ଭୁବନେଶ୍ବର, ୧୧।୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ଭୋଟିଂ ହୋଇଛି। ଏଥିସହ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି ।
ଅପରାହ୍ନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬% ଭୋଟିଂ ହୋଇଥିଲା । ସେହିପରି ଅପରାହ୍ନ ଗୋଟାଏ ସୁଦ୍ଧା ୫୧.୪୨ ପ୍ରତିଶତ ଭୋଟିଂ ହୋଇଥିଲା । ପୂର୍ବାହ୍ନ ୧୧ଟା ସୁଦ୍ଧା ମତଦାନର ହାର ପ୍ରାୟ ୩୨.୫୧% ରହିଥିଲା । ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଥିଲା।
ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ସମସ୍ତ ବୁଥରେ ଓ୍ବେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା।