ଭୁବନେଶ୍ୱର,୧୯/୩ (ନଳିନୀ କୁମାର ରାଉତ) : ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ପଦବି ଖାଲି। ଅଧାରୁ ଅଧିକ ପଦବିରେ ନାହାନ୍ତି ଶିଶୁ ରୋଗ ବିଶେଷଜ୍ଞ। ମୋଟ ୫୯୧ ମଞ୍ଜୁରିପ୍ରାପ୍ତ ପଦବିରେ ଅଛନ୍ତି କେବଳ ୨୨୨ ଜଣ। ଖାଲି ପଡ଼ିଛି ୩୬୯ ପଦବି। ଅର୍ଥାତ ରାଜ୍ୟର ୬୩ ପ୍ରତିଶତ ପଦବିରେ ନାହାନ୍ତି ଶିଶୁ ବିଶେଷଜ୍ଞ। ଯାହାକି ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଚିନ୍ତା ବଢ଼ାଉଛି। ପିଲା ଅସୁସ୍ଥ ହେଲେ କେଉଁ ଶିଶୁ ବିଶେଷଜ୍ଞଙ୍କ ପାଖକୁ ଯିବେ ଭାବି ପିତାମାତାଙ୍କ ହୋସ୍ ଉଡ଼ିଯାଉଛି। ପିଲାଙ୍କ ଚିକିତ୍ସା ନେଇ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ପିତାମାତାମାନେ ଶିଶୁର ଚିକିତ୍ସା ପାଇଁ ଗୋଟିଏ ହସ୍ପିଟାଲ୍‌ରୁ ଆଉ ଗୋଟିଏ ହସ୍ପିଟାଲ୍‌ ଧାଇଁବାରେ ଲାଗିଛନ୍ତି। ଦୈନିକ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳୁଛି। 

ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଦିବାସୀ ଓ ଉପାନ୍ତ ଅଞ୍ଚଳ ସରକାରୀ ହସ୍ପିଟାଲ୍‌ର ସ୍ଥିତି ସଙ୍ଗିନ ରହିଛି। ଗଜପତି ଜିଲ୍ଳାରେ ୧୧ ମଞ୍ଜୁରିପ୍ରାପ୍ତ ପଦବିରେ କେହି ଶିଶୁ ବିଶେଷଜ୍ଞ ନାହାଁନ୍ତି। ସମାନ ସ୍ଥିତି ନୟାଗଡ଼ ଜିଲ୍ଲାରେ ଦେଖାଦେଇଛି । ସେଠାରେ ୧୬ ମଞ୍ଜୁରିପ୍ରାପ୍ତ ପଦବି ଫାଙ୍କା ପଡ଼ିଛି। ବୌଦ୍ଧ ଜିଲ୍ଲାରେ ୮ ପଦବିରେ ଜଣେ ମାତ୍ର ଶିଶୁ ବିଶେଷଜ୍ଞ ଅଛନ୍ତି। ରାୟଗଡ଼ା ଜିଲ୍ଲାରେ ୧୬ ପଦବିରେ ମାତ୍ର ୨ ଜଣ ଅଛନ୍ତି। କୋରାପୁଟ ଜିଲ୍ଲାରେ ୨୫ ପବଦିରେ ୧୯ ପଦବି ବିଶେଷଜ୍ଞ ଶୂନ୍ୟ ରହିଛି। 

ସେହିପରି ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାରେ ୪୫ ବିଶେଷଜ୍ଞ ପଦବିରୁ ୩୩ରେ କେହି ନାହାନ୍ତି। କନ୍ଧମାଳରେ ୨୫ ପଦବିରୁ ୨୨ ଏବଂ ନବରଙ୍ଗପୁରରେ ୧୬ରୁ ୧୫ ପଦବି ଖାଲି ପଡ଼ିଛି । ଅନ୍ୟ ଜିଲ୍ଲାରେଗୁଡ଼ିକରେ ସ୍ଥିତି ବି ଉଣା ଅଧିକ ସମାନ ରହିଛି। ଅନୁଗୁଳରେ ୧୫ ପଦବିରୁ ୧୦ ଜଣ ଅଛନ୍ତି । ସେହିପରି ବାଲେଶ୍ୱର ୧୧, ବରଗଡ଼ରେ ୧୬, ବଲାଙ୍ଗିରରେ ୧୨, ଭଦ୍ରକରେ ୨, କଟକରେ ୧୩, ଦେବଗଡ଼ରେ ୪, ଢ଼େଙ୍କାନାଳରେ ୧୩, ଗଞ୍ଜାମ ଜିଲ୍ଲାରେ ୨୫ ପଦବି ଖାଲି ପଡ଼ିଛି। ଜଗତସିଂହପୁର ୧୪ ପଦବିରୁ ୫, ଯାଜପୁର ୧୫ରୁ ୭, ଝାରସୁଗୁଡ଼ା ୯ରୁ ୨, କଳାହାଣ୍ଡି ୨୪ରୁ ୧୮, କେନ୍ଦ୍ରାପଡ଼ାରେ ୧୩ରୁ ୭, କେନ୍ଦୁଝରରେ ୨୫ରୁ ୧୪, ଖୋର୍ଦ୍ଧାରେ ୨୦ରୁ ୭ ପଦବି ଫାଙ୍କା ପଡ଼ିଛି। ଏହାଛଡ଼ା ମାଲକାନଗିରି ୧୩ରୁ ୧୧, ପୁରୀ ୨୧ରୁ ୯, ସମ୍ବଲପୁର ୧୮ରୁ ୯, ସୁବର୍ଣ୍ଣପୁରରେ ୧୦ରୁ ୩, ସୁନ୍ଦରଗଡ଼ରେ ୨୬ରୁ ୧୭, କ୍ୟାପିଟାଲ ହସ୍ପିଟାଲରେ ୧୫ରୁ ୭ ଓ ଆରଜିଏଚ୍‌ ରାଉରକେଲା ୯ପଦବିରୁ ୪ ଖାଲି ପଡ଼ିଛି।

ଏହି ଖବରଟିକୁ ପଢନ୍ତୁ- ୫୧ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ଆରମ୍ଭ, ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ