ନୂଆଦିଲ୍ଲୀ,୨୭/୦୩; ଆସନ୍ତାକାଲିଠୁ ଜମିବ କ୍ରିକେଟ । ଉଛୁଳିବ ଷ୍ଟାଡିୟମ । ଚୌକା-ଛକା ବର୍ଷା ହେବ । ରେକର୍ଡ-ରୋମାଞ୍ଚ ସହ ରଣନୀତି । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ର ୧୯ତମ ସଂସ୍କରଣ ପାଇଁ ବିସିସିଆଇ ଏ ନେଇ ପୂର୍ଣ୍ଣ ଲିଗ୍ ପର୍ଯ୍ୟାୟ କ୍ରୀଡ଼ାସୂଚୀ ଘୋଷଣା କରିଛି । ପୂର୍ବରୁ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ତାରିଖ ମଧ୍ୟରେ ପ୍ରଥମ ୨୦ଟି ମ୍ୟାଚର କ୍ରୀଡ଼ାସୂଚୀ ଘୋଷଣା ହୋଇଥିଲା । ବାକି ୫୦ଟି ଲିଗ୍ ମ୍ୟାଚ (ଏପ୍ରିଲ ୧୩ରୁ ମେ’ ୨୪)ର ତାରିଖ ଓ ଭେନ୍ୟୁ ଘୋଷଣା ହୋଇଛି । କେବଳ ୩ଟି ପ୍ଲେ-ଅଫ ମୁକାବିଲାର ସୂଚୀ ବାକି ରହିଛି । ମେ ମାସ ୨୪ ତାରିଖରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳାଯିବ ।
ସମସ୍ତ ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍-୧ରେ ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ରହିଛନ୍ତି । ଗ୍ରୁପ୍୨ରେ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷେ୍ନø ସୁପରଜାଏଣ୍ଟ୍ସ ସ୍ଥାନ ପାଇଛନ୍ତି । ଏଥର ଫର୍ମାଟ୍ରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଗତ ୩ବର୍ଷ ଧରି ଗୋଟିଏ ଗ୍ରୁପ୍ରେ ରହିଥିବା ଦଳ ପରସ୍ପରକୁ ୨ଥର ଓ ଅନ୍ୟ ଗ୍ରୁପ୍ର ଦଳକୁ ଥରେ ଲେଖାଏଁ ଭେଟୁଥିଲେ । ମାତ୍ର ଏଥର ଗୋଟିଏ ଗ୍ରୁପ୍ ସମସ୍ତ ଦଳ ପରସ୍ପରକୁ ଥରେ ଲେଖାଏଁ ଓ ଅନ୍ୟ ଗ୍ରୁପ୍ ଦଳକୁ ୨ଥର ଲେଖାଏଁ ସାମ୍ନା କରିବେ । ଫଳ ସ୍ୱରୂପ ଏଥର ଡବଲ୍ ଏଲକ୍ଲାସିକୋ (ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ) ଦେଖିବାକୁ ମିଳିବ । ୫ଥର ଲେଖାଏଁ ଚାମ୍ପିଅନ ହୋଇ ସାରିଥିବା ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗ୍ରୁପ୍ରେ ରହିଥିବାରୁ ପରସ୍ପରକୁ ୨ଥର ଭେଟିବେ ।
ଏହା ବି ପଢନ୍ତୁ...ବିସିସିଆଇର ବଡ଼ ଘୋଷଣା: ଏଥର IPLରେ ହେବନି ଉଦ୍ଘାଟନୀ ଉତ୍ସବ
ଏପ୍ରିଲ ୨୩ ତାରିଖରେ ୱାଙ୍ଖଡ଼େ ଓ ମେ’ ୨ ତାରିଖରେ ଚିପକ ଷ୍ଟାଡ଼ିୟମ ଉଭୟ ମ୍ୟାଚ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଏଥର ନାଇଟ୍ ରାଇଡର୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସକୁ ୨ଥର ଲେଖାଏଁ ସାମ୍ନା କରିବ । ଏଥର ଅପରାହ୍ଣରେ ମୋଟ୍ ୧୨ଟି ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଦଳ ଅପରାହ୍ଣରେ ୨ଟି ଲେଖାଏଁ ମ୍ୟାଚ ଖେଳିବାକୁ ସୁଯୋଗ ପାଇବେ । କେବଳ ରାଜସ୍ଥାନ ରୟାଲ୍ସ ଗୋଟିଏ ହେଲେ ଅପରାହ୍ଣ ମ୍ୟାଚ ଆୟୋଜନ କରୁନଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ଅପରାହ୍ଣ ମ୍ୟାଚ ଆୟୋଜନ କରିବାକୁ ସୁଯୋଗ ପାଇଛି । ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଅପରାହ୍ଣରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ସୂଚନାଯୋଗ୍ୟ, ଆଇପିଏଲ୍ରେ ଅପରାହ୍ଣ ମ୍ୟାଚର ବେଶ୍ ଗୁରୁତ୍ୱ ରହିଛି । ରାତ୍ରିରେ କାକର ପ୍ରଭାବ ପକାଉ ଥିବାବେଳେ ଅପରାହ୍ଣ ମ୍ୟାଚ ଦଳର ରଣନୀତିରେ ପରିବର୍ତ୍ତନ ଆଣିଥାଏ ।