କୋରାପୁଟ,୦୩/୦୩: ସାଇବର ଅବରାଧୀଙ୍କୁ ଧରିବାକୁ ପୁଲିସର ଅପରେସନ୍ ‘କବଚ’। ପୁଲିସ୍ ଓ ଅପରାଧ ଶାଖାର ପ୍ରାଥମିକ ଛାନଭିନ୍ ବେଳେ ଜିଲ୍ଲାର ୬୨୧ଟି ବେନାମୀ ବ୍ୟାଙ୍କ୍ ଆକାଉଣ୍ଟ ଚିହ୍ନଟ ହୋଇଛି । ସେଥିରେ ଲକ୍ଷାଧିକ ଟଙ୍କାର ବେଆଇନ୍ କାରକାର ହୋଇଥିବା ଜଣାପଡ଼ିଛି । ଏ ନେଇ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତ ଥାନାଧିକାରୀଙ୍କୁ ସ୍ୱତନ୍ତ୍ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି ରୋହିତ ବର୍ମା ।

ତଦନ୍ତ ବେଳେ କୋଟପାଡ଼ ବ୍ଲକର ଏକ ଲ୍ୟାମ୍ପ୍ସର ଡାଟାଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରାଯାଇଛି । ସେ ହେଲେ କୋଟପାଡ଼ ବ୍ଲକ୍ ବଂଶୁଲିର ସଞ୍ଜୟ କୁମାର ବିଷୋୟୀ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସ୍ ସୂଚନା ଅନୁଯାୟୀ, ସଞ୍ଜୟ ୧୦ରୁ ଅଧିକ ଲୋକଙ୍କ ଆଧାର, ପ୍ୟାନ୍ ଓ ଅନ୍ୟାନ୍ୟ ପରିଚୟ ପତ୍ର ତଥ୍ୟ ବେଆଇନ ଭାବେ ସଂଗ୍ରହ କରିଥିଲେ । ବିଭିନ୍ନ ଲୋକଙ୍କୁ ପ୍ରଲୋଭିତ କରି ଆକାଉଣ୍ଟ ଖୋଲିଥିଲେ । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଆକାଉଣ୍ଟ ଜରିଆରେ ବାହାର ରାଜ୍ୟର ଅଜଣା ବ୍ୟକ୍ତିମାନେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ ପାଇଁ ବ୍ୟବହାର କରିଥିଲେ । ତଦନ୍ତରୁ ଜଣାପଡ଼ିବା ପରେ ସଞ୍ଜୟଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ମୋବାଇଲ୍ ଫୋନ୍ ଓ ବ୍ୟାଙ୍କ ସମ୍ବନ୍ଧୀୟ ଦଲିଲପତ୍ର ଜବତ କରାଯାଇଛି । ତାହାକୁ ସାଇବର ଫାରେନସିକ ଟିମ୍ ଛାନ୍ଭିନ୍ କରୁଛି ।

ଗତ କିଛି ମାସ ହେଲା ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଶାଖାରେ ବେଆଇନ୍ ନେଣଦେଣ ହୋଇଥିବା ଚିହ୍ନଟ ହୋଇଥିଲା । ଅନେକ ଲୋକ ସେମାନଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଥିବା ବିଷୟରେ ଜାଣିନାହାନ୍ତି । ଗ୍ରାମାଞ୍ଚଳର ଗରିବ ଓ ଅଶିକ୍ଷିତ ଲୋକଙ୍କ ପରିଚୟପତ୍ର ଦୁର୍ବ୍ୟବହାର ହୋଇଥିବା ଜଣାପଡ଼ିଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ଓଡ଼ିଶା ସହ ଆନ୍ଧ୍ର, ଛତିଶଗଡ଼ ଓ ଝାଡ଼ଖଣ୍ଡର କେତେକ ଠକଙ୍କ ସହ ଯୋଗାଯୋଗ ରହିଥିବା ସୂଚନା ମିଳିଛି । ଅନ୍ଲାଇନ୍ ଠକେଇ, ଲଟେରି ମେସେଜ୍, ଡିଜିଟାଲ ଲୋନ୍ ଠକେଇ ପରି ଅପରାଧର ଟଙ୍କା ଏହି ବେନାମୀ ଆକାଉଣ୍ଟ ମାଧ୍ୟମରେ କରାଯାଉଥିବା ତଦନ୍ତକାରୀ ସଂସ୍ଥା ଅନୁମାନ କରାଯାଉଛି ।

ଆହୁରି ପଢନ୍ତୁ-ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ ଦେବନୀତି

ସାଇବର ଠକେଇର କେତେକ ମାଷ୍ଟରମାଇଣ୍ଡ୍ ଛତିଶଗଡ଼ରେ ଲୁଚିଥିବା ସନ୍ଦେହ ରହିଛି । ସେମାନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସାଇବର ଥାନା ଇନ୍ସପେକ୍ଟର-ଇନଚାର୍ଜ ଜନ୍ମେଜୟ ମଲିକ କହିଛନ୍ତି । ନିଜ ନିଜ ଅଞ୍ଚଳରେ ଥିବା ସନ୍ଦେହଜନକ ବ୍ୟାଙ୍କ୍ ଆକାଉଣ୍ଟର ତାଲିକା ସଂଗ୍ରହ କରି ଯାଞ୍ଚ କରିବାକୁ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କ ଅଧିକାରୀମାନଙ୍କ ସହ ସମନ୍ୱୟ କରି ଆକାଉଣ୍ଟ ଖୋଲିବା ପ୍ରକ୍ରିୟା, କେୱାଇସି ତଥ୍ୟ ଓ ନେଣଦେଣ ବିବରଣୀ ସଂଗ୍ରହ କରାଯାଉଛି । ଯେଉଁ ଆକାଉଣ୍ଟରେ ଅସାମାନ୍ୟ ଟ୍ରାଞ୍ଜାକ୍ସନ ଦେଖାଯାଉଛି, ସେଗୁଡ଼ିକୁ ଅସ୍ଥାୟୀ ଭାବେ ଫ୍ରିଜ୍ କରାଯାଉଛି । ଅନେକ ଆକାଉଣ୍ଟରେ ଛୋଟ ଛୋଟ ରାଶି ଜମା କରି ପରେ ଅନ୍ୟ ଆକାଉଣ୍ଟକୁ ପଠା ଯାଇଥିବା ତଦନ୍ତରୁ ଜଣାପଡ଼ିଛି ।