା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବୃତ୍ତିଗତ ତାଲିମ ଭଳି ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି। ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ତାଲିମ କାର୍ଯ୍ୟକ୍ରମ ଏବଂ କର୍ମଶାଳା ମଧ୍ୟ ଆୟୋଜିତ କରାଯାଉଛି।