ମାଲକାନଗିରି,୫/୧୧ : ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲଙ୍କ ନାମରେ ନକଲି ଜାତିଗତ ପ୍ରମାଣପତ୍ରର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବହୁଜନସମାଜ ପାର୍ଟିର ଜିଲ୍ଲା ସଭାପତି ଜରାସବର ମାଢି। ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମା ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବହୁ ଜନସମାଜ ପାର୍ଟିର ମାଲକାନଗିରି ଜିଲ୍ଲା ସଭାପତି ଜରାସବର ମାଢି ଅଭିଯୋଗ ଆଣିଛନ୍ତି ଜିଲ୍ଲାପରିଷଦ ଅଧ୍ୟକ୍ଷା ଜଣେ ଉଚ୍ଚ ଜାତିର ମହିଳା ହୋଇ ସେ ନକଲି ଜନଜାତି ପ୍ରମାଣପତ୍ର ସଂଗ୍ରହ କରି ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ହାସଲ କରିଛନ୍ତି।
ଓଡ଼ିଶାରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ବିଭିନ୍ନ ସମୟରେ ଅଣ ଆଦିବାସୀମାନେ ଚଂଚକତା କରି ଆଦିବାସୀ ପ୍ରମାଣପତ୍ର ହାତେଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା କିମ୍ବା ଚାକିରୀରେ ନିଯୁକ୍ତି ପାଇଥିବା ଘଟଣା ନଜରକୁ ଆସିଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଏ ପ୍ରକାର ଏକ ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ଯକ୍ଷା ସମାରି ଟାଙ୍ଗୁଲୁ ଅଣ ଆଦିବାସୀ ଅଟନ୍ତି । ଚିତ୍ରକୋଣ୍ଡା ତହସିଲ ଅଧୀନରେ ତାଙ୍କ ବାପାଙ୍କ ନାମରେ ନିଜସ୍ବ ଗ୍ରାମ ଓ ମୌଜା ବଡ଼ପଡ଼ାରେ ଖତିୟାନର କ୍ରମିକ ନଂ- ୬୩/୪୧ରେ ଜାତି କଟିଆ (ସାଧାରଣ ବର୍ଗ) ବୋଲି ରେକର୍ଡ଼ ରହିଛି।
ଯେହେତୁ ଶ୍ରୀମତୀ ତାଙ୍ଗୁଲୁ ପିତାଙ୍କ ନାମରେ ଜମି । ପଟ୍ଟାରେ ଜାତି - କଟିଆ (ସାଧାରଣ) ବୋଲି ରେକର୍ଡ଼ ରହିଥିବାରୁ ତାଙ୍କ ପୁଅଝିଅମାନେ ଆଦିବାସୀ ହେବେ କିପରି ? ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମିଥ୍ୟା ତଥ୍ୟ ଦେଇ ଅସାଧୁ ଉପାୟରେ ସେ ଜାତି ପ୍ରମାଣପତ୍ର ହାତେଇଥିବା । ତେଣୁ କରି ତୁରନ୍ତ ଜିଲ୍ଲା ପରିଷଦ ଅଧ୍ଯକ୍ଷାଙ୍କ ନକଲି ଜାତି ପ୍ରମାଣପତ୍ର ଓ ପଦବୀ ରଦ୍ଦ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଜିଲ୍ଲା ବହୁଜନ ସମାଜ ପାର୍ଟି ସମେତ ଶତାଧିକ ଆଦିବାସୀ ନେତୃତ୍ବ ସ୍ଥାନୀୟ ଲୋକମାନେ ମଧ୍ୟ ଦାବି କରିଛନ୍ତି। ଆଉ ମଧ୍ଯ ଏକାଧିକ ଅଣ ଆଦିବାସୀ ନକଲି ଆଦିବାସୀ ଜାତି ପ୍ରମାଣପତ୍ର ହାତେଇବା ଖବର ଆସୁଛି । ପରବର୍ତ୍ତି ସମୟରେ ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଏହାକୁ ଲୋକ ଲୋଚନକୁ ଅଣାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମାଢି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲଙ୍କୁ ଆମେ ଏ ସମ୍ପର୍କରେ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସେ କୌଣସି ନ କଲି ଜାତିଗତ ସାର୍ଟିଫିକେଟ ଦାଖଲ କରି ସରକାରୀ ଫାଇଦା ନେଇ ନାହାନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦେଶ୍ୟ ମୂଳକ ଭାବେ ତାଙ୍କୁ ବଦନାମ କରାଯାଉଛି ବୋଲି ଶ୍ରୀମତୀ ଟାଙ୍ଗୁଲ କହିଛନ୍ତି।