ଝାରସୁଗୁଡା,୭।୩ : ଲାଇକେରା ଥାନା ଅଧୀନ ତାଲମୁଣ୍ଡା ଗ୍ରାମରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରି ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ସୁନା-ରୁପା ଅଳଙ୍କାର, ନଗଦ ଏକ ଲକ୍ଷ ୪୩ ହଜାର ଟଙ୍କା ଓ ଏକ ବୋଲେରୋ ଗାଡ଼ି ଜବତ ହୋଇଛି।
ଗତ ୩ ତାରିଖ ବିଳମ୍ବିତ ରାତିରେ ତାଲମୁଣ୍ଡା ଅଞ୍ଚଳରେ ଏହି ଡକାୟତି ଘଟିଥିଲା। ଘଟଣାକୁ ଗୁରୁତ୍ୱ ସହ ନେଇ ଝାରସୁଗୁଡ଼ା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ସାଇବର ସେଲର ସହାୟତାରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପୁଲିସ ମାତ୍ର ୭୨ ଘଣ୍ଟା ମଧ୍ୟରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅଞ୍ଚଳର ଦୀପକ ଖଡ଼ିଆ (୨୫), ଅଶୋକ ଖଡ଼ିଆ (୨୦), ଆକାଶ ସାହୁ (୨୪), ଅଜୟ ମୁଣ୍ଡା (୧୯), ଧନଞ୍ଜୟ ଖଡ଼ିଆ (୪୭), ବାବଲୁ ବରାଭୟା (୨୨) ଓ ରେଙ୍ଗାଲି-ଲାଇକେରା ଅଞ୍ଚଳର ଭୋଳା ନାୟକ (୨୫), ବିଶାଳ ଓରାମ (୨୭) ଓ ବିଶ୍ୱଜିତ ପସାୟତ (୨୭)।