ଦମିସ୍କ (ସିରିଆ) :ସିରିଆରେ ଶୁକ୍ରବାର ନମାଜ ବେଳେ ଏକ ମସଜିଦରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ସେଠାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ସୂଚନା ଆଧାରରେ ଏହିମସଜିଦଟି ସଂଖ୍ୟାଲଘୁ ଆଲାୱିଟ୍ ଅଞ୍ଚଳରେ ଅବସ୍ଥିତ। ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଅନୁସାରେ,ବିସ୍ଫୋରଣଟି ଇମାମ ଅଲି ବିନ୍ ଆବି ତାଲିବ୍ ମସଜିଦ ଭିତରେ ହୋଇଥିଲା। ସୂଚନା ପାଇବା କ୍ଷଣି ଜରୁରୀକାଳୀନ ଦଳଗୁଡ଼ିକ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇ ଥିଲେ।

 

ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ବିସ୍ଫୋରଣର କାରଣ ଏବେ ଜଣାପଡ଼ି ନାହିଁ। ସିରିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହି ଦୁଃଖଦ ଘଟଣାଟିକୁ ଏକ ଆତଙ୍କବାଦୀ ବିସ୍ଫୋରଣ ବୋଲି କହିଛି ଏବଂ କହିଛି ଯେ,ଶୁକ୍ରବାର ନମାଜ ସମୟରେ ମସଜିଦକୁ ଟାର୍ଗେଟ କରାଯାଇଥିଲା। ଏଏଫପି ଖବରସଂସ୍ଥା ରିପୋର୍ଟ କରିଛି।

 

ବିସ୍ଫୋରଣ ପରେ,ସ୍ଥାନୀୟ ଗଣମାଧ୍ୟମ କହିଛି ଯେ,ସୁରକ୍ଷା ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ମସଜିଦକୁ ଘେରାବନ୍ଦୀ କରାଯାଇଥିଲା। ଆକ୍ରମଣ ପଛରେ କିଏ ଅଛି ତାହା ଜାଣିବାକୁ ତଦନ୍ତ ଆରମ୍ଭ ହୋଇ ଯାଇଛି। ପ୍ରାଥମିକ ତଦନ୍ତ ଅନୁସାରେ,ମସଜିଦ ଭିତରେ ବିସ୍ଫୋରକ ଉପକରଣ ରଖାଯାଇଥିଲା,ସୁରକ୍ଷା ସଂସ୍ଥା ଏକ ଅଜ୍ଞାତ ସୁରକ୍ଷା ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟ କରିଛି।

 

ସରକାରୀ ନ୍ୟୁଜ୍ ସଂସ୍ଥା ଅନୁସାରେ,ସିରିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ,ହା ଭୀରୁତାପୂର୍ଣ୍ଣ କାର୍ଯ୍ୟ ମାନବ ଏବଂ ନୈତିକ ମୂଲ୍ୟବୋଧ ଉପରେ ଏକ ସ୍ପଷ୍ଟ ଆକ୍ରମଣଯାହା ସିରିଆକୁ ଅସ୍ଥିର କରିବା ଏବଂ ସିରିଆ ଲୋକଙ୍କ ସହନ ଶକ୍ତିକୁ ଦୁର୍ବଳ କରିବା ପାଇଁ ନୈରାଶ୍ୟଜନକ ପ୍ରୟାସକୁ ଦର୍ଶାଉଛି।

 

କହି ରଖୁଛୁ ଯେ,ଗତବର୍ଷ ବଶର ଅସଦଙ୍କ ରାଷ୍ଟ୍ରପତି ପଦରୁ ଗାଦିଚ୍ୟୁତ ହେବା ପରେ,ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ଦେଖା ଦେଇଛି,ଯେଉଁଥିରେ ଇସଲାମିକ ଗୋଷ୍ଠୀ ହୟାତ ତାହରିର ଅଲ-ଶାମଙ୍କ ନେତୃତ୍ରେ ବିଦ୍ରୋହୀମାନେ ଆକ୍ରମଣ କରୁଛନ୍ତି।