ବେଙ୍ଗାଲୁରୁ, ୩।୬: କର୍ଣ୍ଣାଟକ ରାଜନୀତିରେ ଆଜି ଏକ ବଡ଼ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ସଂକଟମୋଚକ କୁହାଯାଉଥିବା ବରିଷ୍ଠ ନେତା ଡି.କେ. ଶିବକୁମାର ବୁଧବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ଅପରାହ୍ନ ୪ଟାରେ ସ୍ଥାନୀୟ ଲୋକଭବନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ଥାଭର ଚନ୍ଦ ଗେହଲଟ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେବା ପରେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ଗତ ଶନିବାର ଦିନ ତାଙ୍କୁ ଆନୁଷ୍ଠାନିକ ଭାବେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୧୦-୧୨ ବିଧାୟକ ହେବେ ମନ୍ତ୍ରୀ:

ବୁଧବାର ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସହ ପ୍ରାୟ ୧୦ରୁ ୧୨ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇପାରନ୍ତି । ତେବେ ଏହି ମାସରେ ହେବାକୁ ଥିବା ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନ ପରେ ମନ୍ତ୍ରୀମଣ୍ଡଳର ପୂର୍ଣ୍ଣାଙ୍ଗ ସମ୍ପ୍ରସାରଣ କରାଯିବ । ଏହା ପୂର୍ବରୁ ଗତକାଲି ଦିଲ୍ଲୀରେ ମନ୍ତ୍ରୀମଣ୍ଡଳ ଗଠନକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଡି.କେ. ଶିବକୁମାରଙ୍କ ସହ ସିଦ୍ଧାରାମୈୟା ମଧ୍ୟ ସାମିଲ ଥିଲେ । ଉଭୟ ନେତା ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ, ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେୱାଲାଙ୍କ ସହ ମଧ୍ୟ ପୃଥକ ଭାବେ ରଣନୀତି ପ୍ରସ୍ତୁତ କରିଛନ୍ତି ।

କାହାକୁ ମିଳିବ ମନ୍ତ୍ରୀ ପଦ ?

ମଙ୍ଗଳବାର ବିଳମ୍ବିତ ରାତିରେ ଶିବକୁମାର ଓ ସିଦ୍ଧାରାମୈୟା ବେଙ୍ଗାଲୁରୁ ଫେରିଛନ୍ତି । ମିଳିଥିବା ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ଆଜି ଯେଉଁ ପ୍ରମୁଖ ନେତାମାନେ ଶପଥ ନେଇପାରନ୍ତି, ସେମାନେ ହେଲେ ଜି. ପରମେଶ୍ୱର (ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ସମ୍ଭାବନା), ପ୍ରିୟଙ୍କ ଖଡ଼ଗେ (କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ), ରାମାଲିଙ୍ଗା ରେଡ୍ଡୀ, ଏମ.ବି. ପାଟିଲ, ୟତୀନ୍ଦ୍ର ସିଦ୍ଧାରାମୈୟା (ପୂର୍ବତନ ସିଏମ ସିଦ୍ଧାରାମୈୟାଙ୍କ ପୁଅ) । କର୍ଣ୍ଣାଟକ ସମ୍ବିଧାନ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୩୪ ଜଣ ମନ୍ତ୍ରୀ ରହିପାରିବେ । ତେଣୁ ବାକି ପଦଗୁଡ଼ିକ ଆଗାମୀ ଦିନରେ ପୂରଣ କରାଯିବ ।

ମନ୍ତ୍ରୀମଣ୍ଡଳରେ ଜାତି ଓ ଆଞ୍ଚଳିକ ସମୀକରଣ ରକ୍ଷା ପାଇଁ ପ୍ରୟାସ:

ନୂଆ କ୍ୟାବିନେଟ୍ରେ କଂଗ୍ରେସ ପୁରୁଣା ଅଭିଜ୍ଞ ନେତା ଏବଂ ନୂଆ ଚେହେରାଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି । ଏଥିସହ ରାଜ୍ୟର ବିଭିନ୍ନ ଜାତିଗତ ସମୀକରଣ, ଆଞ୍ଚଳିକ ପ୍ରତିନିଧିତ୍ୱ ଏବଂ ସିଦ୍ଧାରାମୈୟାଙ୍କ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହାଇକମାଣ୍ଡ ଯୋଜନା କରିଛନ୍ତି । ଚର୍ଚ୍ଚା ହେଉଛି ଯେ, ରାଜ୍ୟରେ ଏକାଧିକ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ଏବଂ ପୂର୍ବ ସିଦ୍ଧାରାମୈୟା ସରକାରଙ୍କ କିଛି ମନ୍ତ୍ରୀଙ୍କୁ ଚେୟାର ହରାଇବାକୁ ପଡ଼ିପାରେ । ଡି.କେ. ଶିବକୁମାରଙ୍କ ଆଗରେ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଆଶାୟୀଙ୍କ ଲମ୍ବା ତାଲିକାକୁ ସନ୍ତୁଷ୍ଟ କରିବା । ଯଦି କୌଣସି ବରିଷ୍ଠ ଗୋଷ୍ଠୀ ବାଦ୍ ପଡ଼ନ୍ତି, ତେବେ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିବାର ଆଶଙ୍କା ରହିଛି । ସେପଟେ ସିଦ୍ଧାରାମୈୟାଙ୍କ ପୁତ୍ର ୟତୀନ୍ଦ୍ର ସିଦ୍ଧାରାମୈୟା ଗଣମାଧ୍ୟମକୁ କହିଛନ୍ତି ଯେ, ହାଇକମାଣ୍ଡ ତାଙ୍କୁ ମନ୍ତ୍ରୀ ପଦ ପାଇଁ ଆଶ୍ୱାସନା ଦେଇଛନ୍ତି ଏବଂ ସେ କ୍ୟାବିନେଟ୍ରେ ସାମିଲ ହେବା ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି ।

ସିଦ୍ଧାରାମୈୟାଙ୍କୁ ମିଳିଲା ବଡ଼ ଦାୟିତ୍ୱ:

ମୁଖ୍ୟମନ୍ତ୍ରୀ ପଦରୁ ସମ୍ମାନର ସହ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସିଦ୍ଧାରାମୈୟାଙ୍କୁ କଂଗ୍ରେସ ଦଳ ତରଫରୁ ବଡ଼ ପୁରସ୍କାର ମିଳିଛି । ମଙ୍ଗଳବାର ଦିନ ତାଙ୍କୁ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି 'କଂଗ୍ରେସ କାର୍ଯ୍ୟକାରୀ କମିଟି' (CWC) ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି, ଯାହା ଦ୍ୱାରା ଜାତୀୟ ରାଜନୀତିରେ ତାଙ୍କର ଦବଦବା ବଜାୟ ରହିବ ।

ଆହୁରି ପଢ଼ନ୍ତୁ... ଗାଈ ମାଂସ ତରକାରୀ ଖାଇବ କି ? ଶୁଭେନ୍ଦୁ ଅଧିକାରୀଙ୍କୁ ଭିଡିଓରେ ପଚାରିଥିବା ମହିଳା ଅଟକ