ଆଜି ସେପ୍ଟେମ୍ବର ୮ ତାରିଖ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଆଗ୍ରହ ରଖୁଥିବା ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ଆଉ ବିଶେଷ ଭାବେ ମୋର ଆସାମର ଭାଇଭଉଣୀମାନଙ୍କ ପାଇଁ ଆଜିର ଦିନ ଅଧିକ ସ୍ୱତନ୍ତ୍ର । ଆଜି ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ । ସେ ଭାରତର ସବଠାରୁ ଅସାଧାରଣ ଏବଂ ସବୁଠାରୁ ପ୍ରଭାବଶାଳୀ ଗାୟକଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଚଳିତ ବର୍ଷ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନର ଅୟମାରମ୍ଭ ହେବା ଖୁସିର ବିଷୟ । ଏହା ଭାରତୀୟ କଳା ଜଗତ ଏବଂ ଜନଚେତନା ଦିଗରେ ତାଙ୍କର ମହାନ ଅବଦାନକୁ ସ୍ମୃତିଚାରଣ କରିବାର ଏହା ଏକ ଅବସର ।
ଭୂପେନ ଦା’ ଆମକୁ ଯାହା ଦେଇଥିଲେ, ତାହା ସଙ୍ଗୀତ ଠାରୁ ଢେର୍ ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ । ତାଙ୍କର କାର୍ଯ୍ୟଗୁଡ଼ିକ ସ୍ୱରକୁ ଅତିକ୍ରମ କରୁଥିବା ଭାବନାକୁ ମୂର୍ତ୍ତିମନ୍ତ କରିଥିଲା । କେବଳ ଏକ କଣ୍ଠସ୍ୱର ନୁହେଁ ବରଂ ସେ ଲୋକମାନଙ୍କ ହୃଦୟର ସ୍ପନ୍ଦନ ଥିଲେ । ଅନେକ ପିଢ଼ି ତାଙ୍କ ଗୀତ ଶୁଣି ବଡ଼ ହୋଇଛନ୍ତି । ତାଙ୍କ ସଙ୍ଗୀତରେ ସବୁବେଳେ ଦୟା, ଅନୁକମ୍ପା, ସାମାଜିକ ନ୍ୟାୟ, ଏକତା ଏବଂ ଗଭୀର ସମ୍ପର୍କବୋଧର ବିଷୟବସ୍ତୁ ସହିତ ଗୁଂଜରିତ ହୋଇଥାଏ ।
ଭୂପେନ ଦା’ଙ୍କ ରୂପରେ ଆସାମରୁ ଜନ୍ମଲାଭ କରିଥିବା ଏହି ସ୍ୱର ଏକ କାଳଜୟୀ ନଦୀ ପରି ପ୍ରବାହିତ ହୋଇଚାଲିଛି । ଭୂପେନ ଦା’ ସଶରୀରରେ ଆଜି ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କ ଶାଶ୍ୱତ କଣ୍ଠସ୍ୱର ଆଜି ବି ଆମେ ଶୁଣିପାରୁଛୁ । ସେ ସ୍ୱର ଆଜି ବି ସବୁ ସୀମା ଏବଂ ସଂସ୍କୃତିକୁ ଅତିକ୍ରମ କରିଛି । ସେଥିରେ ରହିଛି ମାନବୀୟ ଭାବନାର ସ୍ପର୍ଶ । ଭୂପେନ ଦା’ ବିଶ୍ୱ ପରିଭ୍ରମଣ କରିଥିଲେ, ସମାଜର ସବୁ ବର୍ଗର ଲୋକଙ୍କ ସହ ମିଶିଥିଲେ । କିନ୍ତୁ ସେ ଆସାମ ସହିତ ଗଭୀର ଭାବରେ ଜଡିତ ଥିଲେ । ଆସାମର ସମୃଦ୍ଧ ମୌଖିକ ପରମ୍ପରା, ଲୋକ ସଙ୍ଗୀତ ଏବଂ ଲୋକକଥା କହିବାର ଧାରା, ତାଙ୍କ ଶୈଶବକୁ ଗଭୀର ଭାବରେ ଗଢ଼ି ତୋଳିଥିଲା । ଏହି ଅଭିଜ୍ଞତା ତାଙ୍କର କଳାତ୍ମକ ଶବ୍ଦକୋଷର ମୂଳଦୁଆ ଥିଲା । ସେ ସବୁବେଳେ ଆସାମର ଜନଜାତିଙ୍କ ପରିଚୟ ଏବଂ ଏହାର ଲୋକଙ୍କ ନୀତିକୁ ସାଙ୍ଗରେ ନେଇ ଚାଲୁଥିଲେ ।
ଖୁବ୍ କମ୍ ବୟସରେ ଭୂପେନ ଦା’ଙ୍କ ନିକଟରେ ଥିବା ପ୍ରତିଭାର ପରିପ୍ରକାଶ ଘଟିଥିଲା । ମାତ୍ର ପାଞ୍ଚ ବର୍ଷ ବୟସରେ, ସେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ । ଖୁବଶୀଘ୍ର ସେ ଅନ୍ୟ କାହା ଦ୍ୱାରା ନୁହେଁ, ବରଂ ଅହମିୟା ସାହିତ୍ୟର ଅଗ୍ରଦୂତ ଲକ୍ଷ୍ମୀନାଥ ବେଜବରୁଆଙ୍କ ଧ୍ୟାନ ଆକର୍ଷଣ କରିଥିଲେ । କିଶୋର ବୟସ ବେଳକୁ ସେ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ ।
କିନ୍ତୁ ସଙ୍ଗୀତ ତାଙ୍କ ବ୍ୟକ୍ତିତ୍ୱର କେବଳ ଗୋଟିଏ ଦିଗ ଥିଲା । ଭୂପେନ ଦା’ ହୃଦୟରେ ଜଣେ ବୌଦ୍ଧିକ ବ୍ୟକ୍ତିତ୍ୱ ଥିଲେ । ସେ ଜିଜ୍ଞାସୁ, ସ୍ପଷ୍ଟବାଦୀ ଥିଲେ ଏବଂ ଦୁନିଆକୁ ଜାଣିବାର ଏକ ଅତୃପ୍ତ ଇଚ୍ଛା ତାଙ୍କ ଭିତରେ ରହିଥିଲା । ଜ୍ୟୋତି ପ୍ରସାଦ ଅଗ୍ରୱାଲା ଏବଂ ବିଷ୍ଣୁ ପ୍ରସାଦ ରାଭାଙ୍କ ପରି ସାଂସ୍କୃତିକ କିମ୍ବଦନ୍ତୀଙ୍କ ବ୍ୟକ୍ତିତ୍ୱ ତାଙ୍କ ମନରେ ଗଭୀର ଛାପ ଛାଡିଥିଲା । ଏହା ତାଙ୍କର ଜିଜ୍ଞାସୁ ମନୋଭାବକୁ ମଧ୍ୟ ଗଭୀର କରିଥିଲା ।
ଶିଖିବା ପ୍ରତି ତାଙ୍କର ଅଦମ୍ୟ ଇଚ୍ଛା, ତାଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କଟନ କଲେଜ ପର୍ଯ୍ୟନ୍ତ ଟାଣି ଆଣିଥିଲା । ସେ ବି.ଏଚ.ୟୁରେ ରାଜନୀତି ବିଜ୍ଞାନର ଛାତ୍ର ଥିଲେ, କିନ୍ତୁ ତାଙ୍କର ଅଧିକାଂଶ ସମୟ ସଂଗୀତ ସାଧନାରେ ବିତୁଥିଲା । ବନାରସ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସଂଗୀତ ମନସ୍କ କରିଥିଲା । କାଶୀର ସାଂସଦ ହୋଇଥିବା ଦୃଷ୍ଟିରୁ ତାଙ୍କ ଜୀବନ ଯାତ୍ରା ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ମୁଁ ଅନୁଭବ କରିପାରୁଛି ଏବଂ ଏହାକୁ ନେଇ ମୁଁ ଅତ୍ୟନ୍ତ ଗର୍ବିତ ।
କାଶୀଠାରୁ ଆଗକୁ ବଢ଼ିଥିବା ଜୀବନଯାତ୍ରାରେ ସେ କିଛି ସମୟ ଆମେରିକାରେ ବିତାଇଥିଲେ । ସେଠାରେ ସେ ତତ୍କାଳୀନ ସମୟର ଶ୍ରେଷ୍ଠ ବିଦ୍ୱାନ, ଚିନ୍ତାନାୟକ ଏବଂ ସଙ୍ଗୀତଜ୍ଞମାନଙ୍କ ସହ ବିଚାରମନ୍ଥନ କରିବାର ସୁଯୋଗ ପାଇଥିଲେ । ସେ କିମ୍ବଦନ୍ତୀ କଳାକାର ଏବଂ ମାନବାଧିକାର ନେତା ପଲ ରବସନଙ୍କୁ ଭେଟିଥିଲେ । ରବସନଙ୍କ ଗୀତ “ଓଲ୍ଡ ମ୍ୟାନ୍ ରିଭର’ ଭୂପେନ ଦା’ଙ୍କ ପ୍ରତୀକାତ୍ମକ ରଚନା “ବିସ୍ତୀର୍ଣ୍ଣ ପାରୋରେ... ‘ ପାଇଁ ପ୍ରେରଣା ପାଲଟିଥିଲା । ଆମେରିକାର ପୂର୍ବତନ ଫାଷ୍ଟ ଲେଡୀ, ଏଲିନର୍ ରୁଜଭେଲ୍ଟ ତାଙ୍କୁ ଭାରତୀୟ ଲୋକ ସଙ୍ଗୀତ ପରିବେଷଣ ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ।
ଭୂପେନ ହଜାରିକା ଜଣେ ମହାନ୍ ସଙ୍ଗୀତଜ୍ଞ ସହିତ ମା’ ଭାରତୀଙ୍କର ଜଣେ ସଚ୍ଚା ଉପାସକ ଥିଲେ । ଭୂପେନ ଦା’ଙ୍କ ପାଖରେ ଆମେରିକାରେ ରହି ଉଚ୍ଚ ପଦପଦବୀ ହାସଲ କରିବାର ଅନେକ ବିକଳ୍ପ ଥିଲା, କିନ୍ତୁ ସେ ଭାରତ ଫେରି ଆସିଲେ ଏବଂ ସଙ୍ଗୀତ ସାଧନାରେ ନିଜକୁ ନିମଗ୍ନ କରିଦେଲେ । ରେଡିଓରୁ ଆରମ୍ଭ କରି ରଙ୍ଗମଞ୍ଚ ପର୍ଯ୍ୟନ୍ତ, ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଶିକ୍ଷା ସମ୍ପର୍କୀତ ଡକ୍ୟୁମେଣ୍ଟାରୀ ନିର୍ମାଣ ପର୍ଯ୍ୟନ୍ତ, ସେ ପ୍ରତ୍ୟେକ ମାଧ୍ୟମରେ ପାରଙ୍ଗମ ଥିଲେ । ସେ ଯେଉଁଠାକୁ ଯାଉଥିଲେ,ନୂଆ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇବା ଉପରେ ଗୁରୁତ୍ୱ ଦେଉଥିଲେ ।
ଭୂପେନ ଦା’ଙ୍କର କୃତିରେ ଗୀତି କବିତାର ସୌନ୍ଦର୍ଯ୍ୟ ଭରି ରହିଥିଲା । ସେ ଅବିସ୍ମରଣୀୟ ସାମାଜିକ ବାର୍ତ୍ତା ମଧ୍ୟ ଦେଇଥିଲେ । ଗରିବ ଓ ଅବହେଳିତଙ୍କ ପାଇଁ ନ୍ୟାୟ, ଗ୍ରାମୀଣ ବିକାଶ, ସାଧାରଣ ନାଗରିକଙ୍କ ଶକ୍ତି, ଇତ୍ୟାଦି ପ୍ରସଙ୍ଗକୁ ସ୍ପର୍ଶ କରିଥିଲା । ତାଙ୍କ ସଙ୍ଗୀତ ମାଧ୍ୟମରେ, ସେ ଆସାମର ବ୍ରହ୍ମପୁତ୍ର ସମେତ ଅନ୍ୟାନ୍ୟ ନଦୀମାନଙ୍କରେ ନୌକା ବାହି ନେଉଥିବା ନାଉରିଆ, ଚା’ ବଗିଚା ଶ୍ରମିକ, ମହିଳା, କୃଷକ ଆଦିଙ୍କ ଆଶା ଆକାଂକ୍ଷାକୁ ସ୍ୱର ଦେଇଥିଲେ । ତାଙ୍କର ରଚନା ଲୋକମାନଙ୍କର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରୁଥିଲା । ଭୂପେନ ଦା’ଙ୍କ କୃତି ଆଧୁନିକତାକୁ ଦେଖିବା ପାଇଁ ଏକ ଶକ୍ତିଶାଳୀ ଦୃଷ୍ଟିକୋଣ ମଧ୍ୟ ପାଲଟିଥିଲା । ଅନେକ ଲୋକ, ବିଶେଷ କରି ସାମାଜିକଭାବରେ ପଛୁଆ ବର୍ଗର ଲୋକମାନେ ତାଙ୍କ ସଙ୍ଗୀତରୁ ଶକ୍ତି ଏବଂ ଆଶା ପାଇଛନ୍ତି... ଆଜି ମଧ୍ୟ ପାଉଛନ୍ତି ।
ଭୂପେନ ଦା’ଙ୍କ ଜୀବନ ଯାତ୍ରାରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଥାଏ । ତାଙ୍କର କୃତି ଦେଶସାରା ଲୋକଙ୍କୁ ଏକତ୍ରିତ କରିବା ପାଇଁ ଭାଷାଗତ ଏବଂ ଆଞ୍ଚଳିକ ସୀମା ଅତିକ୍ରମ କରିଥିଲା । ସେ ଅହମିୟା, ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ । ତାଙ୍କ ସ୍ୱରରେ ଯେଉଁ ପୀଡ଼ାର କାହାଣୀ ରହିଥିଲା, ତାହା ସବୁବେଳେ ଆମ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥାଏ । “ଦିଲ୍ ହୁମ୍ ହୁମ୍ କରେ’ରେ ଯେଉଁ ପୀଡ଼ାର ପ୍ରଭାବ ଦେଖିବାକୁ ମିଳିଥାଏ, ତାହା ସିଧା ହୃଦୟର ଗଭୀରତାକୁ ସ୍ପର୍ଶ କରିନିଏ । ଆଉ ଯେତେବେଳେ ସେ ପଚାରନ୍ତି, ‘ଓ ଗଙ୍ଗା ବେହତୀ ହେ କୁଁ୍ୟ...’, ଏପରି ଲାଗେ ସତେ ଯେପରି ପ୍ରତ୍ୟେକ ଆତ୍ମ।।କୁ ବିଦାରିତ କରି ସେ ଉତ୍ତର ମାଗୁଛନ୍ତି ।
ଭୂପେନ ଦା’ ସାରା ଭାରତ ଆଗରେ ଆସାମର କଥା କହିଥିଲେ, ଦେଖାଇଥିଲେ ଏବଂ ଅନୁଭବ କରାଇଥିଲେ। ଏହା କହିବା ଆଦୌ ଅତିଶୟୋକ୍ତି ହେବ ନାହିଁ ଯେ ସେ ଆଧୁନିକ ଆସାମର ସାଂସ୍କୃତିକ ପରିଚୟ ଗଢ଼ିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଆସାମ ଭିତରେ ଏବଂ ସାରା ଦୁନିଆରେ ଥିବା ପ୍ରବାସୀ ଅହମିୟାଙ୍କ ପାଇଁ ସେ ଆସାମର ସ୍ୱର ପାଲଟିଥିଲେ ।
ଭୂପେନ ଦା’ ଜଣେ ରାଜନୈତିକ ବ୍ୟକ୍ତି ନ ଥିଲେ, କିନ୍ତୁ ସେ ଜନସେବା ଜଗତ ସହିତ ନିବିଡ଼ ଭାବରେ ଜଡିତ ଥିଲେ । ୧୯୬୭ ମସିହାରେ, ସେ ଆସାମର ନୌବାଇଚା ନିର୍ବାଚନମଣ୍ଡଳୀରୁ ଜଣେ ନିର୍ଦ୍ଦଳୀୟ ବିଧାୟକ ଭାବରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ଦର୍ଶାଇଥିଲା ଯେ ସାଧାରଣ ଲୋକଙ୍କର ତାଙ୍କ ଉପରେ କେତେ ବିଶ୍ୱାସ ଥିଲା । ସେ ରାଜନୀତିକୁ ନିଜ କ୍ୟାରିଅର ରୂପେ ବାଛି ନଥିଲେ, କିନ୍ତୁ ସବୁବେଳେ ଲୋକଙ୍କ ସେବାରେ ନିୟୋଜିତ ରହିଥିଲେ ।
ଭାରତବାସୀ ଏବଂ ଭାରତ ସରକାର ବର୍ଷ ବର୍ଷ ଧରି ତାଙ୍କର ବିପୁଳ ଅବଦାନକୁ ସ୍ୱୀକୃତି ପ୍ରଦାନ କରିଆସିଛନ୍ତି । ତାଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲକେ ପୁରସ୍କାର, ଏବଂ ଅନ୍ୟ ବହୁ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୯ରେ ଆମରି କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବା, ମୋ’ପାଇଁ ବ୍ୟକ୍ତିଗତ ଭାବରେ ଏବଂ ଏନ.ଡି.ଏ. ସରକାରଙ୍କ ପାଇଁ ଏକ ଗୌରବର ମୁହୂର୍ତ୍ତ ଥିଲା । ସାରା ବିଶ୍ୱର ଲୋକମାନେ, ବିଶେଷ କରି ଆସାମ ଏବଂ ଉତ୍ତର- ପୂର୍ବାଞ୍ଚଳର ଜନସାଧାରଣ, ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିବାରୁ ଅପାର ଆନନ୍ଦ ପ୍ରକଟ କରିଥିଲେ । ଏହା ଥିଲା ଭୂପେନ ଦା’ଙ୍କ ହୃଦୟର ସିଦ୍ଧାନ୍ତ ପ୍ରତି ସମ୍ମାନ । ସେ କହୁଥିଲେ, ସତ୍ୟରୁ ନିସୃତ ହୋଇଥିବା ସଙ୍ଗୀତ କୌଣସି ଗୋଟିଏ ପରିଧି ମଧ୍ୟରେ ସୀମିତ ରହି ନଥାଏ । ଗୋଟିଏ ଗୀତ ଲୋକଙ୍କ ସ୍ୱପ୍ନରେ ଡେଣା ଯୋଡ଼ିପାରେ, ଏବଂ ସାରା ଦୁନିଆର ଲୋକଙ୍କ ହୃଦୟକୁ ଛୁଇଁପାରେ।
୨୦୧୧ରେ ଭୂପେନ ଦା’ଙ୍କ ବିୟୋଗ ସମୟ ମୋର ମନେ ଅଛି । ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବା ମୁଁ ଟେଲିଭିଜନ ପର୍ଦ୍ଦାରେ ଦେଖିଛି । ସେହି ସମୟରେ ପ୍ରତ୍ୟେକ ଆଖି ଲୁହ ଛଳଛଳ ଥିଲା । ବଞ୍ଚିଥିବା ସମୟ ଭଳି ମୃତ୍ୟୁ ସମୟରେ ମଧ୍ୟ ଲୋକମାନେ ତାଙ୍କ ସହ ରହିଥିଲେ । ସେଥିପାଇଁ ତାଙ୍କୁ ବ୍ରହ୍ମପୁତ୍ର ନଦୀ ଆଡ଼କୁ ମୁହଁ କରାଇ ଜଲୁକବାଡ଼ି ପାହାଡ଼ ଉପରେ ଅନ୍ତିମ ବିଦାୟ ଦିଆଯାଇଥିଲା । ବ୍ରହ୍ମପୁତ୍ର ହେଉଛି ସେହି ନଦୀ ଯାହା ତାଙ୍କର ସଙ୍ଗୀତ, ତାଙ୍କର ପ୍ରତୀକ ଏବଂ ସ୍ମୃତିଗୁଡ଼ିକର ଜୀବନରେଖା ସାଜିଥିଲା । ଆସାମ ସରକାର ଭୂପେନ ହଜାରିକା ସାଂସ୍କୃତିକ ଟ୍ରଷ୍ଟର କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇ ଦେବା ଖୁସିର ବିଷୟ । ଏହି ଟ୍ରଷ୍ଟ ଯୁବପିଢ଼ିଙ୍କ ମଧ୍ୟରେ ଭୂପେନ ଦା’ଙ୍କ ଜୀବନ ଯାତ୍ରାକୁ ଯୋଡ଼ିବାରେ ନିୟୋଜିତ ରହିଛି ।
ଭୂପେନ ଦା’ଙ୍କ ସାସ୍କୃତିକ ପରମ୍ପରାକୁ ସମ୍ମାନ ଦେବା ଲାଗି ଦେଶର ସବୁଠୁ ବଡ଼ ସେତୁକୁ ଭୂପେନ ହଜାରିକା ସେତୁ ନାମରେ ନାମକରଣ କରାଯାଇଛି । ୨୦୧୭ରେ ଯେତେବେଳେ ମୋତେ ଏହି ସେତୁ ଉଦ୍ଘାଟନ କରିବାର ସୁଯୋଗ ମିଳିଲା, ସେତେବେଳେ ମୁଁ ଅନୁଭବ କରିଥିଲି ଯେ ଆସାମ ଏବଂ ଅରୁଣାଚଳ ପ୍ରଦେଶକୁ ଯୋଡ଼ୁଥିବା ତଥା ଦୁଇ ରାଜ୍ୟ ମଧ୍ୟରେ ଦୂରତା ହ୍ରାସ କରୁଥିବା ଏହି ସେତୁର ନାମକରଣ ଭୂପେନ ଦା’ଙ୍କ ନାମରେ ହେବା ସବୁଠୁ ଉପଯୁକ୍ତ ହେବ ।
ଭୂପେନ ହଜାରିକାଙ୍କ ଜୀବନ ଆମକୁ କରୁଣାର ଶକ୍ତି ବିଷୟରେ ଅନୁଭବ କରାଇଥାଏ । ଲୋକଙ୍କ କଥା ଶୁଣିବା ଏବଂ ନିଜ ମାଟି ସହ ଯୋଡ଼ି ହୋଇ ରହିବା ଶିଖାଇଥାଏ । ଆଜି ବି ପିଲାଠୁ ବୁଢ଼ା ଯାଏ ସମସ୍ତଙ୍କ କଣ୍ଠରେ ତାଙ୍କର ଗୀତ ଶୁଣିବାକୁ ମିଳିଥାଏ । ତାଙ୍କ ସଙ୍ଗୀତ ଆମକୁ ସ୍ୱାଭିମାନୀ ଏବଂ ସାହସୀ ହେବାକୁ ଶିଖାଏ । ଏହା ଆମକୁ ଆମ ନଦୀ, ଆମ ଶ୍ରମିକ, ଆମ ଚା’ ବଗିଚା ଶ୍ରମିକ, ଆମ ନାରୀ ଶକ୍ତି ଏବଂ ଆମ ଯୁବ ଶକ୍ତିକୁ ମନେ ରଖିବାକୁ ଅନୁପ୍ରାଣିତ କରେ । ଏହା ଆମକୁ ବିବିଧତା ମଧ୍ୟରେ ଏକତାରେ ବିଶ୍ୱାସୀ ହେବାକୁ ପ୍ରେରଣା ଦେଇଥାଏ ।
ଭୂପେନ ହଜାରିକାଙ୍କ ଭଳି ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ପାଇ ଭାରତ ଧନ୍ୟ ହୋଇଛି । ଆମେ ତାଙ୍କ ଜନ୍ମ ଶତାବ୍ଦୀ ବର୍ଷ ପାଳନ ଆରମ୍ଭ କରୁଛୁ । ଆସନ୍ତୁ, ଆମେ ତାଙ୍କ ବାର୍ତ୍ତାକୁ ଦୂରଦୂରାନ୍ତରେ ପହଞ୍ଚାଇବା ଲାଗି ଆମ ପ୍ରତିବଦ୍ଧତାକୁ ଦୋହରାଇବା । ଏହି ସଂକଳ୍ପ ଆମକୁ ସଙ୍ଗୀତ, କଳା ଏବଂ ସଂସ୍କୃତି ପାଇଁ ଅଧିକ କାମ କରିବା ଲାଗି ପ୍ରେରଣା ଦେଉ, ନୂଆ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁ, ଭାରତରେ ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷତାକୁ ଆଗକୁ ବଢ଼ାଉ । ମୋର ଅନେକ ଅନେକ ଶୁଭକାମନା ।