ନୂଆଦିଲ୍ଲୀ,୦୫/୧୦: ସରକାର କ୍ୟାସ୍ ଅନ୍ ଡେଲିଭରି(ସିଓଡି) ଉପରେ ଶକ୍ତ ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏଥିପାଇଁ ଇ-କମର୍ସ ପ୍ଲାଟ୍ଫର୍ମଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି । ପ୍ଲାଟ୍ଫର୍ମଗୁଡ଼ିକ ସିଓଡ଼ି ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ଚାର୍ଜ ଆଦାୟ କରୁଛନ୍ତି । ଏବେ ଏ ମାମଲାର ସରକାରୀ ଯାଞ୍ଚ ଆରମ୍ଭ ହେବାକୁ ଯାଉଛି ।
ଅଭିଯୋଗ ରହିଛି ଯେ, ଏହି ଚାର୍ଜ ଗ୍ରାହକଙ୍କୁ ଭୁଆଁ ବୁଲାଇ ଆଦାୟ କରାଯାଉଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ୍କୁ ଆଧାର କରି ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଏ ନିର୍ଦ୍ଦେଶ ଦେଇଛି । ଉକ୍ତ ପୋଷ୍ଟରେ ଏହିଭଳି ଏଣୁତେଣୁ ଅନେକ ଚାର୍ଜକୁ ନେଇ ପର୍ଦ୍ଦାଫାଶ ହୋଇଥିଲା । ଏହାକୁ ଲୋକଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା । ଏହାପରେ ‘ଡାର୍କ ପାଟର୍ଣ୍ଣ’ କୁହାଯାଉଥିବା ଏହି ପ୍ରସଙ୍ଗ ଉପରେ ତର୍କ ଆରମ୍ଭ ହୋଇଯାଇଛି ।
ଚଳିତ ସପ୍ତାହ ଆରମ୍ଭରେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା । ଏଥିରେ ଜଣେ ଗ୍ରାହକ ଫ୍ଲିପ୍କାର୍ଟରେ ଏକ ଅର୍ଡରରେ ୨୨୬ ଟଙ୍କାର ଅତିରିକ୍ତ ସିଓଡ଼ି ଚାର୍ଜ ଉପରେ ଚିନ୍ତା ପ୍ରକଟ କରିଥିଲେ । ଏହି ଚାର୍ଜର ବିବରଣୀରେ ‘ଅଫର୍ ହ୍ୟାଣ୍ଡ୍ଲିଂ ଫି’, ‘ପେମେଣ୍ଟ୍ ହ୍ୟାଣ୍ଡ୍ଲିଂ ଫି’ ଏବଂ ‘ପ୍ରୋଟେକ୍ଟ ପ୍ରମିଜ୍ ଫି’ ଆଦି ସାମିଲ ଥିଲା।
ଗ୍ରାହକଜଣକ ନିଜ ପୋଷ୍ଟ୍ରେ ଲେଖିଥିଲେ ଯେ, ଜୋମାଟୋ/ସ୍ୱିଗି/ଜେପ୍ଟୋର ରେନ୍ ଫି’କୁ ଭୁଲିଯାଆନ୍ତୁ । ଫ୍ଲିପ୍କାର୍ଟର ମାଷ୍ଟର୍ଷ୍ଟ୍ରୋକ୍ ଦେଖନ୍ତୁ: ଅଫର୍ ହ୍ୟାଣ୍ଡ୍ଲିଂ ଫି, ପେମେଣ୍ଟ୍ ହ୍ୟାଣ୍ଡ୍ଲିଂ ଫି’ ଏବଂ ପ୍ରୋଟେକ୍ଟ ପ୍ରମିଜ୍ ଫି’ । ଗ୍ରାହକଜଣକ କ୍ୱିକ୍-କମର୍ସ ଏବଂ ଫୁଡ୍-ଡେଲିଭରି ଆପ୍ଗୁଡ଼ିକ ପକ୍ଷରୁ ନିଆଯାଉଥିବା ଅତିରିକ୍ତ ଚାର୍ଜଗୁଡ଼ିକୁ କଟାକ୍ଷ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଯୋଶୀ ଏହି ପୋଷ୍ଟ୍ର ସିଧା ଜବାବ ଦେଇଥିଲେ । ସେ କହିଲେ, ଉପଭୋକ୍ତା ବ୍ୟାପାର ବିଭାଗକୁ ଇ-କମର୍ସ ପ୍ଲାଟ୍ଫର୍ମଗୁଡ଼ିକ ବିରୋଧରେ ଅଭିଯୋଗ ମିଳିଛି, ଯେଉଁମାନେ କ୍ୟାସ୍-ଅନ୍-ଡେଲିଭରୀ ପାଇଁ ଅତିରିକ୍ତ ଚାର୍ଜ ନେଉଛନ୍ତି । ଏହା ଏକ ଡାର୍କ ପାଟର୍ଣ୍ଣ ବର୍ଗୀକୃତ କାର୍ଯ୍ୟକଳାପ, ଯାହା ଉପଭୋକ୍ତାଙ୍କୁ ଭୁଆଁ ବୁଲାଇବା ତଥା ଶୋଷଣ କରିବା ପାଇଁ ଉଦ୍ଦିଷ୍ଟ ।
ଏବେ ବୃହତ୍ ଭାଗ ଭାରତୀୟ ଅନ୍ଲାଇନ୍ ସପିଂ ଉପରେ ନିର୍ଭରଶୀଳ । ଯେଉଁଭଳି ଭାବେ ଇ-କମର୍ସ କାରବାର ବଢିଚାଲିଛି, ବିଲିଂ ଏକ ବଡ଼ ଚିନ୍ତା ପାଲଟିଛି । କେତେକ ଇ-କମର୍ସ କମ୍ପାନି ଡିଜିଟାଲ ପେମେଣ୍ଟ୍କୁ ତ୍ୱରାନ୍ୱିତ କରୁଛନ୍ତି । କିନ୍ତୁ ସିଓଡି ବିକଳ୍ପ ଚୟନ କରିବାବେଳେ ଅତିରିକ୍ତ ଚାର୍ଜ ଲଗାଇବା ଅନୁଚିତ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି ।