କେନ୍ଦ୍ରାପଡ଼ା, ୧୦/୧୦ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ସମୁଦ୍ରରେ ବୁଡ଼ିଗଲା ବୋଟ୍। ଗୁରୁବାର ବିଳମ୍ବିତ ରାତିରେ ଏକ ମାଛଧରା ବୋଟ୍ ବୁଡ଼ି ଯାଇଛି। ତେବେ ବୋଟ୍ରେ ଥିବା ସମସ୍ତ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଗୁରୁବାର ଭଦ୍ରକ ଅଞ୍ଚଳରୁ ଏକ ବୋଟ୍ ଜରିଆରେ ୮ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧ଟାରୁ ୨ଟା ମଧ୍ୟରେ ବୋଟ୍ଟି କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ସାତଭାୟା କୂଳ ନିକଟରେ ବୋଟ୍ଟି ବୁଡ଼ି ଯାଇଥିଲା। ସମସ୍ତ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ତେବେ ବୋଟ୍ରେ ଥିବା ମାଛ ଓ ଅନ୍ୟାନ୍ୟ ଆସବାବପତ୍ର ପାଣିରେ ଭାସିଯାଇଛି।