ପୁରୀ,୨୧/୦୭: ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆ କାମ ସୋମବାର ଆରମ୍ଭ ହୋଇଛି । ବାସେଳି ସାହି ବଡ଼ଓଡ଼ିଆ ମଠ ପରିସରରେ ପ୍ରମୁଖ ମହାପ୍ରଭୁଙ୍କ ଦର୍ଜୀ ସେବକ ପ୍ରକାଶ ମହାପାତ୍ର ଓ ତାଙ୍କ ପୁଅ ଆୟୁଷ ମହାପାତ୍ର ଚାନ୍ଦୁଆ ଅନୁକୂଳ କରିଛନ୍ତି । ରତ୍ନସିଂହାସନ ଉପରେ ଲାଗିବ କନକମୁଣ୍ଡି ଚାନ୍ଦୁଆ । ନୀଳାଦ୍ରି ବିଜେ ମହୋତ୍ସବରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରେ ବିଜେ ହେବେ । ସେହିଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମସ୍ତକ ଉପରେ ଶୋଭା ପାଇବ କନକମୁଣ୍ଡି ଚାନ୍ଦୁଆ ।
ଅଧିକ ପଢ଼ନ୍ତୁ :- Shree Mandir: ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଘୋର ଅବହେଳା, ଦଦରା କିରୀଟ ପିନ୍ଧୁଛନ୍ତି, ଭଙ୍ଗା ପଲଙ୍କରେ ଶୋଉଛନ୍ତି, କୁଆଡେ ଗଲା ଗଜଦନ୍ତ ପଲଙ୍କ ?
ପ୍ରକାଶ କୁହନ୍ତି, କନକମୁଣ୍ଡି ଚାନ୍ଦୁଆ ନିର୍ମାଣର ବିଶେଷତ୍ୱ ରହିଛି । ମୁଖ୍ୟତଃ ପଞ୍ଚବର୍ଣ୍ଣି ରଙ୍ଗରେ ପ୍ରସ୍ତୁତ ହେବ ଏହି ଚାନ୍ଦୁଆ । ଶ୍ରୀଜଗନ୍ନାଥଙ୍କ ମସ୍ତକ ଉପରେ ହଳଦିଆ ରଙ୍ଗ, ଦେବୀ ସୁଭଦ୍ରାଙ୍କ ମସ୍ତକ ଉପରେ ନାଲି ରଙ୍ଗ ଓ ଶ୍ରୀବଳଭଦ୍ରଙ୍କ ମସ୍ତକ ଉପରେ ରହିବ ସବୁଜ କପଡ଼ା ଚଉକ । ଧଳାପଟି, ହଳଦିଆ ପଟି, ଖଣ୍ଡୁଆଳି ପଟି, ସବୁଜ ପଟି, ମୋଡ଼ା ପଟି, ନାଲି ପଟି, କଳା ରଙ୍ଗ ପଟି ପରକୁ ପର ରହି ଚାନ୍ଦୁଆ ତିଆରି ହେବ । ସିଲ୍କ ଓ କଟନ୍ କନାରେ ଚାନ୍ଦୁଆ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି । ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ସେବା ଯୋଗାଯାଉଥିବା ସେ କୁହନ୍ତି ।