ଭୁବନେଶ୍ୱର, ୨୧/୦୭: ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳ ନାଁ ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।
ରାଜ୍ୟ ସରକାର ଗତ ଜୁନ୍ ୨୨ରେ ଓଡ଼ିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଇଂରାଜୀ ବନାନ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ସଂଶୋଧନ କେବଳ ଇଂରାଜୀ ବନାନ ସମ୍ବନ୍ଧୀୟ ଏବଂ ପ୍ରଶାସନିକ ଏକକଗୁଡ଼ିକର ନାଁରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଡ. ପାଢ଼ୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲିଖିତ ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ଚିଠି, ଅଧିସୂଚନା, ଅଭିଲେଖ, ୱେବ୍ସାଇଟ୍, ପୋର୍ଟାଲ୍, ବିଜ୍ଞାପନ ତଥା ନାମଫଳକରେ ଅନିବାର୍ଯ୍ୟ ଭାବେ ପ୍ରୟୋଗ କରାଯିବ । ଜିଲ୍ଲାସ୍ତରର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ଥାନୀୟ ସଂସ୍ଥା ଓ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ସଂଶୋଧିତ ବନାନର ସମ୍ପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବଳିତ କାର୍ଯ୍ୟନୁଷ୍ଠାନ ରିପୋଟ୍ର୍ ଚିଠି ପାଇବାର ୧୫ ଦିନ ମଧ୍ୟରେ ବିଭାଗକୁ ପ୍ରେରଣ କରିବାକୁ କୁହାଯାଇଛି । ସେହିପରି ସମ୍ପୃକ୍ତ ପ୍ରଶାସନିକ ଏକକ ଗୁଡ଼ିକରେ ବ୍ୟବସାୟିକ ଓ ବେସରକାରୀ ସଂସ୍ଥାମାନଙ୍କୁ ସଂଶୋଧିତ ଇଂରାଜୀ ବନାନ୍ ଅନୁଯାୟୀ ନାମଫଳକ ପରିବର୍ତ୍ତନ କରିବାକୁ ୬ ମାସର ସମୟ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :- ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା, ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତିପୂରଣ

ଡ. ପାଢ଼ୀ କହିଛନ୍ତି, ସଂଶୋଧିତ ଇଂରାଜୀ ବନାନର ସମ୍ପୂର୍ଣ୍ଣ ବ୍ୟବହାର ଦ୍ୱାରା ରାଜ୍ୟର ଭାଷାଗତ ଏବଂ ସାଂସ୍କୃତିକ ପରିଚୟର ସୁରକ୍ଷା ସହିତ ସମସ୍ତ ସରକାରୀ ଅଭିଲେଖ ଓ ପ୍ରଶାସନିକ କାର୍ଯ୍ୟରେ ସମାନତା ବଜାୟ ରହିବ ।