ନୂଆଦିଲ୍ଲୀ, ୯/୧ :  ଗୋଟିଏ ଓଭରରେ ୬ ଚୌକା କିମ୍ବା ୬ଛକ୍କା ଲଗାଯାଇପାରେ । କିନ୍ତୁ ଗୋଟିଏ ଓଭରରେ ୭ଚୌକା କିମ୍ବା ୭ ଛକ୍କା ଲଗାଇବା ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ସାମ୍ନାକୁ ଆସିଛି ଗୋଟିଏ ଓଭରରେ ୭ଚୌକା। ଏବେ ଭାରତରେ ଖେଳାଯାଉଥିବା ଓ୍ବାନଡେ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ୨୦୨୪-୨୫ର ଗୋଟିଏ ମ୍ୟାଚରେ ଭାରତୀୟ ବ୍ୟାଟର ନାରାୟଣ ଜଗଦୀଶନ କ୍ରିଜରେ ଥିଲେ ଏବଂ ସେହି ଓଭରରେ ପ୍ରାୟ ୭ ଚୌକା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କିଭଳି ହୋଇଛି ଏହି କମାଲ୍ । 

ବିଜୟ ହଜାରେ ଟ୍ରଫିର ଦ୍ବିତୀୟ ପ୍ରିଲିମିନାରୀ କ୍ବାର୍ଟର ଫାଇନାଲ ରାଜସ୍ଥାନ ଏବଂ ତାମିଲନାଡ଼ୁ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ତାମିଲନାଡ଼ୁର ବ୍ୟାଟର ନାରାୟଣ ଜଗଦୀଶନ ଗୋଟିଏ ଓଭରରେ ୬ ଚୌକା ଲଗାଇବାର କମାଲ୍ କରିଛନ୍ତି । କିନ୍ତୁ ଗୋଟିଏ ଓଭରରେ ପ୍ରାୟ ୭ଚୌକା ସାହାଯ୍ୟରେ ୨୯ରନ୍ ଆସିଛି ।

ଏହି ମ୍ୟାଚରେ ତାମିଲନାଡ଼ୁ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଦ୍ବିତୀୟ ପାଳିର ଦ୍ବିତୀୟଓଭରରେ ରନ୍ ଚେଜ୍ କରିବା ସମୟରେ ଗୋଟିଏ ଓଭରରେ ୭ଚୌକା ଲଗାଇବାର କମାଲ୍ ହୋଇଛି । ତାମିଲନାଡ଼ୁର ବ୍ୟାଟିଂ ସମୟରେ ରାଜସ୍ଥାନ ତରଫରୁ ଦ୍ବିତୀୟ ଓଭର ନେଇ ଅମନ ସିଂହ ଶେଖାଓ୍ବତ ପ୍ରଥମ ବଲ୍ ଓ୍ବାଇଡ ଫିଙ୍ଗିଦେଲେ । ଯାହା ଉପରେ ଚୌକା ବି ବାହାରିଥିଲା । ଏହିଭଳି ଭାବେ ଓଭରର ଆରମ୍ଭ ହେବା ମାତ୍ରକେ ପ୍ରଥମରୁ ୫ରନ୍ ଆସିଯାଇଥିଲା ।

ପରେ ଗୋଟିଏ ଓଭରର ୬ବଲରେ ନରାରଣ ଜଗଦୀଶନ ୬ଚୌକା ଲଗାଇ ୨୪ରନ୍ କରିଛନ୍ତି । ଏହିଭଳି ଭାବେ ଓଭରରେ ପ୍ରାୟ ୭ଚୌକାର ସାହାଯ୍ୟରେ ୨୯ରନ୍ କରିଥିଲେ । ଏହି ଓଭରର ଭିଡ଼ିଓ ବିସିସିଆଇ ଦ୍ବାରା ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି ।