ଆସାମା ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି

ଗୌହାଟୀ୨୩।୨: ନିକଟରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ଦେଶୀ ମଦ ପିଇ ଶତାଧିକ ଲୋକଙ୍କର ଜୀବନ ଯିବା ଖବର ମନରୁ ଲିଭିନଥିବା ବେଳେ ଆଜି ଆସାମରେ ଅନୁରୂପ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆସାମର ଗୋଲଘାଟ ଓ ଜୋରହାଟ ଜିଲ୍ଲାର ୩ଟିସ୍ଥାନରେ ହୋଇଥିବା ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି । ଗୋଲଘାଟରୁ ୭୦ ଓ ଜୋରହାଟରୁ ୨୦ ଲୋକ ମୃତ୍ୟୁବରଣ କରିଛନ୍ତି । ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଏସବୁ ଅଞ୍ଚଳର ଡାକ୍ତରଖାନା ପରିଦର୍ଶନରେ ଯାଇ ଅସୁସ୍ଥ ଲୋକମାନଙ୍କୁ ଭେଟିଛନ୍ତି । ବିଷାକ୍ତ ମଦ ପିଇ ପ୍ରାୟ ୨୦୦ ବ୍ୟକ୍ତି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟର ଏହା ସବୁଠୁ ବଡ଼ ମଦମୃତ୍ୟୁ ଘଟଣା ହୋଇଥିବା ବେଳେ ଏଥିରେ ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଵାଲ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମନ୍ତ୍ରୀ ତପନ କୁମାର ଗୋଗୋଇ, ଜୋରହାଟ ସାଂସଦ କାମାକ୍ଷା ପ୍ରସାଦ ତାସା ଏବଂ ଖୁମଟାଇ ବିଧାୟକ ମୃଣାଳ ସାଇକିଆ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି।