ନୂଆଦିଲ୍ଲୀ,୦୨/୧୧: ବିହାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନକୁ ୪ ଦିନ ବାକି ରହିଛି । ମାହୋଲ ସରଗରମ ହୋଇଛି । ଦୁଲାରଚାନ୍ଦ ଯାଦବ ହତ୍ୟାକାଣ୍ଡରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍ । ବାଢ ସ୍ଥିତ କାରର୍ଗିଲ ମାର୍କେଟରୁ ଜେଡିୟୁ ପ୍ରାର୍ଥୀ ତଥା ବାହୁବଳୀ ନେତା ଅନନ୍ତ ସିଂହଙ୍କୁ ଗିରଫ କରିଛି ପୁଲିସ୍ । ଦୁଲାରଚାନ୍ଦ ହତ୍ୟାକାଣ୍ଡରେ ଅନନ୍ତ ସାମିଲ ଥିବା ଅଭିଯୋଗ ହୋଇଥିଲା । ସୁତ୍ର ଅନୁସାରେ ପାଟନା ଏସ୍ଏସ୍ପି କାର୍ତ୍ତିକେୟ କେ. ଶର୍ମାଙ୍କ ସ୍ପେସାଲ ଟିମ୍ ଏହି ଆକ୍ସନ ନେଇଛି । ଶନିବାର ରାତି ପ୍ରାୟ ୧୧ଟା ୧୦ରେ ପୁଲିସ୍ ବାଢରେ ପହଞ୍ଚିଥିଲା । ୧୧ଟା ୪୫ରେ ଅନନ୍ତଙ୍କୁ ହେପାଜତକୁ ନେଇଥିଲା । ରାତାରାତି ପାଟନା ଅଭିମୁଖେ ବାହାରିଥିଲା ପୁଲିସ୍ ।
କଣ ମାମଲା- ଅକ୍ଟୋବର ୩୦ ତାରିଖରେ ମୋକାମାରେ ଜେଡିୟୁ ଓ ଜନ ସୁରଜ ପାର୍ଟି ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦଳର ସମର୍ଥକ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ । ଅନେକ ଆହତ ହୋଇଥିଲେ। ଘଟଣା ପରେ ଏକ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଥିଲେ ଜନ ସୁରଜ ସମର୍ଥକ ୭୫ ବର୍ଷୀୟ ଦୁଲାରଚାନ୍ଦ ଯାଦବ । ଯେଉଁଠାରେ ସଂଘର୍ଷ ହୋଇଥିଲା ଉକ୍ତ ଗ୍ରାମର ବାସିନ୍ଦା ଥିଲେ ଦୁଲାରଚାନ୍ଦ । ଉଭୟ ପକ୍ଷ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରମାଣ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ, ଜଣାପଡିଥିଲା ଯେ, ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରାଯାଇଥିଲା ଯାହା ଏକ ଗମ୍ଭୀର ବିଷୟ । ଘଟଣା ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କ ଉପସ୍ଥିତିରେ ଘଟିଥିବା ଜଣାପଡିଥିଲା ଯିଏକି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ଅନନ୍ତ ସିଂହଙ୍କୁ ଏବେ ଗିରଫ କରାଯାଇଛି । ତାଙ୍କ ସହଯୋଗୀ ମଣିକାନ୍ତ ଠାକୁର ଏବଂ ରଞ୍ଜିତ ରାମଙ୍କୁ ମଧ୍ୟ ଗିରଫ ହୋଇଛନ୍ତି । ୩ ଜଣଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ମାମଲାରେ, ନିର୍ବାଚନ କମିଶନ SDO ଏବଂ SP ସମେତ ଅନେକ ଅଧିକାରୀଙ୍କୁ ବଦଳି କରିଥିଲେ । ଅନନ୍ତ ସିଂହଙ୍କ ଗିରଫଦାରୀ ମୋକାମା ନିର୍ବାଚନମଣ୍ଡଳୀର ନିର୍ବାଚନ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ବିରୋଧୀ ଦଳଗୁଡ଼ିକ ଏହି ଘଟଣାକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଏବଂ ଜନସାଧାରଣଙ୍କ ସାମ୍ନାରେ ଜୋରଦାର ପ୍ରଚାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ JDU ପାଇଁ ପରିସ୍ଥିତି ଏବେ ଆହୁରି କଷ୍ଟକର ହୋଇପାରେ ।
ଏସ୍ଏସ୍ପିଙ୍କ କହିବା ଅନୁସାରେ, ଅନନ୍ତ ସିଂହ ମାମଲାର ମୁଖ୍ୟ ଅଭିଯୁକ୍ତ । ତାଙ୍କ ବ୍ୟତୀତ ଅନ୍ୟ ସନ୍ଧିଗ୍ଧଙ୍କୁ ଗିରଫ କରିବାକୁ ଚଢାଉ ଜାରି ରହିଛି । ୩ ଅଭିଯୁକ୍ତ କୋର୍ଟରେ ହାଜର କରାଯିବ । ପୁଲିସ୍ର ଏହି କାର୍ଯ୍ୟାନୁଷ୍ଠାନ ବିହାରରେ ହଲଚଳ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ଗିରଫଦାରୀ ରାଜନୈତିକ ସରଗରମ ବଢାଇଛି । ପ୍ରଶାସନ ଲାଗାତାର କହି ଆସୁଛି ନିର୍ବାଚନ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ହେବ । ନଭେମ୍ବର ୬ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବ । ଫଳାଫଳ ନଭେମ୍ବର ୧୪ରେ ବାହାରିବ ।