କଥାରେ ଅଛି, 'ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ' । ଯେଉଁମାନଙ୍କୁ ଦିନେ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଥିଲା, ଆଜି ତାଙ୍କ ପୁଅ ବିଶ୍ୱ ବିଜେତା । ସାହାରା ମରୁଭୂମିର ଉତ୍ତପ୍ତ ବାଲି, ମାନବ ଚୋରା ଚାଲାଣକାରୀଙ୍କ ପ୍ରତାରଣା, ଆଉ ଜୀବନ ବଞ୍ଚାଇବା ପାଇଁ କାହିଁ କେତେ ଦୂରର ପଦଯାତ୍ରା... ଏ ସବୁକୁ ପଛରେ ପକାଇ ଆଜି ଜଣେ ମା'ର ପୁଅ ପାଲଟିଛି 'ବିଶ୍ୱ ବିଜେତା' । ଆମେ କହୁଛୁ ଫିଫା ବିଶ୍ୱକପ୍ ୨୦୨୬ର ଫାଇନାଲ୍ ହିରୋ ନିକୋ ୱିଲିୟମ୍ସଙ୍କ କଥା । ସ୍ପେନକୁ ବିଶ୍ୱ ବିଜେତା କରିବା ପରେ, ଯେତେବେଳେ ନିକୋ ନିଜର ସ୍ୱର୍ଣ୍ଣ ପଦକ ଆଣି ଷ୍ଟାଡିୟମରେ ତାଙ୍କ ମା'ଙ୍କ ବେକରେ ପିନ୍ଧାଇ ଦେଲେ, ସେତେବେଳେ ସାରା ବିଶ୍ୱ ଦେଖିଲା ଏହି ଭାବପୂର୍ଣ୍ଣ ଦୃଶ୍ୟ । କିନ୍ତୁ ଏହି ସଫଳତା ପଛର କାହାଣୀ କେତେ ଯେ ସଂଘର୍ଷପୂର୍ଣ୍ଣ, ତାହା ସମସ୍ତଙ୍କ ଆଖି ଆଢ଼ୁଆଳରେ ।

୨୦୨୬ ଫିଫା ବିଶ୍ୱକପ୍ ଫାଇନାଲ । ହୃଦ୍ସ୍ପନ୍ଦନ ବଢ଼ାଇ ଦେଲା ଭଳି ଫାଇନାଲ୍ ମ୍ୟାଚ୍ । ସାମ୍ନାରେ ଥିଲା ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା । ସ୍ପେନର କୋଚ୍ ମ୍ୟାଚ୍ ର ୭୪ତମ ମିନିଟରେ ଷ୍ଟାର୍ଟିଂ ଇଲେଭେନରେ ନଥିବା ୱିଙ୍ଗର ନିକୋ ୱିଲିୟମ୍ସଙ୍କୁ ପଡ଼ିଆକୁ ଓହ୍ଲାଇଥିଲେ । ପଡ଼ିଆକୁ ଆସୁ ଆସୁ ନିକୋ ମ୍ୟାଚ୍ର ଦିଗ ବଦଳାଇ ଦେଇଥିଲେ । ଏକ୍ସଟ୍ରା ଟାଇମ୍ର ଦ୍ୱିତୀୟ ହାଫ୍ ରେ ବାହାରକୁ ଚାଲିଯାଉଥିବା ଏକ ବଲ୍ କୁ ନିକୋ ଏକ ଚମତ୍କାର ହେଡର୍ ମାରି ନିଜ ସାଥୀ ଖେଳାଳି ଫେରାନ୍ ଟୋରେସ୍ ଙ୍କ ଆଡ଼କୁ ପାସ୍ କରିଥିଲେ । ଆଉ ଟୋରେସ୍ ଏହାକୁ ସିଧା ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ । ଏହି ଏକମାତ୍ର ଗୋଲ୍ ବଳରେ ସ୍ପେନ ୧-୦ ରେ ଆର୍ଜେଣ୍ଟିନାକୁ ହରାଇ ବିଶ୍ୱବିଜେତା ମୁକୁଟ ପିନ୍ଧିଛି ।

ଆଜି ଯେଉଁ ନିକୋ ୱିଲିୟମ୍ସ ସ୍ପେନର ଗୌରବ ପାଲଟିଛନ୍ତି, ତାଙ୍କ ଜନ୍ମ ସ୍ପେନରେ ହୋଇଥିଲେ ବି ସେ ଘାନାର ମୂଳ ବାସିନ୍ଦା । ୧୯୯୩ ମସିହାରେ ନିକୋଙ୍କ ବାପା ଫେଲିକ୍ସ ଏବଂ ମା' ମାରିଆ ନିଜ ପରିବାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଘାନା ଛାଡ଼ି ୟୁରୋପ ଅଭିମୁଖେ ବାହାରିଥିଲେ । ମାନବ ଚୋରା ଚାଲାଣକାରୀଙ୍କୁ ୧୦୦୦ ଡଲାର ଦେଇ ସେମାନେ ସାହାରା ମରୁଭୂମି ପାର୍ ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ, ଅଧା ବାଟରେ ସେହି ନିଷ୍ଠୁର ତସ୍କରମାନେ ସେମାନଙ୍କୁ ଟ୍ରକ୍ ରୁ ଓହ୍ଲାଇ ମରୁଭୂମିରେ ମରିବାକୁ ଛାଡ଼ି ଦେଇଥିଲେ । ବିନା ଖାଦ୍ୟ ଓ ପାଣିରେ, ୫୦ ଡିଗ୍ରୀର ଉତ୍ତପ୍ତ ବାଲିରେ ସେମାନଙ୍କୁ କାହିଁ କେତେ ଦୂର ଚାଲିବାକୁ ପଡ଼ିଥିଲା ।

ଏହା ବି ପଢ଼ନ୍ତୁ... Donald Trump: ଫିଫା ଫାଇନାଲରେ ହଟହଟା ଟ୍ରମ୍ପ; ସ୍ପେନ୍ ବିଜୟ ଉତ୍ସବରେ ବାଧା ଦେଲେ, ହାତଧରି ହଟାଇଲେ ଅଧିକାରୀ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଅସହ୍ୟ ସଂଘର୍ଷ ସମୟରେ ମା' ମାରିଆ ଗର୍ଭବତୀ ଥିଲେ । ତାଙ୍କ ଗର୍ଭରେ ଥିଲେ ନିକୋଙ୍କ ବଡ଼ ଭାଇ ଇନାକି ୱିଲିୟମ୍ସ । କୌଣସି ମତେ ସେମାନେ ସ୍ପେନର ମେଲିଲା ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ବେଆଇନ ଅନୁପ୍ରବେଶ ପାଇଁ ଗିରଫ ହୋଇଥିଲେ । କିନ୍ତୁ, ସେଠାରେ ଜଣେ ଓକିଲ ତାଙ୍କୁ ସାହାଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ବାସ୍କ ଅଞ୍ଚଳର ଜଣେ ଚର୍ଚ୍ଚ ପାଦ୍ରୀ 'ଇନାକି' ସେମାନଙ୍କୁ ଆଶ୍ରୟ ଦେଇଥିଲେ, ଯାହାଙ୍କ ନାଁ ଅନୁସାରେ ବଡ଼ ପୁଅର ନାମ 'ଇନାକି' ରଖାଯାଇଥିଲା । ୨୦୦୨ରେ ଜନ୍ମ ହୋଇଥିଲେ ନିକୋ । ଆଜି ନିକୋ ଓ ଇନାକି ଏହି ଦୁଇ ଭାଇ ସ୍ପେନର ପ୍ରସିଦ୍ଧ କ୍ଲବ୍ 'ଏଥଲେଟିକୋ ବିଲବାଓ' ପାଇଁ ଏକାଠି ଖେଳୁଛନ୍ତି । ଇନାକି ଏ ପର୍ଯ୍ୟନ୍ତ ୫୧୦ଟି ମ୍ୟାଚ୍ ଖେଳି ୧୧୪ଟି ଗୋଲ୍ କରିସାରିଛନ୍ତି ଏବଂ ସାନ ଭାଇ ନିକୋ ୧୯୯ଟି ମ୍ୟାଚ୍ ରେ ୩୭ଟି ଗୋଲ୍ କରିଛନ୍ତି । ଚଳିତ ୨୦୨୬ ବିଶ୍ୱକପ୍ ରେ ଆଉ ଏକ ରୋମାଞ୍ଚକର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବଡ଼ ଭାଇ ଇନାକି ନିଜର ମୂଳ ଦେଶ 'ଘାନା' ପକ୍ଷରୁ ଖେଳୁଥିବା ବେଳେ, ସାନ ଭାଇ ନିକୋ 'ସ୍ପେନ' ପକ୍ଷରୁ ଖେଳୁଥିଲେ । ଦିନେ ଯେଉଁ ପରିବାରକୁ ମରୁଭୂମିରେ ମରିବା ପାଇଁ ଛାଡ଼ି ଦିଆଯାଇଥିଲା, ଆଜି ସେହି ପରିବାରର ଦୁଇ ଦୁଇଟି ପୁଅ ବିଶ୍ୱ ଫୁଟବଲ୍ ମଞ୍ଚରେ ରାଜ୍ କରୁଛନ୍ତି । ନିକୋଙ୍କର ଏହି ସଫଳତା ପ୍ରମାଣ କରିଛି ଯେ, ସଂଘର୍ଷ ଯେତେ ବଡ଼ ହେଲେ ବି ଯଦି ସଂକଳ୍ପ ଦୃଢ଼ ଥାଏ, ତେବେ ଭାଗ୍ୟ ବି ଦିନେ ମଥାନତ କରେ ।