ରାୟଗଡ଼(ଗଜପତି),୧୬/୧୦ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନପେକଟ ଗ୍ରାମରେ ଗତ ୨ତାରିଖରେ ହୋଇଥିବା ବାଦଲଫଟା ବର୍ଷାରେ ଭୂସ୍ଖଳନ ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଉପାଡ଼ି ହୋଇ ପଡ଼ିଥିଲା I ଫଳରେ ବନାଳ, ରାଙ୍ଗଲସିଂ, ପରାଜି, ବାରବା ଆଦି ୪ଟି ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଥିଲା l ରାସ୍ତା ଉପରେ ମାଟି ଜମା ହୋଇଥିବାବେଳେ ବିଦ୍ୟୁତ୍ ଯୋଗାଣ ସମ୍ଭବ ପର ହୋଇ ନ ଥିଲା । ପରବର୍ତ୍ତି ସମୟରେ ରାସ୍ତା ସଫା ହେବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଖୁବଶୀଘ୍ର ଉକ୍ତ ଗାଁ ଗୁଡ଼ିକୁ ସ୍ଵତନ୍ତ୍ର ପଦେକ୍ଷପ ଗ୍ରହଣ କରି ବିଦ୍ୟୁତ୍ ଯୋଗାଣ କରାଯିବ କହି ଫେରିଯାଇଥିଲେ। କିନ୍ତୁ ଦୀର୍ଘ ୧୫ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେଇ ଚୁପ୍ ବସିଥିଲେ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ I
ବାରମ୍ବାର ଗ୍ରାମବାସୀ ଅନୁରୋଧ କଲେ ମଧ୍ୟ ଆଜିକାଲି କହି ଦିନ ଗଡ଼ାଇ ନେଉଥିଲେ ସେମାନେ। ଫଳରେ ଶତାଧିକ ଗ୍ରାମବାସୀ ୧୪ତାରିଖରେ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଆସି ହଟ୍ଟଗୋଳ କରିଥିଲେ l ପରେ ଜେଇ ୧୫ତାରିଖ ଅପରାହ୍ନ ସୁଦ୍ଧା ବିଦ୍ୟୁତ ଯୋଗାଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା l କିନ୍ତୁ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଉକ୍ତ ଗ୍ରାମ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ହୋଇପାରିଲା ନାହିଁ l ଫଳରେ ଗୁରୁବାର ଉକ୍ତ ସ୍ଥାନକୁ ଜେଇଙ୍କ ସମେତ କର୍ମଚାରୀମାନେ ଯାଇଥିବାବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ l ଦୀର୍ଘ ୭ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ନ ଥିବାରୁ ଖବରପାଇ ସନ୍ଧ୍ୟା ୭ଟାବେଳେ ରାୟଗଡ଼ ଥାନା ପୁଲିସ ଓ ତହସିଲଦାର ପହଁଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କଲା ପରେ ସେମାନଂକୁ ଛାଡ଼ିଥିବା ଜଣାପଡ଼ିଛି I