କଳାହାଣ୍ଡି,୧୫।୭ : ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ମନ୍ତବ୍ୟକୁ ନେଇ ତୁମୁଳକାଣ୍ଡ । ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ଯୁବତୀ ରହିଛନ୍ତି। କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧିନସ୍ଥ ପଣ୍ଡିଗାଁରେ ଏହି ଘଟଣା ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧିନସ୍ଥ ପଣ୍ଡିଗାଁର ଯୁବତୀ ମାନେ ନାଚ ଗୀତ କରି ଗତ ରଜ ଉତ୍ସବ ପାଳନ କରିଥିଲେ।ଏହି ନାଚ ଗୀତର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଇଥିଲା। କିନ୍ତୁ ଏହି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓକୁ ନେଇ ତେନ୍ତୁଳିଖୁଣ୍ଟିର ସଂପୃକ୍ତ ଯୁବକ ଜଣକ ବିଭିନ୍ନ ଅଶ୍ଳୀଳ ପ୍ରତିକ୍ରିୟା ଦେଇଥିଲା । ଯୁବତୀମାନେ ସଂପୃକ୍ତ ଯୁବକକୁ ଚିହ୍ନଟ କରିଥିଲେ । ଯୁବକ ଜଣକ ସୋମବାର ସଂଧ୍ୟାରେ ପଣ୍ଡିଗାଁ ପଟକୁ ଆସିଥିବା ବେଳେ ଯୁବତୀ ମାନେ କିଛି ଯୁବକଙ୍କ ସହାୟତାରେ ଧରିବା ପରେ ନିସ୍ତୁକ ମାଡ ମାରିଥିଲେ । ଏହାପରେ ସଂପୃକ୍ତ ଯୁବକଙ୍କ ସମ୍ପର୍କୀୟ ଆସିବା ପରେ ଛାଡି ଦେଇଥିଲେ। କିନ୍ତୁ ମାଡ ଖାଇଥିବା ଯୁବକ ଜଣକ ଘରେ ପହଂଚିବା ପରେ ପରିବାର ଲୋକ କଲମପୁର ଥାନାରେ ବିଳମ୍ବିତ ରାତିରେ ଏ ନେଇ ଏତଲା ଦେଇଥିଲେ। ଏହି ଘଟଣା ଜାଣିବା ପରେ ମଙ୍ଗଳବାର ଧର୍ମଗଡ ଏସଡିପିଓ ମୁକ୍ତି କୁମାର କୁଲୁ କଲମପୁର ଥାନାରେ ପହଂଚି ଘଟଣାର ତଦନ୍ତ କରିଥିଲେ । ୨ ଜଣ ଯୁବକ ଏବଂ ୪ ଜଣ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।