ନୂଆଦିଲ୍ଲୀ,୦୬/୧୦: ବିହାର ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବ । ଭାରତୀୟ ନିର୍ବାଚନ କମିଶନ ଅପରାହ୍ନ ୪ଟା ପ୍ରେସକନଫରେନ୍ସ କରିବେ ।  ଯେଉଁଥିରେ ତାରିଖ ଘୋଷଣା ହେବ । ସୂତ୍ର ଅନୁସାରେ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇପାରେ । ବିହାର ନିର୍ବାଚନ ସହିତ କିଛି ରାଜ୍ୟରେ ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହେବ । ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ ଆୟୋଗ ଟିମ୍ ଗତ ସପ୍ତାହରେ ପାଟନା ଗସ୍ତ କରିଥିଲେ । ଏବଂ ପ୍ରସ୍ତୁତିର ତଦାରଖ କରିଥିଲେ । ଏବେ ଦିଲ୍ଲୀରୁ ନିର୍ବାଚନ ତାରିଖ ଘୋଷଣା ହେବ । ନିର୍ବାଚନ ଆୟୋଗ ପକ୍ଷରୁ ହୋଇଥିବା ଭୋଟର ତାଲିକା ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍‌ଆଇଆର) ସେପ୍ଟେମ୍ବର ୩୦ରେ ଫାଇନାଲ ସୂଚୀ ଜାରି ହୋଇଥିଲା ।

​​​​​​​୨୦୦୫ରୁ ଏଯାବତ୍ ୨ରୁ କମ୍‌ ରାଉଣ୍ଡ ଭୋଟିଂ ହୋଇନାହିଁ- ସାଧାରଣତଃ ବିହାରରେ ଦୁଇରୁ ଅଧିକ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥାଏ । ଚଳିତ ନିର୍ବାଚନ ଯଦି ଗୋଟିଏ କିମ୍ବା ଦୁଇ ରାଉଣ୍ଡ ହୁଏ ତେବେ ତାହା ଗୁରୁତ୍ୱପୂର୍ଣ୍ଣ ହେବ । ୨୦୨୦ ନିର୍ବାଚନରେ ୩ ରାଉଣ୍ଡରେ ଭୋଟିଂ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମତଦାନ ୨୮ ଅକ୍ଟୋବରରେ ହୋଇଥିଲା । ଏହାପରେ ୩ ଏବଂ ୭ ନଭେମ୍ବରରେ ଭୋଟ ହୋଇଥିଲା । ୨୦୧୫ରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଏହା ପୂର୍ବରୁ ୨୦୧୦ରେ ୬ ରାଉଣ୍ଡ, ୨୦୦୫ରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଏହାଛଡା ୨୦୦୫ ଫେବୃଆରୀରେ ହୋଇଥିବା ନିର୍ବାଚନ ୩ ରାଉଣ୍ଡରେ ମତଦାନ ହୋଇଥିଲା ।

ବିହାର ଗସ୍ତରେ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଗତକାଲି ପାଟନାରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ, ''ରାଜ୍ୟର ୨୪୩ଟି ଯାକ ବିଧାନସଭା ଆସନରେ ୨୪୩ ଜଣ ଇଆରଓ (ଭୋଟର ରେଜିଷ୍ଟ୍ରେସନ ଅଫିସର) ଏବଂ ୯୦,୨୦୭ ଜଣ ବିଏଲଓ (ବୁଥ ଲେବଲ ଅଫିସର)ଙ୍କୁ ନିଯୁକ୍ତ କରାଯାଇଥିଲା । ସେମାନେ ମିଳିମିଶି ଭଲ କାମ କରିଛନ୍ତି । ଦୀର୍ଘ ୨୨ ବର୍ଷ ପରେ ଭୋଟର ତାଲିକାକୁ ସଫା କରାଯାଇଛି । ସମଗ୍ର ଦେଶରେ ନିଯୁକ୍ତ ହେବାକୁ ଥିବା ବିଏଲ୍‌ଓଙ୍କ ପାଇଁ ବିହାର ବିଏଲ୍‌ଓମାନେ ପ୍ରେରଣାର ଉତ୍ସ ପାଲଟିଛନ୍ତି । ବିହାରରେ ୧୭ଟି ନୂଆ ପଦକ୍ଷେପ ନିଆଯାଇଛି ।