ନୂଆଦିଲ୍ଲୀ ୨୨/୦୭: ଜାପାନରେ ଗ୍ରୀଷ୍ମଋତୁର ତାତି ଅସହ୍ୟ ହେଉଛି । ହିଟ୍‌ୱେଭ୍‌ର ମୁକାବିଲା ଲାଗି ଲୋକଙ୍କୁ ସାହାଯ୍ୟ କରିବାକୁ କମ୍ପାନି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି । ଏହି କ୍ରମରେ ଏକ କମ୍ପାନି ନୂଆ ତଥା ଅସାଧାରଣ ଉଦ୍ଭାବନ ପାଇଁ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ‘ମାନବ ରେଫ୍ରିଜରେଟର’ ନାମରେ ସମ୍ବୋଧନ କରାଯାଉଛି । ବିଶାଳ ଫ୍ରିଜ୍ ଭଳି ଦିଶୁଥିବା ‘ଡୁ ହିମନ୍ ବକ୍ସ’ ନାମକ ଏହି ବାକ୍ସ ଏକ ଶୀତଳୀକରଣ ବୁଥ୍ । କେବଳ ମଣିଷକୁ ଥଣ୍ଡା କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।

​​​​​​​

ଜାପାନର ରେଫ୍ରିଜରେସନ୍ ଓ ଭେଣ୍ଡିଂ ମେସିନ୍ ନିର୍ମାତା ଏସ୍‌ଡିଆର୍‌ଏସ୍‌ ଏହାକୁ ନିର୍ମାଣ କରିଛି । ଟ୍ରୁସ୍କୋ ନାକାୟାମା ଦ୍ୱାରା ଏହା ବିକ୍ରି ହେଉଛି । ଜାପାନରେ ସର୍ବସାଧାରଣରେ ଦେଖିବାକୁ ମିଳୁଥିବା ରେଫ୍ରିଜରେଟେଡ୍ ଭେଣ୍ଡିଂ ମେସିନ୍ ଦ୍ୱାରା ପ୍ରେରିତ ହୋଇ ଏହି ମାନବ ଶୀତଳୀକରଣ ବୁଥ୍ ବିକଶିତ ହୋଇଛି । ଡୁ ହିମନ୍ ବାକ୍ସ ଭିତରେ ପ୍ରବେଶ କରିବା ସମୟରୁ ଏହାର ଭିତର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ଥାଏ ।

ଆହୁରି ପଢ଼ନ୍ତୁ...Public USB Charging Scam: ରେଲୱେ ଷ୍ଟେସନରେ ଫୋନ୍ ଚାର୍ଜ କରିବା ପଡ଼ିପାରେ ମହଙ୍ଗା , ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !

ଏହା ଭିତରେ ସଂଲଗ୍ନ ଚେୟାରରେ ଯେତେବେଳେ ବ୍ୟକ୍ତି ବସନ୍ତି, ପ୍ରାୟ ୫ ଡିଗ୍ରୀ ସେଲ୍‌ସିୟସ୍ ଥଣ୍ଡା ପବନ ମୁଣ୍ଡ, ବେକ, କାନ୍ଧ, ପିଠି ସମେତ ଶରୀରକୁ ଚତୁଃପାଶ୍ୱର୍ରୁ ଥଣ୍ଡା କରି ତୁରନ୍ତ ଆରାମ ପ୍ରଦାନ କରେ । ମାତ୍ର ୫ ମିନିଟ୍‌ରେ ବ୍ୟକ୍ତି ଥଣ୍ଡା ଅନୁଭବ କରନ୍ତି । ଭୀଷଣ ଗରମ ବେଳେ ଏହି ବୁଥ୍ ଭିତରେ ୧୦ ମିନିଟ୍ ରହିଲେ, ଶରୀର ତାପମାତ୍ରା ଦ୍ରୁତ ଖସିବ ବୋଲି କମ୍ପାନି କହିଛି । ୨୦ ମିନିଟ୍ ପରେ ଥଣ୍ଡା ମେସିନ୍ ଆପଣାଛାଏଁ ବନ୍ଦ ହୋଇଯିବ ଏବଂ ଅତ୍ୟଧିକ ଥଣ୍ଡାରୁ ରକ୍ଷା ଦେବ । ସାଧାରଣ ଏସି ତୁଳନାରେ ଏହା ପ୍ରାୟ ଅଧା ବିଜୁଳି ଖର୍ଚ୍ଚ କରିବ । ଏହାକୁ ଉଭୟ ଘରେ ଓ ବାହାରେ ରଖାଯାଇ ପାରିବ । ଆବଶ୍ୟକ ସ୍ଥଳୀକୁ ମଧ୍ୟ ସହଜରେ ନିଆଯାଇ ପାରିବ । ଭୀଷଣ ଗରମରେ ନିର୍ମାଣ ସ୍ଥଳୀ, କାରଖାନା, ୱେରହାଉସ୍ ଓ ବାହାରେ କାମ କରୁଥିବା ଲୋକଙ୍କ ପାଇଁ ଏହି ମାନବ ଫ୍ରିଜ୍ ବେଶ ସହାୟକ ହେବ ।