ଭୁବନେଶ୍ୱର,୨୫/୧୦: ବିଏଡ୍‌ ଡିଗ୍ରୀ ଧାରୀ ପ୍ରାଥମିକ ଶିକ୍ଷକ ୬ ମାସିଆ ବ୍ରିଜ୍‌ କୋର୍ସ କରିବା ବାଧ୍ୟତାମୂଳକ । ଯଦି କୋର୍ସ କରି ଉତ୍ତୀର୍ଣ୍ଣ ନହେବେ ତେବେ ସେମାନଙ୍କ ନିଯୁକ୍ତି ବାତିଲ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ର ମାର୍ଗଦର୍ଶିକା ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଚିଠି କରାଯାଇଛି ।

୨୦୧୮ ଜୁନ୍‌ ୨୮ ପରଠୁ କିମ୍ବା ୨୦୨୩ ଅଗଷ୍ଟ ୧୧ ପୂର୍ବରୁ ନିଯୁକ୍ତ ବିଏଡ୍‌ ଡିଗ୍ରୀଧାରୀ ପ୍ରାଥମିକ ଶିକ୍ଷକ ଏହି ବ୍ରିଜ୍‌ କୋର୍ସ କରିବେ । ଏହି ୬ ମାସିଆ କୋର୍ସ ଅନ୍‌ଲାଇନ୍‌ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ କରିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଓ ଏନ୍‌ସିଟିଇର ମାର୍ଗଦର୍ଶିକା ଅନୁଯାୟୀ, ଯେଉଁ ଶିକ୍ଷକ ବିଏଡ୍‌ କରି ପ୍ରାଥମିକ ସ୍କୁଲ ଶିକ୍ଷକ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଶିକ୍ଷାଦାନ କରୁଥିବେ ସେମାନଙ୍କୁ ଏହି ୬ ମାସିଆ ଅନ୍‌ଲାଇନ୍‌ ନିରନ୍ତର କୋର୍ସ କରିବାକୁ ହେବ । ବିଫଳ ହେଲେ ନିଯୁକ୍ତି ବାତିଲ ହେବ । ଏକ ବର୍ଷ ମଧ୍ୟରେ ଏହି କୋର୍ସ କରିବାକୁ ହେବ । ଏହା କେବଳ ନିଯୁକ୍ତି ପାଇଁ କାର୍ଯ୍ୟକାରୀ ହେବ । ତେଣୁ କେଉଁ ଜିଲ୍ଲାରେ କେତେ ପ୍ରାଥମିକ ଶିକ୍ଷକ କେବଳ ବିଏଡ୍‌ କରି ନିଯୁକ୍ତି ପାଇଛନ୍ତି ତାର ତାଲିକା ମଧ୍ୟ ଗଣଶିକ୍ଷା ବିଭାଗ ମାଗିଛି । ଉଲ୍ଲେଖଯୋଗ୍ୟ, ବ୍ରିଜ୍‌ କୋର୍ସରେ ଶିଶୁର ବିକାଶ ଓ ଶୈକ୍ଷିକ ମନସ୍ତତ୍ୱ ପଢ଼ାଯିବ । ଅନ୍ୟ କିଛି ରାଜ୍ୟରେ ଏହାକୁ କଡ଼ାକଡ଼ି ମଧ୍ୟ କରାଯାଇଛି ।