ହରଭଙ୍ଗା,୦୩/୧୧: ଓଡ଼ିଶାର ଗ୍ରାମ୍ୟ ଜୀବନରେ କାର୍ତ୍ତିକ ମାସର ମହନୀୟତାର ପ୍ରମାଣ ଦାଣ୍ଡ ଦୁଆର ଆଉ ଅଗଣାରେ ପଡ଼ିଥିବା ମୁରୁଜ ଚିତା ହିଁ ଦେଇଆସିଛି। ପୁରପଲ୍ଲୀରେ ଏହି କାର୍ତ୍ତିକ ବ୍ରତକୁ ନାନା ଢ଼ଙ୍ଗରେ ପାଳନ କରାଯାଏ। ସେହିପରି କାର୍ତ୍ତିକ ଏକାଦଶୀ ଦିନର ଶୁଭ କୈଳାସୀ ଯାତ୍ରା ବୌଦ୍ଧ ଜିଲ୍ଲାର ରାମଗଡ ଗାଁର ଶୋଭାବର୍ଦ୍ଧନ କରିଆସୁଛି କାହିଁ କେଉଁ କାଳରୁ। ପରମ୍ପରାନୁସାରେ ଶ୍ରଦ୍ଧା, ଶୃଙ୍ଖଳା ଓ ଭକ୍ତିଭାବ ସହ ବିଶେଷ ଉତ୍ସାହ ସହିତ ପାଳନ ହୋଇଆସୁଛି ଏହି ପ୍ରଥା। ଚଳିତ ବର୍ଷ ମଧ୍ୟ ଯାତ୍ରାର ଜାକଜକମ, ଧାର୍ମିକ ମହିମା, ଓ ସାମାଜିକ ସହଭାଗୀତା ଦେଖିବାକୁ ମିିଳିଛି ଗାଁ ପରିବେଶରେ। ସକାଳ ଠାରୁ ମନ୍ଦିର ପରିବେଶରେ ଭଜନ-କୀର୍ତ୍ତନ, ଶଂଖଧ୍ୱନି ଓ ଦୀପଶିଖାର ଆଲୋକ ଗାଁରେ ଆଧ୍ୟାତ୍ମିକ ଏକାଗ୍ରତାର ଛାପ ଛାଡ଼ୁଛି। 
ଢ଼ୋଳ-ମହୁରୀ,  ପାରମ୍ପରିକ ବାଦ୍ୟର ତାଳ ଶବ୍ଦରେ ଯାତ୍ରା ପରିବେଶ ହୃଦୟସ୍ପର୍ଷି ହୋଇଉଠେ। 
ଶ୍ରଦ୍ଧାଳୁ ଭକ୍ତ ଓ ମହିଳାମାନେ ଶୁଭ କୈଳାସୀକୁ ମୁଣ୍ଡରେ ମୁଣ୍ଡାଇ ମହାନଦୀକୁ ଏକ ବିରାଟ ପଟୁଆରରେ ଯାଇ ଗାଁ ପରିକ୍ରମା ପରେ କୈଳାସୀକୁ ପୁଣି ଗମ୍ଭୀରାକୁ ନିଆଯାଇଥାଏ। ଯାତ୍ରା ସନ୍ଧ୍ୟାରେ ଆକର୍ଷଣୀୟ ସାମାଜିକ ନାଟକ ଲୋକଙ୍କୁ ମନୋରଞ୍ଜନର ମାହୋଲ ଭେଟିଦେଇଥିଲା। ସେହିପରି ହରଭଙ୍ଗା ଠାରେ ମଧ୍ୟ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଥିବା ନଜିର ରହିଛି।ବିଶେଷ କରି ହରଭଙ୍ଗା ଠାରେ ଏହି ରାହସ ବା କୈଳାସୀ ଯାତ୍ରା ଦେଢ଼ଶହ ପୂର୍ବରୁ ହୋଇ ଆସିଚି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।