ନୂଆଦିଲ୍ଲୀ,୦୪/୦୬; ରେଷ୍ଟୁରାଣ୍ଟ ପରେ ଜଳିଲା ହସ୍ପିଟାଲ । ଜଳିଗଲେ ରୋଗୀ । ଦିଲ୍ଲୀ ମାଲବ୍ୟ ନଗର ଭୟଙ୍କର ଅଗ୍ନିକାଣ୍ଡକୁ ମାତ୍ର କିଛି ଘଣ୍ଟା ପୁରିଛି ଆଉ ଏକ ଦୁର୍ଘଟଣା ଘଟିଛି । ବିହାର ମୁଜାଫରପୁରର ପ୍ରସାଦ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ବଢିପାରେ । ୨୦ ଜଣଙ୍କୁ ଆହତ କରାଯାଇଛି । ଅନେକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ହସ୍ପିଟାଲରେ ଆତଙ୍କ ଖେଳିଯାଇଯାଇଛି । ସର୍ଟ ସର୍କିଟ କାରଣରୁ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ ଜାରି ରହିଛି ।

ମୁଜାଫରପୁରର ବ୍ରହ୍ମପୁରାରେ ଥିବା ପ୍ରସାଦ ହସ୍ପିଟାଲରେ ଭୋର ସମୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡକୁ ନେଇ ସମଗ୍ର ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଛି । ପଞ୍ଚମ ମହାଲର ଆଇସିୟୁ ୱାର୍ଡରେ ନିଆଁ ଲାଗିଛି । ନିଆଁ, ଧୂଆଁ ହସ୍ପିଟାଲକୁ ଗ୍ରାସ କରିଛି । ପ୍ରାଥମିକ ସୂଚନା ଅନୁସାରେ, ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ବୋଲି କୁହାଯାଉଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଛି । ମୃତ୍ୟୁସଂଖ୍ୟା ୧୦ ବୋଲି ଆଶଙ୍କା କରାଯାଉଛି । ୨୦ରୁ ଅଧିକ ରୋଗୀ ଆହତ ହୋଇଛନ୍ତି । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନରେ ଲାଗିଥିଲେ । ଅଗ୍ନିଶମ କର୍ମଚାରୀ ଝରକା ଭାଙ୍ଗି ଫସି ରହିଥିବା ରୋଗୀଙ୍କୁ ଉଦ୍ଧାର କରିଥିଲେ । ଏହି ଅଘଟଣ ହସ୍ପିଟାଲ ପରିଚାଳନା ବିରୋଧରେ ସାଧାରଣରେ ଆକ୍ରୋଶ ସୃଷ୍ଟି କରିଛି । ଘଟଣାସ୍ଥଳରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପ୍ରଶାସନ ଉପରେ ସମ୍ବେଦନହୀନତାର ଅଭିଯୋଗ ଆଣିଛନ୍ତି। ଜଣେ ପୀଡିତ କାନ୍ଦି କାନ୍ଦି କହିଛନ୍ତି, ତାଙ୍କ ବାପାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ । ସେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

 

ଏହା ବି ପଢନ୍ତୁ...ମାଲବ୍ୟ ନଗର ଅଗ୍ନିକାଣ୍ଡ: ଜଳି ମରୁଥିଲେ କର୍ମଚାରୀ, ୪୫ ମିନିଟ୍ ଯାଏଁ ମୃତ୍ୟୁର ତାଣ୍ଡବ ଦେଖୁଥିଲେ ହୋଟେଲ ମାଲିକ…

କହି ରଖୁଛି କି, ଗତକାଲି ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଥିବା ଏକ ୬ ମହଲା ହୋଟେଲ ଫ୍ଲେରିଶ ଷ୍ଟେରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିଯୋଗୁଁ ବିଲ୍ଡିଂଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ୧୦ ଭାରତୀୟ ଏବଂ ୧୧ ଜଣ ବିଦେଶୀ ନାଗରିକ ଥିଲେ । କିଛି ଲୋକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ନିଆଁ ଲାଗିବା ପରେ ହୋଟଲେ ବହୁ ଲୋକ ଫସି ରହିଥିଲେ । ଭୟରେ କିଛି ଲୋକ ଜୀବନ ବିକଳରେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ମହଲାରୁ ଡେଉଁଥିବା ସୋସିଆଲ ମିଡିଆ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ହୋଟଲ ପାଖରେ ଏନଓସି ନଥିଲା । ବିଲ୍ଡିଂ ମାଲିକ ଲଭକେଶ ବଜାଜ ଗିରଫ ହୋଇଛନ୍ତି ।